କନକ ବ୍ୟୁରୋ : ବିଜେପୁର ବାଜି ଲଢିବା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଉଭୟ ବିଜେଡି ଓ ବିଜେପି । ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଦେଖା ଦେଇଥିବା ବିବାଦକୁ ସମାଧାନ କରିବାରେ ସଫଳ ହୋଇଛନ୍ତି ବିଜେଡି ସୁପ୍ରିମୋ । ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ପ୍ରଭାତ ଓ ତାଙ୍କ ସମର୍ଥକଙ୍କୁ ମନାଇଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାର୍ଟି ସୁପ୍ରିମୋଙ୍କ ସହ ଆଲୋଚନା ପରେ ପ୍ରଭାତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ତାଙ୍କର ଅସନ୍ତୋଷ ନୁହେଁ ବରଂ ସ୍ୱାଭିମାନର କଥା । ତେବେ ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀଙ୍କୁ ମନାଇବା ପରେ ନବୀନ କହିଛନ୍ତି ଯେ, ସେମାନେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଆଶାବାଦୀ ଅଛନ୍ତି । ପୂର୍ବରୁ ବିଜେପି ମଧ୍ୟ ତାର ଅସନ୍ତୁଷ୍ଟ ନେତା ନାରାୟଣ ସାହୁଙ୍କୁ ମନାଇବାରେ ସମର୍ଥ ହୋଇଥିଲା ।
ବିଜେଡିର ରୀତା ସାହୁଙ୍କୁ କାଉଂଟର କରିବାକୁ ବିଜେଡିରୁ ନିଲମ୍ବିତ ଅଶୋକ ପାଣିଗ୍ରାହୀଙ୍କୁ ଆପଣେଇ ନେଲା ବିଜେପି । ଅଶୋକଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେପି ଘୋଷଣା କରନଥିଲେ ମଧ୍ୟ ଏହା ବିଜେପୁର ବିଜେପିରେ ଅସନ୍ତୋଷ ପାଇଁ ଥିଲା ଯଥେଷ୍ଟ । ଆଉ ଦଳୀୟ ନିଷ୍ପତି ବିରୋଧରେ ଖୋଲାଖୋଲି ବିଷୋଦଗାର କଲେ ଟାଣୁଆ ନେତା ନାରାୟଣ ସାହୁ । ବରଗଡ ଜିଲ୍ଲାପରିଷଦ ପରେ ବିଜେପୁର ଉପନିର୍ବାଚନ ଉପରେ ଆଖି ରଖିଥିବା ବିଜେପି ମଧ୍ୟ ଦଳ ଭିତରେ କୌଣସି ଅସନ୍ତୋଷ ରଖିବାକୁ ଚାହୁଁନଥିଲା । ଶେଷରେ ବିଜେପି ବିଧାୟକ ଦଳ ନେତା କେ ଭି ସିଂଦେଓଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ କରି ନାରାୟଣଙ୍କୁ ମନାଇ ନେଲା ବିଜେପି ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଦଳୀୟ ଅସନ୍ତୋଷକୁ ସମାଧାନ କରି ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେଡି ଓ ବିଜେପି ।