କିଏ ମାରିବ ବାଜି ? ବିଜେପୁର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି

Advertisment
କିଏ ମାରିବ ବାଜି ? ବିଜେପୁର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି

କନକ ବ୍ୟୁରୋ : ଦୀର୍ଘ ୬ ମାସ ଧରି ଚାଲିଥିବା ବିଜେପୁର ହାଇଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିବ । ଆଜି ସକାଳ ୮ଟା ବେଳେ ପଦ୍ମପୁରସ୍ଥିତ ଅଞ୍ଚଳ କଲେଜ କ୍ୟାମ୍ପସରୁ ଜଣାପଡିବ, କାହାକୁ ବିଧାୟକ ଭାବେ ବାଛିଲେ ବିଜେପୁରବାସୀ । ଅପରାହ୍ନ ସୁଦ୍ଧା ଫଳାଫଳ ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଏହି ଉପନିର୍ବାଚନରେ ବିଜେଡି ପକ୍ଷରୁ ରୀତା ସାହୁ, କଂଗ୍ରେସର ପ୍ରଣୟ ସାହୁ ଓ ବିଜେପିର ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ ହୋଇଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ଫଳାଫଳକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ନେତା ଓ ନେତୃତ୍ୱ ହିସାବ କିତାବରେ ବ୍ୟସ୍ତ ଅଛନ୍ତି । ଯଦିଓ ଆଜି ପୂର୍ବାହ୍ନରେ ହିଁ ଫଳାଫଳ ସଂପର୍କରେ ସ୍ପଷ୍ଟ ସଙ୍କେତ ମିଳିଯିବ, ତଥାପି ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜ ନିଜ ସପକ୍ଷରେ ଯୁକ୍ତି ରଖୁଛନ୍ତି । କଂଗ୍ରେସ ଏବେଠାରୁ ହାତଟେକି ଦେଲାଣି। ଏଥିସହିତ ବିଜେପୁର ରାୟକୁ ନେଇ ନେତାମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ୨୪ ତାରିଖରେ ହୋଇଥିବା ବିଜେପୁର ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ମଙ୍ଗଳବାର ଅର୍ଥାତ୍ ଗତକାଲିଠାରୁ ବିଭିନ୍ନ ଦଳର ବଛା ବଛା ନେତା ଏବଂ କର୍ମୀ ପଦ୍ମପୁରରେ କ୍ୟାମ୍ପ କରି ସାରିଲେଣି । ଆଜି ସକାଳ ୮ଟାରୁ ପଦ୍ମପୁରସ୍ଥିତ ଅଂଚଳ କଲେଜରେ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ନିର୍ବାଚନ କମିସନ ସମୟ ଧାର୍ଯ୍ୟ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ୧୪ଟି ଟେବୁଲରେ ଗଣତି ଚାଲିବ । ଗୋଟିଏ ଟେବୁଲରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ, ରିଟର୍ଣ୍ଣିଂ ଅଫିସର ଏବଂ ସହଯୋଗୀ ରହିବେ। ନିର୍ବାଚନ ମଣ୍ଡଳୀରେ ୨୮୧ଟି ବୁଥରେ ମତଦାନ ହୋଇଛି । ତେଣୁ ୨୧ ରାଉଣ୍ଡ ଗଣତି ହେବ । ଗୋଟିଏ ରାଉଣ୍ଡରେ ଏକାଥରକେ ୧୪ଟି ବୁଥର ଭୋଟ୍ ଗଣାଯିବ। ଗୋଟିଏ ରାଉଣ୍ଡ ଗଣତି ପାଇଁ ପ୍ରାୟ ୧୫ ମିନିଟ୍ ସମୟ ଲାଗିବ । ସବୁ ସୁରୁଖୁରୁରେ ଚାଲିଲେ ଅପରାହ୍ନ ୨ଟା ମଧ୍ୟରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ସାରିଥିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପୀରାମ ମାଝୀ ସୂଚନା ଦେଇଛନ୍ତି । ଉପନିର୍ବାଚନ ତାତିକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି ସ୍ତରରେ ଓଡ଼ିଶା ପୁଲିସର ୨ଟି ସେକ୍ସନ ଯବାନ ମୁତୟନ ରହିଛନ୍ତି । ଅନ୍ୟଟିରେ ଗୋଟିଏ କମ୍ପାନି ସିଆରପିଏଫ୍ ଯବାନ ଦାୟିତ୍ୱ ସମ୍ଭାଳିବେ । ଆବଶ୍ୟକ ସ୍ଥଳେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ତଦାରଖ ପାଇଁ ଭୋଟ ଗଣତି କେନ୍ଦ୍ର ଭିତରେ ଏବଂ ବାହାରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ରହିଛନ୍ତି ବୋଲି ଜଣାପଡ଼ିଛି ।

ସବୁ ଦଳ ପାଇଁ ସମ୍ମାନ ପ୍ରଶ୍ନ ! ପଦ୍ମପୁରରେ ନେତାଙ୍କ କ୍ୟାମ୍ପ୍ । ୧୪ଟି ଟେବୁଲରେ ୨୧ ରାଉଣ୍ଡ ଗଣତି

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ସବୁ ଦଳ ପାଇଁ ବିଜେପୁର ବିଜୟ ସମ୍ମାନର ପ୍ରଶ୍ନ ହୋଇ ଛିଡା ହୋଇଛି । ସ୍ୱାଭାବିକ ଭାବେ କଂଗ୍ରେସ ଚତୁର୍ଥ ଥର ପାଇଁ ଏହି ଆସନ ହାତେଇବା ଲାଗି ଆଗ୍ରହ ରଖିବ । ଏହାବ୍ୟତୀତ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ନେଇ ଦଳରେ ବିବାଦ ଥିବା ପରିପ୍ରେକ୍ଷୀରେ ଏ ଦିଗରେ ମଧ୍ୟ ଏହି ଉପନିର୍ବାଚନ ଫଳାଫଳ ଅନେକ ମହତ୍ୱ ରଖୁଛି । ଯେହେତୁ ବିଧାୟକ ଯୋଗେଶ ସିଂ ବିଧାୟକ ପଦବିକୁ ନେଇ କୋର୍ଟରେ ମାମଲା ରହିଛି, ବିରୋଧୀ ଦଳ ଆସନଟି ନିଜ ହାତରେ ରଖିବାକୁ ହେଲେ ବିଜେପୁରରେ ବାଜିମାତ୍ କରିବା କଂଗ୍ରେସ ପାଇଁ ନିତ୍ୟାନ୍ତ ଆବଶ୍ୟକ । ସେହିଭଳି ମିସନ ୧୨୦+ ସଂପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଘୋଷଣାର ଏସିଡ୍ ଟେଷ୍ଟ ହେବ ବିଜେପୁରରେ । ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ଦବଦବା ଦେଖାଇଥିବା ବେଳେ ଏହି ୧୦ମାସ ମଧ୍ୟରେ ଭୋଟର ଦଳ ସହିତ ରହିଛନ୍ତି ଅଥବା ମୁହଁ ମୋଡିଦେଲେ ଏଠାରେ ପରୀକ୍ଷା ହେବ । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳ ଏହି ଉପନିର୍ବାଚନ ଲଢୁଥିବାରୁ ତାଙ୍କର ପତିଆରା ବଢିବ କି କମିବ, ତାହା ବି ବିଜେପୁର ଫଳାଫଳରୁ ସଙ୍କେତ ମିଳିବ । ବିଜେଡି ପାଇଁ ଏହି ଆସନଟି ଅତ୍ୟନ୍ତ ଗୁରୁତ୍ୱ ରଖୁଛି । ଦଳ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରି ସମବେଦନା ଗୋଟାଇ ପାରିଲା କି ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗା, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇକୁ ଆକ୍ରମଣ ଘଟଣାର କେତେ ପ୍ରଭାବ ପଡିଛି, ସେ ବାର୍ତା ଆଜିର ଫଳାଫଳ ନିର୍ଣ୍ଣୟ କରିବ । ରାଜ୍ୟ ସରକାରଙ୍କ ବିକାଶର ନାରାକୁ ବିଜେପୁରବାସୀ ଗ୍ରହଣ କରୁଛନ୍ତି ବା ପ୍ରତ୍ୟାଖ୍ୟାତ ହେଲା, ବିଜେପୁର ଉପନିର୍ବାଚନରୁ ଏହାର ଆଭାସ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe