କନକ ବ୍ୟୁରୋ: ପୁଣି ବିଜେପୁରରୁ ଲଢିବେ ରୀତା ସାହୁ । ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରୀତାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ପୁଣି ଥରେ ରାତୀ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ପ୍ରମୁଖ କ୍ଷମତା କେନ୍ଦ୍ର ନବୀନ ନିବାସରେ ଆଜି ବିଜେପୁର ଉପନିର୍ବାଚନ ପାଇଁ ରାତୀ ସାହୁଙ୍କ ନାଁ ଘୋଷଣା କରିଛନ୍ତି ଦଳର ହାଇକମାଣ୍ଡ।
ଦୀର୍ଘ ବର୍ଷ ଧରି କଂଗ୍ରେସ ଅକ୍ତିଆରରେ ଥିବା ଏହି ଆସନକୁ ପ୍ରଥମ ଥର ପାଇଁ ରୀତା ସାହୁଙ୍କ ଜରିଆରେ ହାତେଇଥିଲା ବିଜେଡି । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡିର ହାତ ଧରିଥିଲେ ତାଙ୍କ ପତ୍ନୀ ରୀତା ସାହୁ । ଏବଂ ରୀତାଙ୍କୁ ବିଜେଡିରୁ ପ୍ରାର୍ଥୀ କରି କଂଗ୍ରେସ ଗଡରେ ଧସେଇ ପଶିଥିଲା ବିଜେଡି । ହେଲେ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ସହ ବିଜେପୁରରୁ ଲଢି ବିଜୟୀ ହୋଇଥିଲେ । ପରେ ହିଂଜିଳି ଆସନଟିକୁ ରଖି ବିଜେପୁର ଛାଡିଦେବାରୁ ଏଠାରେ ଉପନିର୍ବାଚନ ହେଉଛି ।
ତେବେ ନିର୍ବାଚନ ତାରିଖ ଘୋଷଣାର ପରେ ବିଜେପୁର ପାଇଁ ପାଗ ଭିଡୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ତେବେ ବିଜେପୁର ପାଇଁ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ମଇଦାନରେ ଓହ୍ଲାଇବା ପାଇଁ ଦଳ ପକ୍ଷରୁ ମାନସ ମନ୍ଥନ ଜାରି ରହିଛି । ଏହି କ୍ରମରେ ପ୍ରଥମେ କଂଗ୍ରେସ ତାର ବିଜେପୁର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାକୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛନ୍ତି ଦଳର ମୁଖିଆ ।
ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ପରେ ଆଭ୍ୟନ୍ତରୀଣ ରାଜନୀତି ଯେମିତି ଉଷ୍ମ ହେବାରେ ଲାଗିଛି, ବିଜେପୁରକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ସେମିତି ତର୍ଜମା ଆରମ୍ଭ ହୋଇଗଲାଣି। ତେବେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି । ରୀତା ପୁଣି ବିଜେପୁରବାସୀଙ୍କ ମନ ଜିଣିବେ, ପୁଣି ଅନୁକମ୍ଫାମୂଳକ ଭୋଟ କାମ କରିବ ନା ଭୋଟ ବ୍ୟବଧାନ କମିବ ନା ବଢିବ? ବିଜେପି ଲୋକସଭା ଆସନ ଭଳି ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନରେ ବାଜିମାତ୍ କରିବ କି? ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସର ପଦୋନ୍ନତି ହେବ କି? ଏମିତି ପୁଳା ପୁଳା ପ୍ରଶ୍ନ ଉପରେ ଅଙ୍କକଷା ଆରମ୍ଭ ହୋଇଯାଇଛି।