କନକ ବ୍ୟୁରୋ: ଆଜି ଆସିବ ବିଜେପୁର ବିଧାନସଭା ଉପନିର୍ବାଚନର ଫଳ । ପଦ୍ମପୁରରେ ଥିବା ଆରଏମସି ପରିସରରେ ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ହେବ ଗଣତି । ୧୦୩ ଜଣ ଅଧିକାରୀ ଗଣତି କରିବେ । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହିବେ । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିଜେପୁରବାସୀ କାହା ଉପରେ ଭରଷା କରିଛନ୍ତି ତାହା ଆଜି ସ୍ପଷ୍ଟ ହେବ । ଆସିବ ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ସନତ ଗଡତିଆ, କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସମେତ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟଫଳ ।
୨୦୧୮ ଉପନିର୍ବାଚନରେ ବିଜୟୀ ହୋଇଥିବା ରୀତା ସାହୁ ପୁଣି ବିଜୟୀ ହେଉଛନ୍ତି କି ବିଜେପୁର ଭୋଟର କିଛି ପରିବର୍ତନ କରୁଛନ୍ତି ତା ଉପରେ ସାରା ରାଜ୍ୟର ନଜର ରହିଛି । ଏଥର ଉପନିର୍ବାଚନରେ ସାଧାରଣ ନିର୍ବାଚନ ଅପେକ୍ଷା ଅଧିକ ମତଦାନ ହୋଇଛି । ସାଧାରଣ ନିର୍ବାଚନରେ ୭୮.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।