ବିଜେପୁର ଉପନିର୍ବାଚନ ପାଇଁ ବାଟ ଫିଟିଲା ! ମାମଲାକୁ ଆଗକୁ ବଢାଇବାକୁ ମନାକଲେ ହାଇକୋର୍ଟ

22

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ସବୁଠାରୁ ହାଇପ୍ରୋଫାଇଲ ଲଢେଇ ପାଇଁ ବାଟ ଫିଟିଛି । ବିଜେପୁର ନିର୍ବାଚନ ସଂକ୍ରାନ୍ତରେ ହାଇକୋର୍ଟରେ ଚାଲିଥିବା ମାମଲାକୁ ଆଉ ଆଗକୁ ବଢାଇବାକୁ ମନା କରିଛନ୍ତି ହାଇକୋର୍ଟ । ଅର୍ଥାତ୍ ପୂର୍ବତନ ମନ୍ତ୍ରୀ ତଥା ୨୦୧୪ରେ ବିଜେପୁର ଆସନରୁ ଲଢି ପରାସ୍ତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ମାମଲା ଆଉ ଆଗକୁ ବଢିବନି । ସୁବଳ ସାହୁଙ୍କ ଦେହାନ୍ତ ହୋଇଥିବାରୁ ମାମଲା ଆଗକୁ ଚାଲିବାର ଆବଶ୍ୟକତା ନଥିବା କୋର୍ଟ ଅନୁଭବ କରିଛନ୍ତି ।

bijepur election୨୦୧୪ରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ଠାରୁ ମାତ୍ର ୪୫୮ ଭୋଟରେ ପରାସ୍ତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନକୁ ଅସିଦ୍ଧ ଘୋଷଣା ସହ କାଜୁଆଲ ଭ୍ୟାକେନସୀ ଘୋଷଣା କରିବାକୁ ନିଜ ଆବେଦନରେ ପ୍ରସନ୍ନ ଆଚାର୍ଯ୍ୟ ଦର୍ଶାଇଥିଲେ । ତେବେ ଏହାରି ଭିତରେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇସାରିଥିବାରୁ ମାମଲା ଆଉ ଆଗକୁ ବଢିବାର ଆବଶ୍ୟକତା ନଥିବା କୋର୍ଟ ଅନୁଭବ କରିଛନ୍ତି । ଫଳରେ ବିଜେପୁରରେ ଉପନିର୍ବାଚନ ହେବାର ବାଟ ଫିଟିଯାଇଛି ।

ବିଜେପୁରରେ ହେବାକୁ ଥିବା ଉପନିର୍ବାଚନ ତିନୋଟି ଯାକ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୁର୍ଣ୍ଣ । ୨୦୧୯ରେ ସାଧାରଣ ନିର୍ବାଚନ ଆଗରୁ ଏହା ହେବ ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଏସିଡ୍ ଟେଷ୍ଟ୍ । ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ପ୍ରତିଟି ରାଜନୈତିକ ଦଳ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । କାରଣ ନିର୍ବାଚନର ଏହି ସେମିଫାଇନାଲରେ ବାଜି ମାରିଲେ, ୨୦୧୯ ଫାଇନାଲ ଆଗରୁ ଦଳ ପାଇଦାରେ ରହିବେ ବୋଲି ନେତା ବି ବେଶ ଭଲଭାବେ ଜାଣିଛନ୍ତି । ଆଉ ଏହା ଆଧାରରେ ଗୋଟି ମଧ୍ୟ ଚଳାଇବାରେ ବ୍ୟସ୍ତ ।

Political Parties Gear Up For Bijepur Assembly Bypollବିଜୁ ଜନତା ଦଳ ରେସରେ ଆଗୁଆ ଥିଲା । ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ମିଶାଇ ମାଷ୍ଟର ଷ୍ଟ୍ରୋକ୍ ମାରିଥିଲେ ନବୀନ । କୁହାଯାଉଥିଲା ବିଜେପି ମଧ୍ୟ ଚେଷ୍ଟା ଚଳାଇଥିଲା ରୀତାଙ୍କୁ ନିଜ ଦଳରେ ମିଶାଇବାକୁ । ହେଲେ ବାଜି ମାରିନେଇଥିଲା ବିଜେଡି । ଅନୁକମ୍ପା ଓ କଂଗ୍ରେସ ଭୋଟବ୍ୟାଙ୍କକୁ ଆଖି ଆଗରେ ରଖି ରୀତାଙ୍କୁ ଦଳରେ ମିଶାଇଥିଲେ ନବୀନ । ଖାଲି ଏତିକି ନୁହେଁ, ବିଜେପୁର ନିର୍ବାଚନ ମଣ୍ଡଳୀର ବ୍ଲକ ଓ ଏନଏସି ସ୍ତରର ନେତା ହାତ ଛାଡି ଶଙ୍ଖ ଧରିଥିଲେ । କୁହାଗଲା ଏହା ବିଜେଡିକୁ ଶକ୍ତିଶାଳୀ କରିବ । କାରଣ ବିଜେଡି ସଂଗଠନ ସହ ଯଦି ଅନୁକମ୍ପା ଓ କଂଗ୍ରେସର ଭୋଟ୍ ମିଶିଗଲା ତେବେ ବିଜେଡିର ଶକ୍ତିବୃଦ୍ଧି ଘଟିବ ।

ତେବେ ନବୀନଙ୍କ ଏହି ନିଷ୍ପତି ପଛରେ ସମସ୍ତେ ଖସୁି ନଥିଲେ । ବରଗଡରେ ଉଠିଥିଲା ପ୍ରତିବାଦର ସ୍ୱର । ଚର୍ଚ୍ଚା ହେଲା ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଖୁସିନଥିଲେ । ଏପରିକି ସେ କହିଥିଲେ, ଦଳରେ କିଏ ପ୍ରାର୍ଥୀ ହେବ ତାହା ନିଷ୍ପତ୍ତି ହୋଇନାହିଁ । ସେହିଭଳି ୨୦୦୯ରେ ବିଜେଡି ପ୍ରାର୍ଥୀ ଥିବା ପ୍ରଭାତ ଆଦିତ୍ୟ ମିଶ୍ର ଓ ତୃଣମୁଳସ୍ତରର କିଛି କର୍ମୀ ଏହି ମିଶ୍ରଣକୁ ଖୋଲାଖୋଲି ବିରୋଧ କରିଥିଲେ । ଯାହା ବିଜେଡି ସୁପ୍ରିମୋଙ୍କୁ ବେଶ ଅଡୁଆରେ ପକାଇଥିଲା । ହେଲେ ସବୁ ଅସନ୍ତୋଷକୁ ଚୁପ୍ କରିବାରେ ମାହିର ଥିବା ନବୀନ ଘୋଷଣା କରିଦେଲେ ରୀତା ସାହୁ ହେବେ ବିଜୁ ଜନତା ଦଳର ବିଜେପୁର ପ୍ରାର୍ଥୀ ।

bijepur electionଆଉ ଏହାରି ଭିତରେ ନବୀନ ବିଜେପୁରକୁ ଆଖି ଆଗରେ ରଖି ଘୋଷଣା କରିଛନ୍ତି ସବୁଠାରୁ ବଡ ପଦକ୍ଷେପ । ବିଜେପୁର ଲିଫଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଭୂତଳ ଜଳସେଚନ ବ୍ୟବସ୍ଥା ପାଇଁ ୧୨ ଶହ ୫୦ କୋଟି ଟଙ୍କା ଖର୍ଚ ହେବ । ୩୨ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇପାରିବ । ଏହାଦ୍ୱାରା ଖରିଫ ଋତୁରେ ୨୫ ହଜାର ୬ ଶହ ହେକ୍ଟର ଓ ରବିରେ ୭ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ । ପ୍ରକଳ୍ପ ଯୋଗୁଁ ୧୮ କିଲୋମିଟର ଦୂରରୁ ବରଗଡ ମୁଖ୍ୟ କେନାଲରୁ ମାଟିତଳେ ପାଇପ ଯୋଗେ ପାଣି ଆସିବ । ପ୍ରତି ୪ ହେକ୍ଟର ଜମି ପାଇଁ ଗୋଟିଏ ଗୋଟିଏ ପଏଂଟ ଯୋଗାଇଦିଆଯିବ । ଏହି ପ୍ରକଳ୍ପର ନାମ ରହିବ ଗଙ୍ଗାଧର ମେହେର ଲିଫଟ କେନାଲ ବ୍ୟବସ୍ଥା । ପ୍ରକଳ୍ପ ପାଇଁ ଅତ୍ୟାଧୁନିକ କୌଶଳ ବ୍ୟବହାର କରାଯିବ । ସାରା ଦେଶରେ ଏହି ପ୍ରକଳ୍ପ ଏକ ମଡେଲ ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନୁମାନ କରାଯାଉଛି, ବିଜେପୁର ପାଇଁ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀର ଭୋଟର ମୁଖ୍ୟତଃ ଚାଷୀ ଆଉ ବୁଣାକାର । ଚାଷ ଜମିକୁ ଜଳସେଚିତ କରାଇବା ସହ ପ୍ରକଳ୍ପକୁ ଗଙ୍ଗାଧର ମେହେରଙ୍କ ନାମରେ ମାନିତ କରାଇ ନବୀନ ଦୁଇଟି ଯାକ ଗୋଷ୍ଠୀଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି । ଅନୁମାନ କରାଯାଉଛି, ବିଜେପୁର ନିର୍ବାଚନ ମଣ୍ଡଳୀରେ ଏହା ଦଳକୁ କିଛି ମାତ୍ରାରେ ଫାଇଦା ଦେଇପାରେ ।

ସେପଟେ ଭାରତୀୟ ଜନତା ପାର୍ଟି ଏହାରି ଭିତରେ ପଛରେ ପଡିନାହିଁ । ଦଳ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇଛି । ଅନୁମାନ କରାଯାଉଛି, ଦଳ ଅଶୋକଙ୍କୁ ହିଁ ପ୍ରାର୍ଥୀ କରିବ । ଦଳର ସଂସଦୀୟ ବୋର୍ଡ ଚୁଡାନ୍ତ ନିଷ୍ପତି ନେବାକୁ ଥିବାରୁ ନେତା ଯଥାସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । କିନ୍ତୁ ଅଶୋକ ହିଁ ପ୍ରାର୍ଥୀ ହେବେ, ବୋଧହୁଏ ଏନେଇ କାହା ମନରେ ସନ୍ଦେହ ନଥିବ ।

bijepur politicsତେବେ ବିଜେପି ଦଳ ଭିତରେ ମଧ୍ୟ ବିବାଦ ଜୋଦ ଧରିଥିଲା । ଦଳର ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ବିରୋଧରେ ସ୍ୱର ଉଠାଇଥିଲେ । ଅଶୋକଙ୍କୁ ଖୋଲାଖୋଲି ବିରୋଧ କରିଥିଲେ । କହିଥିଲେ, ଦଳ ଭିତରେ ଅନେକ ଯୋଗ୍ୟ ନେତା ଅଛନ୍ତି । ଅନ୍ୟ କାହାକୁ ବାହାରୁ ଅଣାଯାଇ ପ୍ରାର୍ଥୀ କରିବା ଅନୁଚିତ । ଇଶାରା ସିଧାସଳଖ ଥିଲା ଅଶୋକଙ୍କ ଆଡକୁ । ତେବେ ବିଜୁ ଜନତା ଦଳ ଭଳି ଭାରତୀୟ ଜନତା ପାର୍ଟି ମଧ୍ୟ ଏହି ବିଦ୍ରୋହକୁ ପ୍ରଶମିତ କରାଇ ପାରିଥିଲା । ଭୁବନେଶ୍ୱରରେ ହୋଇଥିଲା ନାରାୟଣ ସାହୁଙ୍କ ମାନଭଂଜନ । କେନ୍ଦ୍ରମନ୍ତ୍ରୀ ଓ ବିଜେପି ବିଧାୟକ ଦଳର ନେତାଙ୍କ ଉପସ୍ଥିତିରେ ବୁଝାଯାଇଥିଲା ଜିଲ୍ଲା ସଭାପତିଙ୍କୁ । ଏହାପରେ ନାରାୟଣ ସାହୁ କହିଥିଲେ, ସେ ଦଳରେ ଥିଲେ ଅଛନ୍ତି ଓ ରହିବେ । ବ୍ୟକ୍ତି ନୁହେଁ ତାଙ୍କ ପାଇଁ ଦଳ ବଡ ଥିବା ସେ ସଫେଇ ଦେଇଥିଲେ ।

ହେଲେ ଏହା ବୁଝିବାକୁ ପଡିବ ଯେ, ଯେତେବେଳେ ମନ ଥରେ ଭାଙ୍ଗିଯାଏ, ତାହା ଯୋଡିହେବା କଷ୍ଟ । ସମ୍ଭବତଃ ଉଭୟ ବିଜେପି ଓ ବିଜେଡି କ୍ଷେତ୍ରରେ ଏହା ଦେଖିବାକୁ ମିଳିପାରେ । ନିର୍ବାଚନ ବେଳେ ହୁଏତ ଯୋଡି ହୋଇଯାଇଥିବା ମନ କେତେଦୁର ଏକାଠି ରହିପାରୁଛି ତାହା ପ୍ରମାଣିତ ହେବ । କିନ୍ତୁ ଏହା ମଧ୍ୟ ଅନୁମାନ କରାଯାଇପାରେ, ଦଳ ଭିତରେ ଥିବା ଅସନ୍ତୋଷ ଉଭୟ ଦଳ ପାଇଁ ଅଡୁଆ ଜନକ ସ୍ଥିତି ସୃଷ୍ଟି କରିପାରେ ।

ଏହାରି ଭିତରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, କଂଗ୍ରେସ ଦଳର ସ୍ଥିତି କଣ । ଉଭୟ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀଙ୍କ ସହ ରଣନୀତି କରି ଆଗକୁ ବଢୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କେବଳ କମିଟି ଗଠନ କରି ରହିଛି । ଝାରସୁଗୁଡା ବିଧାୟକ ନବ ଦାସଙ୍କ ନେତୃତ୍ୱରେ ଏକ କମିଟି ହୋଇଛି, ଯିଏ ବିଜେପୁର ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ କିଏ ହେବ ସେବାବଦରେ ନିଷ୍ପତି ନେବ ।

ତେବେ ବଡ କଥା ହେଉଛି, ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତିକୁ ଦେଖିଲେ ଲାଗୁଛି, ପଂଚାୟତ ନିର୍ବାଚନ ପରେ ଦଳ ତାର ଆତ୍ମବିଶ୍ୱାସ ହରାଇଛି । ଏପରିକି ତିନି ତିନି ଥର ଏହି ଆସନରେ ବାଜିମାତ କରିଥିବା ସୁବଳ ସାହୁଙ୍କ ପରିବାରକୁ ଦଳ ନିଜ ପାଖରେ ରଖିପାରିଲାନି । ଯାହା କଂଗ୍ରେସ ଦଳର ସ୍ଥିତିକୁ ବୟାନ କରୁଛି । ହେଲେ ଏହାରି ଭିତରେ କିନ୍ତୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ବିଜେପୁର ଉପ ନିର୍ବାଚନରେ ସେମାନେ ବାଜିମାତ୍ କରିବେ ।