କନକ ବ୍ୟୁରୋ: ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ନିର୍ବାଚନମଣ୍ଡଳୀ ଜାତୀୟ ରାଜନୀତିର ଚର୍ଚ୍ଚାକୁ ଆସିଥିଲା । ଗତବର୍ଷ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନର ସାମନା କରିଥିଲା । ଏହି ଉପନିର୍ବାଚନ ଜାତୀୟ ତଥା ରାଜ୍ୟର ସବୁ ନେତାଙ୍କୁ ଟାଣି ଆଣିଥିଲା । ସୁବଳଙ୍କ ପତ୍ନୀ ରୀତା ସାହୁ ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ କରାଇ କଂଗ୍ରେସ ଗଡ଼କୁ ଜିତିବାରେ ସକ୍ଷମ ହୋଇଥିଲା । ସେପଟେ ଉଭୟ କଂଗ୍ରେସ ଏବଂ ବିଜେପି ଶିବିରରେ ପ୍ରାର୍ଥୀ ଚୟନକୁ ନେଇ ଗୋଷ୍ଠୀ କନ୍ଦଳ ଉଭୟଙ୍କୁ ପରାଜୟର ଦ୍ୱାରା ଦେଖାଇଥିଲା ।

Advertisment

publive-imageଗତବର୍ଷ ହୋଇଥିବା ବିଜେପୁର ଉପନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ବିଜେଡି ପ୍ରର୍ଥୀ ରୀତା ସାହୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ୍ ପାଇ ବିଜୟୀ ହୋଇଥିଲେ । ସେହିଭଳି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୪୧ ହଜାର ୯୩୩ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ୨୭୪ ଭୋଟରେ ସୀମିତ ରହିଥିଲେ । ତେଣୁ ଆଗାମୀ ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମହାଲଢ଼େଇ ହୋଇପାରେ ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଆସନ୍ତା ନିର୍ବାଚନରେ ବିଜେପୁର ନିର୍ବାଚନମଣ୍ଡଳୀକୁ ଭୋଟର୍ ବିକାଶର ତରାଜୁରେ ତଉଲୁଛନ୍ତି। କ୍ରମାଗତ ତିନିଥର କଂଗ୍ରେସ ଅମଳରେ ଭଲ କାମ ହୋଇଛି ନା ବର୍ଷକ ମଧ୍ୟରେ ବିଜେଡି ବିକାଶଧର୍ମୀ କାମ କରିଛି, ତାହାର ହିସାବ ଲଗାଉଛନ୍ତି ଭୋଟର୍। ଏହି ପ୍ରସଂଗ ନେଇ ଶାସକ ବିଜେଡିକୁ ବ୍ୟାକଫୁଟକୁ ଠେଲିବାକୁ ପ୍ରୟାସ କରୁଛନ୍ତି ବିରୋଧୀ ।

publive-imageବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀ କଥା ସେ ବ୍ୟକ୍ତିଗତ ଭାବେ ବୁଝିବେ ବୋଲି ଘୋଷଣା କରିଥିଲେ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସୋହେଲା ଗସ୍ତ ବେଳେ ଚର୍ଚ୍ଚିତ ଗଂଗାଧର ମେହେର ବୃହତ୍ ଜଳସେଚନ ପାଇଁ ଶିଳାନ୍ୟାସ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ଉପନିର୍ବାଚନ ବେଳେ ଘୋଷଣା ହୋଇଥିବା ୫୫ରୁ ଅଧିକ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ବିଜେଡି ମଧ୍ୟ କସରତ ଆରମ୍ଭ କରିଛି । ଏବେ ଆଗାମୀ ନିର୍ବାଚନ ପାଇଁ ରୀତାଙ୍କୁ ପୁଣି ବିଜେଡି ପରଖିବ ନା ନୂଆ ଚେହେରା ଦେବ? କାରଣ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ପ୍ରଣୟ ସାହୁ ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଭୀଷ୍ମ ସରାଫଙ୍କ ନାଁ ମଧ୍ୟ ବିଜେଡି ଶିବିରରେ ଶୁଣିବାକୁ ମିଳୁଥିଛି ।

ସେପଟେ ଗତଥର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଅଶୋକ ପାଣୀଗ୍ରାହୀ ପୁଣ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଉପ ନିର୍ବାଚନ ପରେ ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳୁଛି । ତେଣୁ ଏଥର ବିଜେପି ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ତେଣୁ ଏଥର ବିଜେପି ତରଫରୁ ହଲପାଣୀ ମାଝି, ଯୁବ ବିଜେପି ନେତା ମନୋରଞ୍ଜନ ମେହେରଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଥିବା ସ୍ଥାନୀୟ ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି ।

bijepurପୂର୍ବରୁ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇ ଏଠାରେ କଂଗ୍ରେସ ଗଡ଼ କରିଥିଲା । କିନ୍ତୁ ସୁବଳ ସାହୁଙ୍କ ଦେହାନ୍ତ ପରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡ଼ିଲା । ଏପରିକି ପ୍ରଣୟ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ କିଏ ଦଳର ମଂଗ ଧରିବ ଏନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । କିନ୍ତୁ କଂଗ୍ରେସ ତରଫରୁ ସୁବଳଙ୍କ ଘନିଷ୍ଠ ରିପୁନାଥ ସେଠଙ୍କୁ ଦଳ ଏଥର ବାଛିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଆଗାମୀ ନିର୍ବାଚନ ନେଇ ସବୁ ଦଳ ପାଇଁ ବାଜିରେ ଲାଗିଛି ବିଜେପୁର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।