କନକ ବ୍ୟୁରୋ : ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପୁରରେ ବିଭିନ୍ନ ଦଳର ନେତାମାନେ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଏହାର ତାତି ଅନୁଭୂତ ହେଉଛି । ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ବରିଷ୍ଠ ନେତା ରିପୁନାଥ ସେଠଙ୍କର ମାନଭଞ୍ଜନ କରିଛନ୍ତି। ଅନ୍ୟପଟେ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ତ୍ୟାଗକୁ ଗୁଜବ ବୋଲି କହିଥିଲେ ହେଁ, ଅସନ୍ତୋଷ ଝାଡିବାକୁ ଭୁଲିନାହାନ୍ତି। ବିଜେଡି କିନ୍ତୁ ପୁଣି ଜୋର ଦେଇ କହିଛି ଯେ ବିଜେପୁର ଉପନିର୍ବାଚନରେ ସେମାନଙ୍କୁ କେହି ଅଟକାଇପାରିବେ ନାହିଁ।
ତେବେ ମିଳିଥିବା ସୂଚନା ଅନୁସାରେ, ବିଜେପି ଶିବିରକୁ ଚଳଚଞ୍ଚଳ କରିବା ଲାଗି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ପ୍ରଚାର ପାଇଁ ଯାଉଥିବା ଜଣାପଡିଛି। ଦଳ ପାଇଁ ସେ ମାରାଥନ୍ ପ୍ରଚାର କରିବେ। ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ସାଧାରଣ ସଭାରେ ସେ ଯୋଗଦେବେ। ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ତାଙ୍କ ରୋଡ ସୋ କାର୍ଯ୍ୟକ୍ରମ ରହିଛି। ଏହି ରୋଡ ସୋ ବିଜେପୁର ଓ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଯିବ। ଅପରାହ୍ନ ୪ଟାରେ ବରପାଲି ବ୍ଲକ ଅଗଲପୁରରେ ଆଉ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
ସେହିଭଳି କଂଗ୍ରେସ ମଧ୍ୟ ପ୍ରସ୍ତୁତି ଚଳାଇଛି। ଦଳ ପାଇଁ ପ୍ରଚାର କରିବେ ରିପୁନାଥ ସେଠ। ରିପୁନାଥଙ୍କ ଅଭିମାନ ଦୂର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ ଘରେ ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପରେ ପିସିସି ସଭାପତି କହିଥିଲେ ଯେ ଶ୍ରୀ ସେଠ କଂଗ୍ରେସ ଦଳରେ ଦୀର୍ଘ ୪୦ ବର୍ଷ ଧରି କାମ କରିଛନ୍ତି। ଏହି ଉପନିର୍ବାଚନରେ ସେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବା ନେଇ ଆଶା ରଖିଥିଲେ। ସେଥିପାଇଁ ତାଙ୍କ ମନରେ କିଛିଟା କ୍ଷୋଭ ଥିଲା। କିନ୍ତୁ ସେ କେବେ ବି ଦଳର ନେତା କିମ୍ବା ଦଳ ବିରୋଧରେ ମତ ମନ୍ତବ୍ୟ ଦେଇନାହାନ୍ତି। କଂଗ୍ରେସକୁ ବଦନାମ କରିବା ସହ ତାଙ୍କୁ ବଦନାମ କରିବାକୁ ଏପରି ଅପପ୍ରଚାର କରାଯାଉଛି। ବିଶେଷକରି ଗଣମାଧ୍ୟମ ଏପରି ଖବର ପ୍ରଚାର କରୁଥିବା ନେଇ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ସେ କହିଥିଲେ, ରିପୁନାଥ ସେଠ ଜଣେ ବରିଷ୍ଠ ନେତା। ତାଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀର କୌଣସି ଗୋଟିଏ ଜୋନର ଦାୟିତ୍ବରେ ରଖାଯିବନି। ବରଂ ୭ଟି ପଞ୍ଚାୟତର ସାମଗ୍ରିକ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ସେ ମଧ୍ୟ ରାଜି ହୋଇଛନ୍ତି। ଏହି ଉପନିର୍ବାଚନରେ ସେ ପୂରା ନିର୍ବାଚନମଣ୍ଡଳୀ ପାଇଁ କିନ୍ତୁ ପ୍ରଚାର କରିବେ।
ଅନ୍ୟପଟେ ଶ୍ରୀ ସେଠ କହିଥିଲେ, ଉପନିର୍ବାଚନକୁ ନେଇ ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ଦାୟିତ୍ବ ମିଳିନଥିବାରୁ ତାଙ୍କ ମନରେ କିଛିଟା ବ୍ୟକ୍ତିଗତ ଅସନ୍ତୋଷ ଥିଲା। ସଭାପତିଙ୍କ ସହ ଆଲୋଚନା ପରେ ସେ ମତାନ୍ତର ଦୂର ହୋଇଛି। କଂଗ୍ରେସ ଏବେ ଏକ ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ସେ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ନୁହଁ, କଂଗ୍ରେସ ପାଇଁ ପ୍ରଚାର କରିବେ। ୨୦୧୯ ସାଧାରଣ ନିର୍ବାଚନରେ ଯେପରି ମୁଖ୍ୟମନ୍ତ୍ରୀଙ୍କ ସହ ମୁକାବିଲା କରିଥିଲେ ସେହିପରି ଏଥର କ ଉପନିର୍ବାଚନରେ କଂଗ୍ରେସ ପାଇଁ ପୂର୍ଣ୍ଣପ୍ରାଣରେ ଉଦ୍ୟମ କରିବେ ବୋଲି ଶ୍ରୀ ସେଠ କହିଥିଲେ। ପୂର୍ବରୁ ରିପୁୁନାଥ ରୋକଠୋକ ମନା କରିଦେଇଥିଲେ ଯେ, ସେ ବିଜେପୁର ଉପ ନିର୍ବାଚନରେ ପ୍ରଚାର କରିବେ ନାହିଁ। ଏକଥା ବି କହିଥିଲେ, ୨୦୧୮ ମସିହାର ଭୁଲକୁ ପୁଣି ଥରେ ଦୋହରାଇ କଂଗ୍ରେସକୁ ମୂଳପୋଛ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏଠି ନେତା ସଚ୍ଚୋଟ ନ ଥିବାରୁ କର୍ମୀ ମାନେ କିପରି ସଚ୍ଚୋଟ ହେବେ ବୋଲି ପ୍ରଶ୍ନ କରିଥିଲେ। ଏହି ବିବାଦର ପରିସମାପ୍ତି ପରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ କର୍ମୀ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବେ ବୋଲି ଦଳୀୟ ନେତା ଆଶା ପ୍ରକଟ କରିଛନ୍ତି।
ସେପଟେ କିନ୍ତୁ ବିଜେପି ଘରେ ପୁଣି କେଁ ବାହାରିଲାଣି। ୨୦୧୮ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳୀୟ ନେତାଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ଅଶୋକ ଗଣମାଧ୍ୟମ ସାମ୍ନାରେ ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦିନେ ଦୁଇ ଦିନ ଭିତରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସିଧାସଳଖ କହିଛନ୍ତି। ବିଜେପୁର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଶୋକଙ୍କ ଅସନ୍ତୋଷ ଦଳ ପାଇଁ ଶୁଭଦାୟକ ମନେହେଉନାହିଁ। ବିଜେପୁରରେ ପ୍ରଚାର ସରଗରମ ହେବାକୁ ଯାଉଥିବା ବେଳେ ଅଶୋକଙ୍କ ଏପରି ବୟାନ ବିଜେପିକୁ ଅକଳରେ ପକାଇଛି ।
ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଦାମ ବାବୁଙ୍କ ପରି ତାଙ୍କୁ ବି ଦଳ ଅଣଦେଖା କରୁଛି। ଉପନିର୍ବାଚନର ତାରକା ପ୍ରଚାରକ ତାଲିକାରେ ତାଙ୍କ ନାମ ନାହିଁ। ଦଳର ସଂସଦୀୟ କମିଟି ପ୍ରାର୍ଥୀ ଚୟନ କରିଥାଏ, କିନ୍ତୁ ତାଙ୍କୁ ଯେପରି ଭାବେ ଏହି ଉପନିର୍ବାଚନରେ କୌଣସି ସାଂଗଠନିକ କାର୍ଯ୍ୟରୁ ବିରତ ରଖାଯାଇଛି ସେ ନେଇ ତାଙ୍କ କର୍ମୀମାନେ ଘୋର ଅସନ୍ତୁଷ୍ଟ ଅଛନ୍ତି। ଦଳର କୌଣସି କାର୍ଯ୍ୟରେ ତାଙ୍କୁ ଡକାଯାଉନାହିଁ। ଏହା ସତ୍ତ୍ବେ ସେ ବିଜେପିର ଜଣେ ସଚ୍ଚୋଟ କର୍ମୀଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଦଳ ଛାଡ଼ିବା ନେଇ ଯେଉଁ ଖବର ପ୍ରଚାର ହେଉଛି ତାର କୌଣସି ସତ୍ୟତା ନଥିବା ସେ କହିଛନ୍ତି।
ଇତିମଧ୍ୟରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ,ବିଜେପୁର ଉପ ନିର୍ବାଚନ ପ୍ରଚାରରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଯିବେ। ବିରୋଧୀ ଯେତେ ଯାହା କହିଲେ ବି ବିଜେଡି ପ୍ରାର୍ଥୀ ରୀତା ସାହୁ ବହୁ ବ୍ୟବଧାନରେ ଉପନିର୍ବାଚନରେ ବିଜୟ ଲାଭ କରିବେ।ଉଲ୍ଲେଖଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ଏହି ଆସନଟି କଂଗ୍ରେସ ହାତରେ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡି ଏହାକୁ ଛଡାଇ ନେଇଥିଲା। ପରେ ଗତ ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇଥିଲେ । ଏହି ସଂଖ୍ୟାରେ ଭୋଟ ଯେଭଳି ଅତୁଟ ରହେ , ସେନେଇ ବିଜେଡି ନେତାମାନେ କସରତ ଚଳାଇଥିବା ନେତାମାନେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/BIJEPUR-7.jpg)