ଧର୍ମେନ୍ଦ୍ରଙ୍କ କ୍ୟାଂପରୁ ନେତା ଛଡାଇ ଆଣିଲେ ନବୀନ ! ବିଜେପୁର ଗଣିତ ହେଲା ଓଲଟା ପାଲଟା

35

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ବରଗଡ ଜିଲ୍ଲା ପରିଷଦରେ ବାଜି ହାରିଥିବା ବିଜେଡି, ବିଜେପୁରରେ ବଦଲା ନେବାକୁ ପ୍ରଥମେ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ପତ୍ନୀଙ୍କୁ ଆଣି ଦଳରେ ମିଶାଇଲା । ଉପନିର୍ବାଚନ ପାଇଁ ତାଙ୍କୁ ଦଳରୁ ପ୍ରାର୍ଥୀ ଘୋଷଣା କରି ବିପକ୍ଷ ଶିବିରକୁ ଚମକାଇଦେଲେ ନବୀନ । ଏହାର ଜବାବରେ ବିଜେଡିର ପୂର୍ବତନ ନେତା ଅଶୋକ ପାଣିଗ୍ରାହୀଙ୍କୁ ନିଜ କ୍ୟାମ୍ପକୁ ଆଣି ହିସାବ ବରାବର କଲା ଭାରତୀୟ ଜନତା ପାର୍ଟି । ଆଉ ଏବେ ବରଗଡ ଜିଲ୍ଲା ସଭାପତିଙ୍କୁ ବିଜେପିଠାରୁ ଛଡାଇ ଆଣି ରାଜନୀତିର ପଶାପାଲିରେ ଆଉ ଗୋଟିଏ ପାଦ ଚାଲିଛି ବିଜୁ ଜନତା ଦଳ । ବିଜେପିରେ ଅହଂକାର ବଢିଯାଇଥିବାରୁ ଅଣନିଶ୍ୱାସୀ ହୋଇ ଦଳ ଛାଡିଥିବା କହିଛନ୍ତି ନାରାୟଣ ସାହୁ ।

ରାଜନୀତିରେ ନେତା ଗୋଟିଏ ଦଳଛାଡି ଆଉଗୋଟିଏ ଦଳରେ ମିଶିବା କିଛି ନୂଆକଥା ନୁହେଁ । କୌଣସି ନିର୍ବାଚନ ପୂର୍ବରୁ ଏଭଳି ପ୍ରକ୍ରିୟା ବେଶ ସ୍ୱାଭାବିକ । ହେଲେ ନିଜ ଲୋକପ୍ରିୟତା ଓ ରାଜନୈତିକ ଶକ୍ତିର ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଗୋଟିଏ ଦଳର ଜିଲ୍ଲା ମୁଖିଆ ବିରୋଧୀ ଶିବିରରେ ସାମିଲ ହେବା ଘଟଣା ପୁରା ବିଜେପୁର ଗଚ୍ଚିତକୁ ଓଲଟ ପାଲଟ କରିଦେଇଛି।

ଏପଟେ ସୁବଳ ସାହୁଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ଘୋଷଣା କରି ସମବେଦନାର ଭୋଟ ପାଇବାକୁ ଆଶାବାଦୀ ଥିବା ବିଜେଡି, ଏବେ ବରଗଡ ଜିଲ୍ଲା ବିଜେପି ସଭାପତିଙ୍କୁ ନିଜ ସପକ୍ଷରେ ନେଇ ବିଜେପି ଭୋଟ ବିଭାଜନ କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି । ନାରାୟଣ ସାହୁ ଆଗାମୀ ୩ ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଉଥିବାବେଳେ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ମଧ୍ୟ କହିଛନ୍ତି । ନେତାଙ୍କ ଦଳ ବଦଳ ଓ ମିଶ୍ରଣ ପର୍ବ ଭିତରେ ଜାରି ରହିଛି ପ୍ରମୁଖ ରାଜନୈତିକ ଦଳଙ୍କ ପତିଆରା ପ୍ରଦର୍ଶନ । ହେଲେ ଏହା ଭୋଟ ରାଜନୀତିକୁ କେତେଦୂର ଫାଇଦା ଦେବ ତାହା ବିଜେପୁର ଫଳାଫଳ ହିଁ କହିବ ।

କାହିଁକି ଏକ ନିର୍ଦ୍ଦିଷ୍ଟ ଜାତିର ନେତାଙ୍କୁ ଗୁରୁତ୍ୱ ଦେଉଛନ୍ତି ତିନୋଟି ଯାକ ରାଜନୈତିକ ଦଳ ?

ବିଜେପି ଜିଲ୍ଲା ସଭାପତିଙ୍କୁ ନିଜ କ୍ୟାମ୍ପକୁ ଆଣି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ନବୀନ । କୁହାଯାଉଛି ବିଜେପୁରରେ ନାରାୟଣ ସାହୁଙ୍କ ସଂଗଠନ ଓ କୁଇଲତା ସମାଜର ସମର୍ଥନ ହାସଲ କରିବାକୁ ଏଭଳି ଗୋଟି ଚଳାଇଛି ବିଜେଡି । ପ୍ରଥମତଃ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ସମବେଦନାର ଭୋଟ ପାଇବାକୁ ଆଶା ରଖିଛି ବିଜୁ ଜନତା ଦଳ

ଦ୍ୱିତୀୟରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ବିଜେପିର ଭୋଟ ବିଭାଜନ ପାଇଁ ନାରାୟଣଙ୍କୁ ଆପଣେଇ ନେଇଛି ଦଳ ।କୁଇଲତା ସମାଜରୁ ଆସିଥିବା ପ୍ରୟଣ ସାହୁଙ୍କୁ ଯଦି କଂଗ୍ରେସ ପ୍ରାର୍ଥୀ କରେ ତେବେ ନବୀନଙ୍କ ପାଇଁ ଟ୍ରମ୍ପକାର୍ଡ ହେବେ ନାରାୟଣ । ବିଜେପୁର ଜନସଂଖ୍ୟାର ପ୍ରାୟ ୫୭ ପ୍ରତିଶତ ଲୋକ କୁଇଲତା ସମାଜର ହୋଇଥିବାରୁ ଏମାନେ ବିଜେଡିକୁ ଫାଇଦା ଦେଇପାରନ୍ତି । ସେପଟେ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ନାହିଁ କହି ଆଂଟି ବିଜେପି କ୍ୟାମ୍ପେନ କରିପାରନ୍ତି ନାରାୟଣ ସାହୁ ।

ବରଗଡ ଜିଲ୍ଲା ବିଜେପୁରରେ ଅଧିକାଂଶ ଲୋକ ଚାଷୀ ଓ ବୁଣାକାର ସଂପ୍ରଦାୟର । ଚାଷୀଙ୍କୁ ଖୁସି କରିବା ଲାଗି ପ୍ରଥମେ ବଡ ପ୍ୟାକେଜ ଓ ବୁଣାକାର ସଂପ୍ରଦାୟର ଗଙ୍ଗାଧର ମେହେରଙ୍କ ନାଁରେ ଲିଫ୍ଟ କେନାଲ ଘୋଷଣା କରି ଏହି ଦୁଇ ଗୋଷ୍ଠୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ନବୀନ । ଆଉ ଏବେ କୁଇଲତା ସମାଜର ବଡ ଚେହେରା ନାରାୟଣ ସାହୁଙ୍କୁ ସାଙ୍ଗରେ ନେଇ ଉଭୟ କଂଗ୍ରେସ ଓ ବିଜେପି ଭୋଟ ବିଭାଜନ କରିବାକୁ ବଡ ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଅଶୋକ ପାଣିଗ୍ରାହୀଙ୍କୁ ବାହାରି ନେତା କହି ବିଜେପୁରରେ ବଡଧରଣର ବିରୋଧ ହେଉଥିବା ଚର୍ଚ୍ଚା । ସେହିପରି କଂଗ୍ରେସ ଯଦି ପ୍ରଣୟ ସାହୁଙ୍କ ପରିବର୍ତେ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରେ ତେବେ କୁଇଲତା ସଂପ୍ରଦାୟର ଭୋଟ ତାଙ୍କ ସପକ୍ଷରେ ଯିବନାହିଁ ବୋଲି ଆଶଙ୍କା । ଯାହାର ଫାଇଦା ନେବାକୁ ବସିଛି ବିଜେଡି ।