କନକ ବ୍ୟୁରୋ: ଯାହା ମୁଣ୍ଡ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବ, ତାର ବା କେବେ କ୍ଷତି ହୋଉଛି, ଯେ ହେବ । କୁନି ଝିଅ ବିଜୟିନୀକୁ ନେଇ ସମ୍ବଲପୁରରୁ ଆସିଛି ଖୁସି ଖବର । ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବିଜୟିନୀ ଆଜି ହସ୍ପିଟାଲ ଛାଡିଛି । ସମସ୍ତ ବିଧି ବ୍ୟବସ୍ଥା ଭିତରେ କୁନି ଝିଅଟି ଯେତେବେଳେ ଡାକ୍ତରଖାନା ଛାଡୁଥିଲା, ସେତେବେଳେ ସମସ୍ତଙ୍କ ଆଖି ଛଳଛଳ ହେଉଥିଲା । ଆଉ ଏହାରି ଭିତରେ ବିଜୟିନୀକୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Advertisment

ଜୀବନ-ମୃତ୍ୟୁର ସଂଘର୍ଷ ଭିତରେ ଅସମ୍ଭବକୁ ସମ୍ଭବ କରି ଜୀବନକୁ ଜିତାଇ ଦେଇଛନ୍ତି ଡାକ୍ତର । ବୋରୱେଲ ଭିତରୁ ମୃତ୍ୟୁକୁ ମାତ ଦେଇଥିବା ବିଜୟିନୀ ସୁସ୍ଥ ହୋଇ ମେଡିକାଲ୍ରୁ ଡିସଚାର୍ଜ ହୋଇଛି । ଏହି ଖୁସିରେ କେକ୍ କାଟି ଉତ୍ସବ ମନାଇଛି ଭିମସାର । ମେଡିକାଲରୁ କୁନିଝିଅକୁ ନେଇଛି ସିଡବ୍ଲୁସି । ଛଚାନପାଲିରେ ଥିବା ବାଲ ଆଶ୍ରମରେ ଏବେ ରହିବ ବିଜୟିନୀ ।

୧୨ ଡିସେମ୍ବର-ବୋରୱେଲରୁ ଉଦ୍ଧାର
୧ ଜାନୁଆରି-ଭିମସାରରେ ଏକୋଉଶିଆ
୧୧ ଜାନୁୟାରି-ମେଡିକାଲରୁ ଡିସଚାର୍ଜ
ଅପରିପକ୍ୱ ଜନ୍ମ, ବୋରୱେଲର ଯନ୍ତ୍ରଣା, ସଂକ୍ରମଣର ଭୟ ସବୁକୁ ଜୟ କରି ନିଜ ନାଁକୁ ସାର୍ଥକ କରିଛି କୁନି ଝିଅ ବିଜୟିନୀ । ଡିସେମ୍ବର ୧୨ରେ ରେଙ୍ଗାଲି ଲାରିପାଲି ବୋରୱେଲରୁ ୭ ଘଂଟାର କସରତ ପରେ ବିଜୟନୀଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ମେଡିକାଲରେ ହୋଇଥିଲା ତାର ଏକୋଇଶିଆ ଓ ନାମକରଣ । ଏବେ ସେ ସୁସ୍ଥ ହୋଇଛି, ସମସ୍ତଙ୍କ ମନରେ ଖୁସି ଭରି ଦେଇଛି । ଉଦ୍ଧାର ବେଳେ ମାତ୍ର ୧୭ଶହ ଗ୍ରାମ ଥିଲା, ମେଡିକାଲରୁ ଡିସଚାର୍ଜ ବେଳେ ୨୨ ଶହ ଗ୍ରାମକୁ ବୃଦ୍ଧି ପାଇଛି ତା’ର ଓଜନ ।

ଜନ୍ମକଲା ମାଆ ସିନା ତାକୁ ଫିଙ୍ଗି ଦେଇ ଚାଲି ଯାଇଥିଲା । କିନ୍ତୁ ତା’ ଜୀବନ ପାଇଁ ସାରା ଓଡ଼ିଶା କାମନା କରିଥିଲା । ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦରେ ନୂଆ ଜୀବନ ପାଇଛି ବିଜୟିନୀ ।