ବିଜେପୁରରେ ଶକ୍ତି ବଢାଉଛି ବିଜେଡି ! ଆଜି ବିଜେଡିରେ ମିଶିବେ ବରପାଲି ଏନଏସି୍ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

38

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ଜିତିବାକୁ ସମସ୍ତ ରାଜନୈତିକ ବଳ କୌଶଳ ଲଗାଇ ଦେଇଛି ବିଜେଡି । ନିର୍ବାଚନ ତାରିଖ ଘୋଷଣା ହୋଇନଥିବାବେଳେ ଜୋର ଧରିଛି ଯୋଡତୋଡର ରାଜନୀତି । ଏହି କ୍ରମରେ ଆଜି ବିଜେଡିରେ ଯୋଗ ଦେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ଏନଏସିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ କଂଗ୍ରେସର ଏହି ବ୍ଲକସ୍ତରୀୟ ନେତା । ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ । ଏଥିସହ ବିଜପେିର ଅନେକ ତୁଙ୍ଗନେତା ମଧ୍ୟ ବିଜେଡିରେ ଯୋଗଦେବା ପାଇଁ ଆଗ୍ରହୀ ଥିବା ସେ କହିଛନ୍ତି । ଏପରିକି ସେମାନେ ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି ସୁଶାନ୍ତ ସିଂହ ।

ହେଲେ ଏହାରି ଭିତରେ ସମସ୍ତଙ୍କ ନଜର ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ । କାରଣ, ନିର୍ବାଚନରେ ଜହାରିବା ପରେ ହାଇକୋର୍ଟ ଯାଇଥିଲେ ପ୍ରସନ୍ନ । ପ୍ରସଙ୍ଗ ବିଚାରାଧୀନ, ତେଣୁ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରୁନି । ସୁଚନା ଅନୁସାରେ, କଟକ ଯାଇ ଆଇନଜୀବିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ।

ଅନ୍ୟପଟେ ଉପ-ନିର୍ବାଚନ ନେଇ ବିଜେପୁରରେ ପାଗ ଉଷ୍ମ ହୋଇଛି । ଅଧା ପଡିଥିବା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଠିଛି ଦାବି । ନଚେତ୍ ଭୋଟ୍ ବର୍ଜନ କରିବାକୁ ନାଲିଆଖି । ତେବେ ନିର୍ବାଚନ ଗୋଟିଏ ହେଲେ ପ୍ରଭାବ ଅନେକ । ଫଳ ଯାହା ଆସିବ ତାହା ଅନେକ ରାଜନୈତିକ ଦିଶା ନିର୍ଦ୍ଧାରଣ କରିବ । ବିଜେଡି ବାଜିମାରିଲେ ବିଜେପିର ଦାବି ଫୁସକି ଯିବ, ଆଉ ବିଜେପି ବାଜିମାରିଲେ ବାର୍ତ୍ତା ଯିବ, ଓଡିଶା ବଡ ପରିବର୍ତ୍ତନ ପାଇଁ ମନ ବଳାଇଲାଣି । ତେଣୁ ସମସ୍ତ ପ୍ରକାର କୈାଶଳ ଆପଣାଇ ବିଜେପୁର ଦଖଲ କରିବାକୁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ପ୍ରୟାସ ।