କାଲି ବିଜେପିକୁ ବାଏ ବାଏ କରିପାରନ୍ତି ବିଜୟ-ଦିଲୀପ ! ଅଧ୍ୟକ୍ଷଙ୍କୁ ଚିଠି ଲେଖି ଦେଇପାରନ୍ତି ଇସ୍ତଫା ।

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାର୍ଯ୍ୟରେ ବିଳମ୍ବ ହେବାନେଇ ଗତ କିଛିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥଲେ ଦିଲୀପ ।

1,058

କନକ ବ୍ୟୁରୋ: ଆସନ୍ତାକାଲି ପଦ୍ମ ଛାଡ଼ିପାରନ୍ତି ରାଉରକେଲା ବିଧାୟକ ଦିଲୀପ ରାୟ । ବିଜେପି ବିଧାୟକ ପଦ ସହ ବିଜେପିର ହାତ ଛାଡ଼ିବାକୁ ଦିଲୀପ ନିଷ୍ପତି ନେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଦିଲୀପ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରି ବିଧିବଦ୍ଧଭାବେ ବିଧାୟକ ପଦରୁ ଇସ୍ତଫା ଦେବେ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାର୍ଯ୍ୟରେ ବିଳମ୍ବ ହେବାନେଇ ଗତ କିଛିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥଲେ ଦିଲୀପ । ଏବଂ ଚଳିତମାସ ଶେଷ ସୁଦ୍ଧା ବଡ଼ ନିଷ୍ପତି ନେବେ କହି ବିଧାୟକ ପଦ ସହ ବିଜେପି ଛାଡ଼ିବା ନେଇ ଇସାରା ଦେଇଥିଲେ ଦିଲୀପ ।

ଅନ୍ୟପଟେ ଦିଲୀପଙ୍କ ସହ ବିଜେପିକୁ ବାଏ ବାଏ କରିପାରନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଗତକିଛି ଦିନ ତଳେ ଦିଲୀପ ଦେଇଥିବା ବୟାନ ଏବଂ ନିଷ୍ପତିକୁ ସମର୍ଥନ ଜଣାଇଥିଲେ ବିଜୟ । ତେଣୁ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ଦିଲୀପଙ୍କ ସହ ବିଜୟ ମଧ୍ୟ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ନିକଟକୁ ମଧ୍ୟ ଉଭୟ ଇସ୍ତଫା ପତ୍ର ପଠାଇବୋ ବୋଲି ଜଣାପଡ଼ିଛି । ଦଳର ପରିଚାଳନା ଏବଂ କିଛି ନେତାଙ୍କ କାର୍ଯ୍ୟନୀତିକୁ ବିରୋଧ କରି ବିଜେପି ମୁଖିଆଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବେ ବିଜେପିର ଏହି ଦୁଇ ହେଭିୱେଟ୍ ନେତା ।

ତେବେ ଦୀର୍ଘଦିନ ଧରି ରାଜ୍ୟ ବିଜେପିର ଏହି ଦୁଇ ବରିଷ୍ଠ ନେତା ଦଳରେ କୋଣଠେସା ହୋଇପଡ଼ିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଉଭୟଙ୍କୁ ସାମିଲ ନକରିବା ଏବଂ ସେମାନଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ଦଳରେ ଏମାନଙ୍କ ମୂଲ୍ୟବୋଧକୁ ପରୋକ୍ଷରେ ସ୍ପଷ୍ଟ କରିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଏବଂ ଯୋଜନାକୁ ଉଭୟ ଖୁଲମଖୁଲା ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏବଂ ଏହାର ଫାଇଦା ଶାସକ ବିଜେଡ଼ି ଏବଂ ବିରୋଧୀ କଂଗ୍ରେସ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ନଜିର ରହିଛି ।

ଯଦି ଦିଲୀପ ଓ ବିଜୟ ଉଭୟ ବିଜେପିରୁ ଇସ୍ତଫା ଦିଅନ୍ତି ତେବେ ସେମାନଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ତାକୁ ନେଇ ଏବେଠୁ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଲାଣି । କାରଣ ଗତ କିଛି ବର୍ଷ ହେବ ଦଳୀୟ କାର୍ଯ୍ୟଧାରାକୁ ନେଇ ଖୁଲମଖୁଲା ଗଣମାଧ୍ୟମ ସାମ୍ନାରେ ବୟାନ ରଖୁଥିବା ବିଜୟ ଘରକୁ ବାହୁଡ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଦିଲୀପ ମଧ୍ୟ ବିଜେଡ଼ିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।