ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ : କହିଲେ, ଝିଅ ଯୋଗାଇବା ପାଇଁ ସ୍ୱାମୀଙ୍କ ଉପରେ ଚାପ ପକାଉଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ

ମାନସିକ ନିର୍ଯାତନା ସହି ନପାରି ସ୍ୱାମୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ

493

କନକ ବ୍ୟୁରୋ : ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ୨ ମାସ ଧରି ମାନସିକ ନିର୍ଯାତନା ପରେ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକ । ଗୁରୁତର ସିପାହୀ ନିହାର ରଞ୍ଜନ ନାୟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କମିଶନରେଟ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ ସୁନିତା ଲେଙ୍କା ।

ଆଭିଯୋଗ ଆନୁସାରେ, ଓଏସଏପି ସେଭେନଥ ବାଟାଲିୟନର ଫ୍ୟାମିଲି ୱେଲଫେୟାର ସେଂଟରରେ ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିଖାନ୍ତି ନିହାର । ସିପାହୀ ଜଣକ ଯେହେତୁ ଟେଲରିଂ ଦାୟିତ୍ୱରେ ଅଛନ୍ତି ତାଙ୍କ ଅଧିନରେ ପୋଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ବିଭିନ୍ନ ପ୍ରକାର ସିଲେଇ ଓ ହସ୍ତଶିଳ୍ପ କାମ ଶିଖିବାକୁ ଆସିଥାନ୍ତି । ତେବେ ଏହି ମହିଳା ଓ ଯୁବତୀଙ୍କୁ ଯୋଗାଇ ଦେବାପାଇଁ କମାଣ୍ଡାଂଟ୍ ଡିସିପି ବିଜୟ କୁମାର ସାହୁ ଦାବି କରୁଥିବା ଓ ରାଜି ନହେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ବାଢିଛନ୍ତି ସିପାହୀ ନିହାରଙ୍କ ପତ୍ନୀ । ମାମଲା ଥାନାରେ ପହଂଚିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆସିଥିବା ଅଭିଯୋଗ ଉପରେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ।

Comments are closed.