କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବିଜେପୁର ଉପନିର୍ବାଚନ ମହାସମର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଶେଷରେ ପ୍ରାର୍ଥୀ କରିଛି ହାତ ଦଳ । ଏଆଇସିସି କମିଟିର ରିପୋର୍ଟକୁ କାଣ୍ଟଝାଣ୍ଟ କରିବା ପରେ ପ୍ରଣୟଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ଏହି ଘୋଷଣା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇ ଉଠିଛି । ଏହି ଉପନିର୍ବାଚନ ପ୍ରତି ଦଳ ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । କାରଣ ଏହି ଉପନିର୍ବାଚନ ହିଁ ୨୦୧୯ ନିର୍ବାଚନ ପାଇଁ ମୂଳଦୁଆ ପକାଇବ । ତେଣୁ ବିଜେପୁର ଗଡ ଜିତିବାକୁ ସବୁ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହି ଲଢେଇରେ କଂଗ୍ରେସ ଦଳ ପଛରେ ଯୋଗ ଦେଇଥିଲେ ସୁଦ୍ଧା ବିଜେଡି ଓ ବିଜେପିକୁ କଡା ଟକ୍କର ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଦୀର୍ଘ ବର୍ଷ ଧରି ଏହା କଂଗ୍ରେସର ପାରମ୍ପରିକ ଗଡ ରହିଥିଲା । ଏସବୁ ଭିତରେ ବିଜେପୁର ଉପନିର୍ବାଚନ ଉପରେ ପୂରା ରାଜ୍ୟର ନଜର ରହିଛି । ଆସନ୍ତୁ ନଜର ପକାଇବା ତିନୋଟି ଦଳର ପ୍ରାର୍ଥୀଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଉପରେ ।
ରୀତା ସାହୁ : ବିଜେପୁର ନିର୍ବାଚନ ପାଇଁ ନୂଆ ଚେହେରା କିନ୍ତୁ ବିଜେପୁର ବାସୀଙ୍କ ପାଇଁ ନୂଆ ନୁହଁନ୍ତି ରୀତା । କେବଳ ଦଳ ପରିବର୍ତ୍ତନ କରି କଂଗ୍ରେସ ଛାଡି ବିଜେଡି ହାତ ଧରିଛନ୍ତି ରୀତା । ଚଳିତ ଉପନିର୍ବାଚନରେ ରୀତା ସାହୂଙ୍କୁ ସପକ୍ଷରେ ଅନୁକମ୍ପାର ଭୋଟ ଦେଖିବାକୁ ମିଲିବ । କାରଣ ତାଙ୍କ ସ୍ୱାମୀ ସ୍ୱଗତଃ ସୁବଳ ସାହୁ ବିଜେପୁର ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ଏକରକମ ସୁବଳ ସାହୁଙ୍କ ଗଡ ଭାବେ ପରିଚିତ ଥିଲା । ତେବେ ତାଙ୍କ ଦେହାନ୍ତ ପରେ ସେହି ଆସନରୁ ପ୍ରଥମଥର ନିର୍ବାଚନର ସାମ୍ନା କରିବେ ରୀତା । ତେଣୁ ସୁବଳଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ରୀତା ସାହୁଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ଏହା ତାଙ୍କ ବିଜୟପଥକୁ ସୁଗମ କରିବ ବୋଲି ତାଙ୍କର ସମର୍ଥକ କହିଛନ୍ତି ।
ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁଙ୍କ ସପକ୍ଷରେ ଅନୁକମ୍ପା ଯିବାର ଧାରଣା ହିଁ ତାଙ୍କୁ ଆଜି ଶକ୍ତିଶାଳୀ କରିଛି । ଠିକ ଯେମିତି ୧୯୯୧ରେ ହୋଇଥିଲା । ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୀତିର ଧାର ଧରିନଥିବା ରୀତା ସାହୁଙ୍କୁ ନବୀନ ଆଗକୁ ଆଣି ବିଜେପୁରରେ ବିଜେଡିର ପଲ୍ଲାକୁ ମଜଭୁତ କରିଛନ୍ତି । ତେଣୁ ୧୯୯୧ ଭଳି ରୀତା ସାହୁ ମଧ୍ୟ ଅନୁକମ୍ପାମୂଳକ ଭୋଟ ହାତେଇବେ ବୋଲି ଦୃଢ ଆଶାବାଦୀ ଅଛନ୍ତି ।
ଏସବୁ ବାଦ ରୀତାଙ୍କ ବିଜୟର ଆଉ ଏକ ଟ୍ରମ୍ପକାର୍ଡ ହେଉଛି ନବୀନଙ୍କ ଲୋକପ୍ରିୟତା ସାଙ୍ଗକୁ ବିଜେପୁର ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜେପୁର ପାଇଁ ବିଭିନ୍ନ ଯୋଜନା ଘୋଷଣା କରି ଯେଉଁଭଳି ଟଙ୍କାର ଭଣ୍ଡାର ଖୋଲିଛନ୍ତି ତାହା ରୀତାଙ୍କ ବିଜୟରେ ବେଶ ସହାୟକ ହେବ । ନବୀନଙ୍କ ଲୋକପ୍ରିୟତା ମଧ୍ୟ ବିଜେପୁର ଉପନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ସେହିଭଳି ରୀତା ସାହୁଙ୍କ ବିଜୟ ପଥରେ କଣ୍ଟା ସାଜି ପାରେ ଦଳୀୟ କନ୍ଦଳ । ରୀତା ସାହୁଙ୍କୁ ବିଜେଡିରେ ମିଶାଇ ପ୍ରାର୍ଥୀ ଘୋଷଣା କରିବା ଅନେକ ଦଳୀୟ ନେତାଙ୍କ ହଜମ ହୋଇନାହିଁ । ଏପରିକି ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳ ଛାଡି ପଦ୍ମ ପୋଖରୀରେ ଯୋଗ ଦେଇ ଟିକେଟ ହାତେଇ ସାରିଛନ୍ତି । ତେଣୁ ରୀତା ସାହୁଙ୍କ ପାଇଁ ବିଜେପୁର ଉପନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହୋଇପାରେ । ତାଛଡା ରୀତା ସାହୁ ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ମୁହଁ । ତେଣୁ ତାଙ୍କୁ ଜନସାଧାରଣ ଗ୍ରହଣ କରିବେ କି ନାହିଁ ତାହା ଏକ ବଡ ପ୍ରଶ୍ନବାଚୀ ।
ଅଶୋକ ପାଣିଗ୍ରାହୀ : ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ପଦ୍ମ ପୋଖରୀକୁ ଲମ୍ପ ଦେଇଥିଲେ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ।୨୦୧୪ ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ୧୮ ହଜାର ଭୋଟ ହାତେଇଥିଲେ ଅଶୋକ । ଯାହା ତାଙ୍କୁ ଉପନିର୍ବାଚନ ପାଇଁ ବିଜେପିରୁ ଦଳୀୟ ଟିକେଟ ହାସଲ କରିବାରେ ସାହାଯ୍ୟ କରିଛି । ବିଜେପି ମଧ୍ୟ ଅଶୋକଙ୍କୁ ପାଇ ବେଶ ଖୁସି । କାରଣ ଅଶୋକଙ୍କ ପାଖରେ ନିଜର ଏକ ବଡ ଭୋଟ ବ୍ୟାଙ୍କ ରହିଛି । ବିଜେପୁରରେ ଅଶୋକଙ୍କ ଲୋକପ୍ରିୟତା ମଧ୍ୟ କିଛି କମ ନୁହେଁ । ଏହାସହ ବିଜେପି ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପୁରରେ ଦମଦାର ପ୍ରଦର୍ଶନ କରିଛି । ମୋଟ ୭ଟି ଜୋନରୁ ୬ଟି ଜୋନରେ ବିଜୟ ହାସଲ କରି ବିଜେଡିକୁ ଏକରକମ ବିଜେପୁରରୁ ବିଦା କରିଛି ବିଜେପି । ପଞ୍ଚାୟତ ନିର୍ବାଚନରେ ପାଖାପାଖି ୮୦ ହଜାରରୁ ଉଦ୍ଧ୍ୱର୍ ଭୋଟ ହାତେଇବାରେ ସକ୍ଷମ ହୋଇଛି ବିଜେପି । ତେଣୁ ସାଧାରଣ ଲୋକଙ୍କ ସମର୍ଥନ ଦଳ ସହ ରହିଛି ବୋଲି ବିଜେପି ଚିନ୍ତା କରୁଛି । ତେଣୁ ଅଶୋକଙ୍କ ଭୋଟ ବ୍ୟାଙ୍କ ଓ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ପୁଞ୍ଜି କରି ବିଜେପୁର ନିର୍ବାଚନ ବୈତରଣୀ ପାର କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏହାଛଡା ନାମାଙ୍କନ ପତ୍ର ଦାଖଲ ସମୟରେ ଅଶୋକ ନିଜ ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି ।
ବିଜେପି ପାଇଁ ବିଜେପୁର ବିଜୟ ଏତେ ସହଜ ହେବ ନାହିଁ । ବିଜେପିର ବିଜୟ ପଥରେ ବାଧକ ଭାବେ ଉଭା ହୋଇଛନ୍ତି ଦଳୀୟ କର୍ମକତ୍ତା କାରଣ ଅଶୋକଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳରେ ପ୍ରଥମରୁ ଅସନ୍ତୋଷ ଦେଖାଦେଇଛି । ଏପରିକି ଅଶୋକ ଦଳରେ ଯୋଗ ଦେବା ପରେ ବିଜେପିର ଜିଲ୍ଲା ସଭାପତି ନାରାୟଣ ସାହୁ ପଦ୍ମ ଦଳ ଛାଡି ଶଙ୍ଖ ଧରିଛନ୍ତି । ଯାହା ବିଜେପିକୁ ଶକ୍ତ ଧକ୍କା ଦେଇଛି । କେବଳ ନାରାୟଣ ନୁହେଁ ଅଶୋକଙ୍କୁ ନେଇ ଦଳର ତୃଣମୁଳ ସ୍ତରରେ ଖୁଲମଖୁଲା ବିରୋଧ ଦେଖିବାକୁ ମିଳିଛି । ଏପରିକି ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଚ୍ୟାଲେଞ୍ଜ କରି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର ରଣହୁଙ୍କାର ଦେଇଛନ୍ତି । ପ୍ରମୋଦ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକଙ୍କ ବିରୋଧରେ ଲଢିବାକୁ ସ୍ଥିର କରିଛନ୍ତି । ଯାହା ଅଶୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଅସନ୍ତୁଷ୍ଟ କର୍ମୀ ର୍ହି ଅଶୋକଙ୍କ ବିଜୟ ପଥରେ ଅନ୍ତରାୟ ସୃଷ୍ଟି କରିବେ ଏଭଳି ଆଭାସ ମିଳୁଛି ।
ପ୍ରଣୟ ସାହୁ : ବହୁ ବାଦ ବିବାଦ ପରେ ବିଜେପୁର ପାଇଁ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଡେରିରେ ହେଉ ପଛେ ପ୍ରଣୟଙ୍କୁ ସାରଥୀ କରି ବିଜେପୁର ମହାଭାରତ ଯୁଦ୍ଧରେ କଂଗ୍ରେସ ନିଜର ରଥ ଗଡାଇବାକୁ ନିଷ୍ପତି ନେଇଛି । ତେବେ ପ୍ରାର୍ଥୀ ହେବା ପରେ ପ୍ରଣୟ କହିଛନ୍ତି ସେ ଚଳିତ ଉପନିର୍ବାଚନରେ ନିଶ୍ଚିତ ବିଜୟୀ ହେବେ । ପ୍ରଣୟଙ୍କ ଏଭଳି ଦୃଢୋକ୍ତି ପଛରେ ବଡ କାରଣ ହେଲା ବିଜେପୁର ହେଉଛି କଂଗ୍ରେସର ପାରମ୍ପରିକ ଗଡ । ଏହି ଆସନରୁ ସ୍ୱଗତଃ ସୁବଳ ସାହୁ ତିନି ତିନି ଥର କଂଗ୍ରେସରୁ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏପରିକି ୨୦୧୪ ନିର୍ବାଚନରେ ପୂରା ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ତଥା ଦେଶର ମୋଦି ମାନିଆ କାମ କରିଥିବା ବେଳେ ବିଜେପୁରରେ ଏହାର କାଣିଚାଏ ପ୍ରଭାବ ମଧ୍ୟ ପଡିନଥିଲା । ଏଠାରେ କଂଗ୍ରେସର ଏକ ଭୋଟ ବ୍ୟାଙ୍କ ରହିଛି । ଯାହା ସୁବଳଙ୍କ ବିଜୟଙ୍କ ସୁଗମ କରୁଥିଲା । କେବଳ କଂଗ୍ରେସର ଭୋଟ ବ୍ୟାଙ୍କ ନୁହେଁ ଗାଇସିଲଟ ବ୍ଲକରେ ପ୍ରଣୟଙ୍କର ଏକ ବଡ ସଂଗଠନ ମଧ୍ୟ ରହିଛି । ଯାହା ତାଙ୍କ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଛି ।
ପ୍ରଣୟ ଟିକେଟ ପାଇଲେ ସତ କିନ୍ତୁ ଏତେ ସହଜରେ ତାଙ୍କୁ ବିଜେପୁରରେ ବିଜୟ ମିଳିବ ନାହିଁ । କାରଣ ତାଙ୍କ ବିଜୟ ପଥରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ହିଁ ଅନ୍ତରାୟ ସୃଷ୍ଟି କରିବ । ଏହାଛଡା ରାଜ୍ୟ ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ଯେଉଁଭଳି ଗୋଷ୍ଠୀ କନ୍ଦଳ ଲାଗି ରହିଛି ତାହା ବିଜେପୁରରେ ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହି କାରଣ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନରେ ଏତେ ବିଳମ୍ବ ହେଲା ।ଏପରିକି ପ୍ରଣୟଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳରେ ଅସନ୍ତୋଷ ମଧ୍ୟ ରହିଛି । ତେଣୁ ନିର୍ବାଚନ ସମୟରେ ଦଳୀୟ ନେତାଙ୍କ ଯଦି ଗୃହଭେଦୀ ବିଭିଷଣ ସାଜନ୍ତି ତେବେ ଏହା ପ୍ରଣୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
ଏହାଛଡା ପ୍ରଣୟ ଯେଉଁ କଂଗ୍ରେସ ଭୋଟ ବ୍ୟାଙ୍କ କଥା କହୁଛନ୍ତି ତାହା ଢେର ଦିନ ଆଗରୁ ବିଭାଜିତ ହୋଇ ସାରିଛି । କାରଣ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କୁ ଭଲ ପାଉଥିବା କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇ ସାରିଛନ୍ତି । ତେଣୁ କଂଗ୍ରେସ ଗଡ କିଛି ମାତ୍ରାରେ ଭୁଷୁଡି ଯାଇଛି । ଏହାବାଦ ଦଳ ଭିତରେ ଲାଗି ରହିଥିବା ଗୋଷ୍ଠି କନ୍ଦଳ କଂଗ୍ରେସ ସଂଗଠନକୁ ଆହୁରି ରସାତଳଗାମୀ କରୁଛି । ତେଣୁ ପ୍ରଣୟଙ୍କ ବଡ ଚ୍ୟାଲେଞ୍ଜ ହେବ କିପରି ଭାବେ ସେ କଂଗ୍ରେସର ପାରମ୍ପରିକ ଗଡକୁ ରକ୍ଷା କରିବାରେ ସକ୍ଷମ ହେବେ ।