କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନର ଭୋଟଗଣତି । ତେବେ ଭୋଟଗଣତି କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଛଡା ନଯିବା କାରଣରୁ ଉତ୍ତେଜନା ଦେଖାଦେଇଥିବା ଜଣା ପଡିଛି । ଆଜି ସକାଳ ୮ଟାରୁ ପଦ୍ମପୁରସ୍ଥିତ ଅଞ୍ଚଳ କଲେଜ କ୍ୟାମ୍ପସରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା । ଅପରାହ୍ନ ସୁଦ୍ଧା ଫଳାଫଳ ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଏହି ଉପନିର୍ବାଚନରେ ବିଜେଡି ପକ୍ଷରୁ ରୀତା ସାହୁ, କଂଗ୍ରେସର ପ୍ରଣୟ ସାହୁ ଓ ବିଜେପିର ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।

Advertisment

ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ନେତା ଓ ନେତୃତ୍ୱ ହିସାବ କିତାବରେ ବ୍ୟସ୍ତ ଅଛନ୍ତି । ଯଦିଓ ଆଜି ପୂର୍ବାହ୍ନରେ ହିଁ ଫଳାଫଳ ସଂପର୍କରେ ସ୍ପଷ୍ଟ ସଙ୍କେତ ମିଳିଯିବ, ତଥାପି ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜ ନିଜ ସପକ୍ଷରେ ଯୁକ୍ତି ରଖୁଛନ୍ତି । କଂଗ୍ରେସ ଏବେଠାରୁ ହାତଟେକି ଦେଲାଣି। ଏଥିସହିତ ବିଜେପୁର ରାୟକୁ ନେଇ ନେତାମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ, ୧୪ଟି ଟେବୁଲରେ ଗଣତି ଚାଲିବ । ଗୋଟିଏ ଟେବୁଲରେ ଜଣେ ଲେଖାଏଁ ପର୍ୟ୍ୟବେକ୍ଷକ, ରିଟର୍ଣ୍ଣିଂ ଅଫିସର ଏବଂ ସହଯୋଗୀ ରହିବେ । ନିର୍ବାଚନ ମଣ୍ଡଳୀରେ ୨୮୧ଟି ବୁଥରେ ମତଦାନ ହୋଇଛି । ତେଣୁ ୨୧ ରାଉଣ୍ଡ ଗଣତି ହେବ । ଗୋଟିଏ ରାଉଣ୍ଡରେ ଏକାଥରକେ ୧୪ଟି ବୁଥର ଭୋଟ୍ ଗଣାଯିବ। ଗୋଟିଏ ରାଉଣ୍ଡ ଗଣତି ପାଇଁ ପ୍ରାୟ ୧୫ ମିନିଟ୍ ସମୟ ଲାଗିବ । ସବୁ ସୁରୁଖୁରୁରେ ଚାଲିଲେ ଅପରାହ୍ନ ୨ଟା ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ସାରିଥିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପୀରାମ ମାଝୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ତାତିକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆଇନଶୃଙ୍ଖଳା ତଦାରଖ ପାଇଁ ଭୋଟ ଗଣତି କେନ୍ଦ୍ର ଭିତରେ ଏବଂ ବାହାରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ରହିଛନ୍ତି ବୋଲି ଜଣାପଡ଼ିଛି ।