ଆସନ୍ତା ୧୮ରେ ଉଠିବ ପଡିବ ବିଜେପୁର । ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ-ଧର୍ମେନ୍ଦ୍ର ।

375

କନକ ବ୍ୟୁରୋ : ଶୁକ୍ରବାର ବିଜେପୁରରେ ଦେଖିବାକୁ ମିଳିବ ସୁପର ସୋ’ । ସାମ୍ନାସାମ୍ନି ହେବେ ଦୁଇ ଦଳର ଶୀର୍ଷ ନେତା । ବିଜେପୁର ବିଗଫାଇଟ୍ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପିର ହେଭିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ । ଭୋଟରଙ୍କ ମନ ଜିଣିବା ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଉଭୟ ନେତା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ମୈଦାନକୁ ଓହ୍ଲାଇବେ । ରୋଡ ସୋ’ ସାଙ୍ଗକୁ ନିର୍ବାଚନ ସଭାରେ ରୀତାଙ୍କ ପାଇଁ ଭୋଟ ଅପିଲ କରିବେ ନବୀନ । ଏପରିକି ବିଜେପୁରରେ ଗୋଟିଏ ରାତି ରହିବା ସହ ଭୋଟରଙ୍କ ମୁଡ ପରଖିବେ ସୁପ୍ରିମୋ । ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେଡି ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ବିଜେଡିର ହାଇଟେକ୍ ପ୍ରଚାରକୁ ଟକ୍କର ଦେବାକୁ ଶୁକ୍ରବାର ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ । ରୋଡ ସୋ’ କରି ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଭୋଟ ମାଗିବେ । ଏହାପୂର୍ବରୁ ଗାଇସିଲଟ ନିର୍ବାଚନ ସଭାରେ ଧର୍ମେନ୍ଦ୍ର ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ନବୀନ କାହିଁକି ବିଜେପୁର ଆସନ ଛାଡିଦେଲେ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ତେଣୁ ଶୁକ୍ରବାର ବିଜେପୁର ପ୍ରଚାର ମୈଦାନରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ । ଆସନ୍ତା ୨୧ରେ ବିଜେପୁର ପାଇଁ ମତଦାନ ହେବାକୁ ଥିବା ବେଳେ ବିଜେପୁର ବାଜି ଜିତିବାକୁ ଦିନରାତି ଏକ କରି ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି ।