ବିଜେପୁର ପାଇଁ ଦଳରେ ଫାଟ ! ବଢୁଛି କି ବିଜେପି ପାଇଁ ଅଡୁଆ ?

32

କନକ ବ୍ୟୁରୋ : ସେମିଫାଇନାଲ ପୂର୍ବରୁ ଟିମ୍ ବିଜେପିରେ ମତଭେଦ । ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି କିନ୍ତୁ ଦଳରେ ଅସନ୍ତୋଷର ବାସ୍ନା ବାରି ହୋଇପଡୁଛି । ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଗ୍ରହଣ କରିପାରୁନାହାନ୍ତି କିଛି ବରିଷ୍ଠ ନେତା । ଏପରିକି ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ସମର୍ଥନରେ ବାହାରିଛନ୍ତିି ଏହି ଅସନ୍ତୁଷ୍ଟ ଗୋଷ୍ଠୀ । କାରଣ ସୂଚନା ଅନୁସାରେ ଅଶୋକଙ୍କୁ ହିଁ ପ୍ରାର୍ଥୀ କରିବାକୁ ଅଂଟା ଭିଡିଛି ବିଜେପି କୋର କମୀଟି ।

ସେପଟେ ଜିଲ୍ଲା ସଭାପତି ନାରାୟଣ ସାହୁ ମଧ୍ୟ ପଦ ଛାଡିବା ନେଇ ସୂଚନା ଦେଇଛନ୍ତି । ପରୋକ୍ଷରେ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି । କିନ୍ତୁ ଦଳର ବୃହତ୍ତର ସ୍ୱାର୍ଥକୁ ସାମ୍ନାରେ ବ୍ୟକ୍ତିଗତ ଅସନ୍ତୋଷର କିଛି ମୂଲ୍ୟ ନଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ଅନୁସାରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ବିଜେପୁର ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଅନ୍ୟ ଦଳରୁ ପ୍ରାର୍ଥୀ ଆଣିବାକୁ ନେଇ ଉଭୟ ବିଜେପି ଓ ବିଜେଡିରେ କୁହୁଳୁଛି ଅସନ୍ତୋଷର ନିଆଁ । । ତେଣୁ ଏହି ଅସନ୍ତୋଷ ଦୁଇ ଦଳ ଉପରେ କଣ ପ୍ରଭାବ ପକାଉଛି ତାହା ନିର୍ବାଚନ ଫଳାଫଳ ହିଁ କହିବ ।