କାହିଁକି ବିଳମ୍ବ ହେଉଛି ବିଜେପୁର ନିର୍ବାଚନର ତାରିଖ ଘୋଷଣା : ବିଜେଡିର ଅଭିଯୋଗ, ବିଳମ୍ବ କରିବା ପାଇଁ ଚାପ ପକାଉଛି ବିଜେପି

46

କନକ ବ୍ୟୁରୋ : ବିଜେପି ଚାପରେ ନିର୍ବାଚନ କମିଶନ ବିଜେପୁର ଉପ-ନିର୍ବାଚନ ଘୋଷଣା ବିଳମ୍ବ କରୁଛନ୍ତି । କାରଣ ବିଜେପି ଜାଣିଛି ବିଜେପୁରରେ ଦଳ ତିନି ନମ୍ବର ସ୍ଥାନରେ ରହିବ । ଏମିତି ଅଭିଯୋଗ ଆଣିଛନ୍ତି ବିଜେଡି ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ ଜିଲ୍ଲାର ହେଭିୱେଟ୍ ସୁଶାନ୍ତ ସିଂଙ୍କ ଏମିତି ମନ୍ତବ୍ୟ ପରେ ପୁଣି ଜୋର ଧରିଛି ବିଜେପୁରକୁ ନେଇ ରାଜନୀତି ।

ମନ୍ତ୍ରୀ କହୁଛନ୍ତି ଯଦି କଂଗ୍ରେସ ଗାଏସିଲଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଟିକେଟ ଦିଏ, ତେବେ ବିଜେପୁରରେ ବିଜେପି ତୃତୀୟ ସ୍ଥାନରେ ରହିବ । ତେଣୁ ନିଜ ସ୍ଥିତି ଦୁର୍ବଳ ଥିବା ଜାଣି ବିଜେପି ବର୍ତମାନ ନିର୍ବାଚନ ସପକ୍ଷରେ ନାହିଁ । କିନ୍ତୁ ବିଜେପି ଏହାକୁ ଦୃଢ ଭାବେ ଖଣ୍ଡନ କରିଛି ।ବିଜେପୁରର କଂଗ୍ରେସ ନେତା ପ୍ରଣୟ ସାହୁ । ୧୯୯୭ରୁ ବର୍ତମାନ ପର୍ଯ୍ୟନ୍ତ ଗାଏସିଲଟ ବ୍ଲକରେ କଂଗ୍ରେସର ମଙ୍ଗ ଧରିଥିବା ଏହି ନେତାଙ୍କୁ କଂଗ୍ରେସ ଟିକେଟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।  ଆଉ ପ୍ରଣୟ ଲଢେଇକୁ ଆସିଲେ ତ୍ରିମୂଖୀ ପ୍ରତିନ୍ଦ୍ୱଦିତା ହେବ ବୋଲି ଆଶା କରୁଛନ୍ତି ଉଭୟ ବିଜେପି ଓ ବିଜେଡି ।

କଂଗ୍ରେସର ଗଡ କୁହାଯାଉଥିବା ବିଜେପୁର ପାଇଁ କଂଗ୍ରେସ ମଧ୍ୟ ତାର ଅଭିଯାନ ଆରମ୍ଭ କରିସାରିଛି । ଦିବଂଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ପତ୍ନୀ ବିଜେଡିକୁ ଯିବା ପରେ ନିଜ ଦମରେ ବିଜେପୁର ହାତେଇବାକୁ ଆଶା ରଖିଛି ।କୁହାଯାଉଛି ବିଜେପୁର ପାଇଁ ନବୀନ ସରକାରଙ୍କ ପ୍ୟାକେଜ୍ ଘୋଷଣାକୁ ଚେକମେଟ ଦେବାପାଇଁ ବିଜେପି ଚିନ୍ତା କରୁଛି । ଆଉ ଏହାରି ଭିତରେ ପ୍ରଣୟଙ୍କ ପ୍ରାର୍ଥୀତ୍ୱକୁ ନେଇ ତ୍ରିମୂଖୀ ଲଢେଇ ମଧ୍ୟ ଆଶା କରୁଛନ୍ତି ଦୁଇ ଦଳ ।