ବାହିନୀପତିଙ୍କ ‘ଗାନ୍ଧୀ’ ବାହାନା ! ବିଜେପୁରରେ ହାତ ହାରିବା ପରେ ଗାନ୍ଧୀଙ୍କ ନୀତି ଆଦର୍ଶର ନୂଆ ନାଟକ କଲେ ତାରା ?

1,213

କନକ ବ୍ୟୁରୋ: ବିଜେପୁରରେ ବଜାୟ ରହିଲା ବିଜେଡିର ଦବଦବା । ଲଗାତାର ତିନି ତିନି ଥର ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଆଉ ପୁଣି ଅକ୍ଟୋବରର ଏ ଉପ ନିର୍ବାଚନରେ ବାଜି ମାରିନେଲା ବିଜେଡି । ଗୁରୁବାର ପୁଣି ବିଜେପୁର ଗଡକୁ ସବୁଜ ଗଡ କଲା ବିଜେଡି । ତେବେ ଗତଥର ଅପେକ୍ଷା ଏଥର ଉଭୟ ବିଜେପି ଓ କଂଗ୍ରେସ ଠାରୁ ଉଡିଉଡି ଜିତିଛି ବିଜେଡି । ସବୁ ପ୍ରାର୍ଥୀଙ୍କ ଠାରୁ ଢେର ବ୍ୟବଧାନରେ ଜିତିବା ସହ ବିଗତ ବର୍ଷମାନଙ୍କର ସବୁ ରେକର୍ଡ ଭାଙ୍ଗି ବିଜୟ ମୁକୁଟ ପିନ୍ଧିଛନ୍ତି ରୀତା ସାହୁ । ତେବେ ଏଥର ବି ବିଜେପୁର ମାଟିରେ କଂଗ୍ରେସ ହାତ ଟେକି ପାରିନଥିବା ବେଳେ ପରାଜୟ ପରେ ନୀତିବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ବିଜେପୁରରେ ବିଜେଡି ଟଙ୍କା ଶ୍ରାଦ୍ଧ କରିଛି ମାତ୍ର ଆମେ ଟଙ୍କାଟିଏ ବି ଖର୍ଚ୍ଚ କରିନୁ । ଟଙ୍କା ଖର୍ଚ୍ଚ କରିବା କଂଗ୍ରେସର ନୀତି ଆଦର୍ଶ ନୁହେଁ । ଆମେ ଗାନ୍ଧୀଙ୍କ ନୀତିକୁ ମାନୁ ଥିବାରୁ ଏହା ଆମ ନୀତି ବାହାରେ ବୋଲି ତାରା କହିଛନ୍ତି । ତେବେ ବିଜେପୁର ମତଦାନ ପରଠାରୁ ‘ହାତ’ର ହାରଜିତ ନେଇ ତାରା ସବୁଦିନ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବିଜେପୁରରେ କଂଗ୍ରେସର ସ୍ଥିତି ଭଲ ନାହିଁ ତେଣୁ ସେମାନେ ହାରୁଛନ୍ତି ବୋଲି ପ୍ରଥମେ ତାରା କହିଥିଲେ ମାତ୍ର ତା ପର ଦିନ ମିଡିଆ ଆଗରେ କହିଥିବା କଥାକୁ ଢୋକି ଦେଇଥିଲେ ତାରା । ଦିଲ୍ଲୀପ ପଣ୍ଡା ଭଲ ପ୍ରାର୍ଥୀ ଥିବାରୁ ଲୋକେ ତାଙ୍କୁ ଭୋଟ ଦେଇଛନ୍ତି ତେଣୁ ବିଜେପୁରରେ ଆମର ବିଜୟ ସୁନିଶ୍ଚିତ ବୋଲି ତାରା ଛାତି ବାଡେଇ କହିଥିଲେ । ହେଲେ ଫଳ ବାହାରିବା ପରେ ତାରାଙ୍କ ସବୁ ଦମ୍ଭ ଦୋହଲି ଯାଇଛି ।

ତେବେ କଂଗ୍ରେସର ସ୍ୱଚନୀୟ ପରାଜୟକୁ ତାରା ସିଧାସିଧା ସ୍ୱୀକାର କରିନଥିଲେ ବି ହାତର ହାରିବା ପଛରେ ଶଙ୍ଖର ପୁଳାପୁଳା ଟଙ୍କାକୁ ଦାୟୀ କରିଛନ୍ତି । ସୁବଳ ସାହୁଙ୍କ ଦେହାନ୍ତ ପର ଠାରୁ ବିଜେପୁରରେ ହାତ ଟେକି ପାରିନି କଂଗ୍ରେସ । ଲାଗାତାର ତିନି ତିନି ଥର ହାତ ବିଜେପୁର ମାଟିରେ କଚାଡି ହୋଇ ପଡୁଥିବା ବେଳେ ଆଜିର ଏ ବିଫଳତା ପାଇଁ ତାରା ଗାନ୍ଧୀନୀତିର ବାହାନା କରିଛନ୍ତି । ଆଉ ଗାନ୍ଧୀଙ୍କ କଥା ଉଠାଇ ତାରା ରାଜନ÷÷ତିକ ନାଟକରେ ନୂଆ ରଙ୍ଗ ମାରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।