ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହା ସାର୍ଟିଫିକେଟ୍ ଅରିଜିନାଲ୍ । ବିଜେପିର ନା ବିଜେପି ସରକାରର । ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ଆଜି ରାଜ୍ୟ ବିଜେପି ନବୀନ ସରକାରଙ୍କ ଉପରେ ଆକ୍ରମଣ କରି କହିଛି. ରାଜ୍ୟ ସରକାର ଟଂକା ଖର୍ଚ କରିପାରୁନାହାଁନ୍ତି । ବିଜୟ ମହାପାତ୍ର ଏସମ୍ପର୍କିତ ତଥ୍ୟ ଦେଇ କହିଛନ୍ତି, ଗୋଟିଏ ବର୍ଷରେ ୧୬ ହଜାର କୋଟି ଖର୍ଚ ହୋଇନପାରି କେନ୍ଦ୍ରକୁ ଫେରିଯାଇଛି । ଆଉ ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ ଓଡିଶା ଆସି କହିଛନ୍ତି, ନବୀନ ସରକାର ଖୁବ୍ ଭଲ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ପ୍ରଦର୍ଶନ ଉଚ୍ଚକୋଟିର ବୋଲି କହିଛନ୍ତି । ପ୍ରଶ୍ନ ଉଠୁଛି କିଏ ଠିକ୍ । ରାଜ୍ୟ ବିଜେପି ନା କେନ୍ଦ୍ର ବିଜେପି ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କିଛି ଦିନ ଆଗରୁ କେନ୍ଦ୍ରୀୟ ଅନୁଦାନ ବ୍ୟବହାର କରିବାରେ ରାଜ୍ୟ ଫେଲ ମାରୁଥିବା କହି ନବୀନ ସରକାରକୁ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ଅର୍ଥ ବ୍ୟବହାର ନ’ହୋଇ ଫେରିଯିବା ଓଡିଶା ଲୋକଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ହକରୁ ବଂଚିତ କରିବା ସହ ସମାନ । ଆଉ ଏହାର କଡା ଜବାବ ରଖି ବିଜେଡି କହିଥିଲା, କେନ୍ଦ୍ରମନ୍ତ୍ରୀ ପ୍ରଥମେ ହୋମୱାର୍କ କରନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଛି ଆଉ ରାଜ୍ୟ କିଭଳି ଖର୍ଚ୍ଚ କରିନି ତାର ତାଲିକା ଦେବାକୁ ଆହ୍ୱାନ ବି ଦେଇଥିଲା ।
ରାଜ୍ୟକୁ କେନ୍ଦ୍ର ଦେଉଛି ସାର୍ଟିଫିକେଟ । ଆଉ ବିଜେପିର ରାଜ୍ୟ ସ୍ତରୀୟ ନେତୃତ୍ୱ ସରକାର ଅପାରଗ ଓ ଟଙ୍କା ଖର୍ଚ୍ଚ ବିଫଳ ନେଇ ମର ତଖିଛନ୍ତି । ପ୍ରଶ୍ନ ଉଠୁଛି, କିଏ ସତ କହୁଛି ଆଉ କାହାର ତଥ୍ୟ ଭୁଲ । ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଥିବା ରାଜନୈତିକ ଶତ୍ରୁତା ଯୋଗୁଁ ଏଭଳି ବକ୍ତବ୍ୟ ଦିଆଯାଉଛି କି? ଭୋଟ ବ୍ୟାଙ୍କ ହାତେଇବାକୁ ଓ ରାଜନୈତିକ ମୁଦ୍ଦା ତିଆରି କରିବାକୁ କେନ୍ଦ୍ର ଓ ରାଜ୍ୟ ବିକାଶ ଓ ଅବହେଳାର ପ୍ରସଙ୍ଗ ଉଠାଉଛନ୍ତି କି?