ବିଜୟଙ୍କ ପୁଅ ଅରବିନ୍ଦଙ୍କୁ ନେଇ ବଢିଲା ଚର୍ଚ୍ଚା । ସପ୍ତାହକରେ ଦୁଇ ଦୁଇ ଥର ବନ୍ଧୁମିଳନ । ୨୪’ ପାଇଁ ଚାଲିଛି କି କ୍ଷେତ୍ର ପ୍ରସ୍ତୁତି?

302

କନକ ବ୍ୟୁରୋ: ଚର୍ଚ୍ଚାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ସପ୍ତାହକ ମଧ୍ୟରେ ଦୁଇଥର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଅରବିନ୍ଦ ମହାପାତ୍ର । ଗତ ରବିବାର ପାଟକୁରାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଆଜି ମହାକାଳପଡାରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବିଜୟ ମହାପାତ୍ରଙ୍କ ପୁଅ । ଏହା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତିପର୍ବ ବୋଲି ଚର୍ଚ୍ଚା ହେଉଛି । ତେବେ ଅରବିନ୍ଦ କହିଛନ୍ତି, ଆଗାମୀ କିଛି ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ।

  • ବିଜୟଙ୍କ ପୁଅ ଅରବିନ୍ଦଙ୍କୁ ନେଇ ବଢିଲା ଚର୍ଚ୍ଚା
  • ସପ୍ତାହକରେ ଦୁଇ ଦୁଇ ଥର ବନ୍ଧୁମିଳନ

ରାଜ୍ୟ ରାଜନୀତିରେ ଏବେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା । ସପ୍ତାହେ ନ ପୁରୁଣୁ ଦୁଇ ଦୁଇଟି ବନ୍ଧୁମିଳନ କାର୍ଯ୍ୟର୍କ୍ରମରେ ସେ ସାମିଲ ହେବା ୨୦୨୪ ପାଇଁ ଅରବିନ୍ଦଙ୍କ ନିର୍ବାଚନ ପ୍ରସ୍ତୁତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାକାଳପଡା ବ୍ଲକର ମା ରାମଚଣ୍ଡୀ ପୀଠର ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜୟ ମହାପାତ୍ରଙ୍କ ଅନେକ ସମର୍ଥକ ଯୋଗଦେଇଥିଲେ । ମାଙ୍କୁ ଦର୍ଶନ କରିବା ସହ ସାଧାରଣ ସଭାରେ ଯୋଗଦେଇଥିଲେ । ଅରବିନ୍ଦ ରାଜନୀତିକୁ ଆସିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି । କହିଛନ୍ତି, ତାଙ୍କର ରାଜନୀତି ପ୍ରତି ରୁଚି ଅଛି । ଆଉ ଏ ବାବଦରେ ତାଙ୍କ ବାପା ଓ ସମର୍ଥକ ନିଷ୍ପତି ନେବେ ।

ବିଜୟ ମହାପାତ୍ର ଉଭୟ ପାଟକୁରା ଓ ମହାକାଳପଡାରୁ ନିର୍ବାଚନ ଲଢିଥିଲେ । ୨୦୧୯ରେ ପାଟକୁରାରୁ ଓ ୨୦୧୪ରେ ମହାକାଳପଡାରୁ ଲଢି ପରାସ୍ତ ହୋଇଥିଲେ । ଏବେ ଦୁଇଟିଯାକ ନିର୍ବାଚନମଣ୍ଡଳୀରେ ପୁଅର ବନ୍ଧୁମିଳକୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି ।

  • ୨୪’ ପାଇଁ ଚାଲିଛି କି କ୍ଷେତ୍ର ପ୍ରସ୍ତୁତି?
  • କେଉଁ ଦଳରୁ ଲଢିବେ ଅରବିନ୍ଦ?

ବନ୍ଧୁମିଳନ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ବଢିଥିବାବେଳେ ଅରବିନ୍ଦ କେଉଁ ଦଳରୁ ଲଢିବେ ତାକୁ ନେଇ ଏ ଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ । ବିଜୟ ମହାପାତ୍ର ଦୀର୍ଘଦିନ ହେଲା ବିଜେପିରେ ସକ୍ରିୟ ନାହାନ୍ତି । ଅରବିନ୍ଦ ବିଜେଡିକୁ ଯିବା ନେଇ ବି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ନୂଆ ପୀଢି ରାଜନୀତିକୁ ଆସିବା ଉଚିତ ବୋଲି ସ୍ପଷ୍ଟ କରିସାରିଛନ୍ତି । ଆଉ ଏଭଳି ସମୟରେ ଦୁଇ ଦୁଇଟି ନିର୍ବାଚନମଣ୍ଡଳୀରେ ଅରବିନ୍ଦଙ୍କ କାର୍ଯ୍ୟକ୍ରମ ରାଜନୀତିକୁ ଉଷ୍ମ କରିଛି । ଅରବିନ୍ଦ କହିଛନ୍ତି, ୨-୩ ମାସ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ବିଦେଶରେ ଚାକିରୀ ଛାଡି ଏବେ ରାଜନୀତି ମୁହାଁ ହୋଇଛନ୍ତି ଅରବିନ୍ଦ ମହାପାତ୍ର । ଏବେ ପ୍ରଶ୍ନ ଉଠୁଛି, ବିଜେଡି ପାଇଁ ଅଛୁଆଁ ଥିବା ବିଜୟଙ୍କ ପୁଅଙ୍କୁ ବିଜେଡି କିଭଳି ଗ୍ରହଣ କରିବ । ଯେଉଁ ଦଳରୁ ସେ ବଢିବେ ସେଠାକାର ଆଶାୟୀ ପ୍ରାର୍ଥୀଙ୍କ ରଣନୀତି କଣ ହେବ ।