ନାମାଙ୍କନକୁ ତିନିଦିନ ବାକି, ଚୂଡାନ୍ତ ହୋଇପାରୁନି କଂଗ୍ରେସର ବିଜେପୁର ପ୍ରାର୍ଥୀ : ରିପୁନାଥ ସେଠ୍ ଓ ପ୍ରଣୟ ସାହୁଙ୍କୁ ନେଇ ନେତାଙ୍କ ଭିତରେ ଛକାପଂଝା

28

କନକ ବ୍ୟୁରୋ :  ବିଜେପୁର ପାଇଁ କିଏ କଂଗ୍ରେସ ପ୍ରାର୍ଥୀ ହେବେ ତାକୁ ନେଇ ଏବେବି ସସପେନ୍ସ । ପ୍ରଣୟ ସାହୁ ବନାମ ରିପୁନାଥ ସେଠ୍ । କାହାକୁ ବାଛିବେ ହାଇକମାଣ୍ଡ । ରାଜ୍ୟରୁ ଯାଇଛି ଦୁଇ ପ୍ରକାରର ମତ, ଯାହା ହାଇକମାଣ୍ଡଙ୍କୁ ଦ୍ୱିଧାରେ ପକାଇଛି । କୁହାଯାଉଛି, ଏଆଇସିସି କମିଟି ଆଉ ପ୍ରସାଦଙ୍କ ମତ ଭିତରେ ଫରକ୍ ହିଁ ସବୁ ବିବାଦର ମୂଳ ।

ନାମାଙ୍କନ ପତ୍ର ଦାଖଲ କରିବାକୁ ୩ଦିନ ବାକି ଥିବା ବେଳେ ପ୍ରାର୍ଥୀ ଚୟନରେ ବିଳମ୍ବ ଏବେ କଂଗେସ କର୍ମୀ ଓ ନେତାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଟିକେଟ ପାଇଁ ଦୁଇ ଜଣଙ୍କର ଆଶା ରହିଛି । ଅନୁମାନ କରାଯାଉଛି, ଜଣେ ପ୍ରାର୍ଥୀ ହେଲେ ଆଉ ଜଣେ ବିଦ୍ରୋହୀ ହୋଇପାରନ୍ତି ।
ଏହାରି ଭିତରେ କିନ୍ତୁ ଗୁଗଲି ମାରିଛନ୍ତି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ । ପ୍ରାର୍ଥୀ ଚୟନ ଉପରେ ଅନ୍ୟ ଦଳର ପ୍ରଭାବ ଆଶଙ୍କାକୁ ସେ ଏଡାଇ ପାରୁନାହାନ୍ତି ।

କଂଗ୍ରେସ ଟକେଟ ପାଇଁ ରେସରେ ଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଓ ଗାଏସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ ରାଜଧାନୀରେ କ୍ୟାମ୍ପ ପକାଇଛନ୍ତି । ଅନ୍ୟପଟେ ହାଇକମାଣ୍ଡଙ୍କୁ ଯାଇଥିବା ରିପୋର୍ଟ ଉପରେ ବିଜେପୁରର କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି । ଚିଠି ଲେଖି ପ୍ରତିବାଦ କରିଛନ୍ତି ।

କଂଗ୍ରେସର ପ୍ରାର୍ଥୀ ଚୟନ ଉପରେ କିନ୍ତୁ ବିଜେପି ଓ ବିଜେଡିର ତୀକ୍ଷ୍ଣ ନଜର ରହିଛି । ଯଦି ପ୍ରଣୟ ସାହୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେପି ଘାଟା ସହିବାକୁ ଥିବା ବେଳେ ରିପୁନାଥ ପ୍ରାର୍ଥୀ ହେଲେ ପ୍ରଣୟଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେଡି ଉଦ୍ୟମ କରିବ ।ରାଜ୍ୟ କଂଗ୍ରେସରେ ନେତୃତ୍ୱ କନ୍ଦଳ ପରେ ଏବେ ବିଜେପୁରକୁ ନେଇ କନ୍ଦଳ । ତେଣୁ ବିଜେପୁରରେ କିଏ କଂଗ୍ରେସ ମଙ୍ଗ ଧରୁଛି ଏବଂ ଗଡ ବଂଚାଇବାକୁ କଂଗ୍ରେସ ପରିବାର ଏକାଠି ହେଉଛନ୍ତି କି ନାହିଁ, ତା ଉପରେ ନଜର ।