ରାତି ପାହିଲେ ତାତି ବଢିବ ! ହିସାବ ଓଲଟପାଲଟ ଆଶଙ୍କାରେ ତିନି ଦଳର ମଙ୍ଗୁଆଳ, ପ୍ରାର୍ଥୀଙ୍କ ମନରେ ଉଙ୍କି ମାରୁଛି ମାଳ ମାଳ ପ୍ରଶ୍ନ

50

କନକ ବ୍ୟୁରୋ : ଆସନ୍ତାକାଲି ବିଜେପୁର ରେଜଲ୍ଟ । କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । ଗତ ଏକ ମାସ ଧରି ଯେଉଁ ରାଜନୈତିକ କସରତ୍ ଚାଲିଥିଲା ରାତି ପାହିଲେ ଆସିବ ତାହାର ଫଳାଫଳ । ଗତ ୨୪ ତାରିଖ ଦିନ ବିଜେପୁରବାସୀଙ୍କ ମତ କଏଦ ହୋଇ ରହିଛି ଇଭିଏମରେ । ଇଭିଏମ୍ ଖୋଲା ହେବା ସମୟ ଯେତିକି ପାଖେଇ ଆସୁଛି, ଉକ୍ରଣ୍ଠା ସେହି ପରିମାଣରେ ବଢିଚାଲିଛି । ତିନି ପ୍ରାର୍ଥୀଙ୍କ ମନରେ ଯେତିକି ଦ୍ୱନ୍ଦ୍ୱ ରହିଛି ନେତା, କର୍ମୀ, ଜନତାଙ୍କ ମନରେ ସେତିକି ଆଶଙ୍କା ରହିଛି ।

bijepurଆସନ୍ତାକାଲି ବିଜେପୁର ଉପନିର୍ବାଚନର ଭୋଟଗଣତି । ସମୟ ଯେତିକି ପାଖେଇ ଆସୁଛି, ନେତା ଓ କର୍ମୀଙ୍କ ହୃତସ୍ପନ୍ଦନ ସେହି ଅନୁପାତରେ ବଢିବାରେ ଲାଗିଛି । ଏହା ସହ ଲୋକଙ୍କ ଉକ୍ରଣ୍ଠା ମଧ୍ୟ ବଢିବାରେ ଲାଗିଛି । ସବୁ ଇଭିଏମ୍ ପଦ୍ମପୁର ଅଂଚଳ କଲେଜରେ ରଖାଯାଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ସକାଳ ୮ଟାରୁ ଭୋଟ ଗଣତି । ୧୪ଟି ଟେବୁଲରେ ୨୧ ରାଉଣ୍ଡ ଗଣତି ହେବ । ଆଶା କରାଯାଉଛି ଦିନ ୨ଟା ସୁଦ୍ଧା କିଏ ବିଜେପୁର ବାଜି ମାରିବ, ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । ରାତି ପାହିଲେ ହେବ ହିସାବନିକାଶ । ରାତି ବଢୁଛି, ହେଲେ ନେତାଙ୍କ ଆଖିକୁ ନିଦ ଆସୁନାହିଁ । ଛାତି ଧଡ଼ଧଡ଼ ହେଉଛି । କାଳେ ହିସାବ ଓଲଟପାଲଟ ହୋଇଯିବ, ଏହି ଆଶଙ୍କାରେ ତିନି ଦଳର ମୁଣ୍ଡିଆଳ । ନିଜ ଦଳ ବିଜୟ ହେବା ନେଇ ବୟାନ ଦେଉଛନ୍ତି ସତ, କିନ୍ତୁ ମନ ଭିତରେ ମାଳ ମାଳ ପ୍ରଶ୍ନ ।

bijepurବିଜେଡିର ରୀତା ସାହୁ, ବିଜେପିର ଅଶୋକ ପାଣିଗ୍ରାହୀ, କଂଗ୍ରେସର ପ୍ରଣୟ ସାହୁ । ବିଜେପୁର ମଇଦାନରେ ଅଗ୍ନିପରୀକ୍ଷା ଦେଉଛନ୍ତି ଏହି ତିନି ନେତା । କେବଳ ଏହି ନେତା ନୁହେଁ ପୂରା ଦଳର ସମ୍ମାନ ବନ୍ଧା ପଡିଛି ଏହି ଆସନ ପାଇଁ । ବିଶେଷ କରି ପଂଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାରେ ବିଜେପି ଯେଭଳି ଲୋକମତ ହାସଲ କରିଥିଲା, ତାକୁ ପୁଣି ହୋହରାଇବାକୁ ଚାହୁଁଛି ଦଳ । ସେପଟେ ବିଜେଡି ଚାହୁଁଛି ବିଜେପୁରରେ ବିଜୟ । ଏହି ବିଜୟ ସହ ପଶ୍ଚିମ ଓଡ଼ିଶାରେ ଦଳୀୟ ସ୍ଥିତିକୁ ମଜଭୁତ କରିବାକୁ ଚାହୁଁଛି ବିଜେଡି । ଏହି ଆସନ ଦୁଇ ପ୍ରତିଦ୍ୱନ୍ଦି ଦଳ ପାଇଁ କର ବା ମର ସଦୃଶ୍ୟ । କାରଣ ଏହି ଜିତାପଟ ଦଳର ନୈତିକ ମନୋବଳକୁ ବଢାଇବା ସହ ୨୦୧୯ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ସେପଟେ କଂଗ୍ରେସ ମଧ୍ୟ ତା’ର ପାରମ୍ପରିକ ଗଡ଼ ରକ୍ଷା କରିବା ପାଇଁ ଚାହୁଁଛି ।

ତିନିଟି ଦଳ ପାଇଁ ବିଜେପୁର ଏବେ ସମ୍ମାନର ପ୍ରଶ୍ନ । ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା ବେଳେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ଛକାପଂଝା । ୨୦୧୯ ନିର୍ବାଚନକୁ ଫାଇନାଲ ମ୍ୟାଚ୍ କୁହାଯାଉଥିବା ବେଳେ ସେମି-ଫାଇନାଲ ଭାବେ ବିବେଚିତ ହୋଇଛି ବିଜେପୁର ଉପନିର୍ବାଚନ । ବିଜେପୁର ଉପନିର୍ବାଚନ ଓଡ଼ିଶା ପାଇଁ ସାଧାରଣ ଉପନିର୍ବାଚନ ହୋଇ ରହିନାହିଁ । ରାଜନୈତିକ ଦଳଗୁଡିକ ଗତ ଏକ ମାସ ଧରି ଯେଭଳି କସରତ ଚଳାଇଥିଲେ, ତାହା ସାରା ରାଜନୈତିକ ପରିବେଶକୁ ଉଷୁମ କରିଦେଇଥିଲା । ବିଶେଷ କରି ଏହି ଆସନକୁ ଜିତିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଜେଡି ଓ ବିଜେପି । ଏହି ନିର୍ବାଚନର ଫଳାଫଳ ଉପରେ ବାଜି ଲାଗିଛି ରାଜନୈତିକ ଦଳର ଭବିଷ୍ୟତ ।