କନକ ବ୍ୟୁରୋ : ବିଜେପି ନେତାଙ୍କ ଟାର୍ଗେଟରେ ବିଜେପି । ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି ଖୋଦ୍ ତାଙ୍କ ଦଳର ନେତା । ଶଙ୍କରାଚାର୍ଯ୍ୟଙ୍କ ସ୍ୱରରେ ତାଳ ମିଶାଇ ମେଣ୍ଟ ସରକାର ଥିବା ବେଳେ ବିଜେପିର ଆଇନମନ୍ତ୍ରୀ କ’ଣ ସଂସ୍କାର ଆଣିଥିଲେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଉ ଜବାବରେ ସଂସ୍କାରର ଲମ୍ବା ତାଲିକା ରଖିଛନ୍ତି ତକ୍ରାଳୀନ ଆଇନମନ୍ତ୍ରୀ ବିଶ୍ୱଭୁଷଣ ହରିଚନ୍ଦନ ।

Advertisment

BIJAYA-AND-BJP_00029ଶ୍ରୀମନ୍ଦିର ପରିଚାଳନାରେ ବିଭିନ୍ନ ଅବ୍ୟବସ୍ଥା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଯେଉଁ ଭଳି ଢଙ୍ଗରେ ଭାରତୀୟ ଜନତା ପାର୍ଟିକୁ କାଠଗଡ଼ାରେ ଠିଆ କରିଥିଲେ, ଠିକ୍ ସମାନ ଢଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶଙ୍କରାଚାର୍ଯ୍ୟ କୌଣସି ଭୁଲ କହି ନାହାଁନ୍ତି କହିବା ସହ ମେଂଟ ସରକାର ବେଳେ କ’ଣ ସବୁ ସଂସ୍କାର ଅଣାଯାଇଥିଲା କମିଶନ ବସିଲେ ପଦାକୁ ଆସିବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ବିଜୟ ମହାପାତ୍ରଙ୍କ ବୟାନ ଠିକ୍ ସେତିକି ବେଳେ ଆସିଛି, ଯେତେବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରୁଛି । ସମସ୍ତଙ୍କ ଘଟଣା ପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ନିଜ ଦଳରୁ ଉଠିଛି ଅନେକ ପ୍ରଶ୍ନ । ଏପଟେ ବିଜୟ ରଖିଥିବା ପ୍ରଶ୍ନର ଉତର ରଖିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ସେ ଆଇନମନ୍ତ୍ରୀ ଥିବା ବେଳେ କଣ ସବୁ ସଂସ୍କାରମୂଳକ କାର୍ଯ୍ୟ କରିଥିଲେ ତାହାର ଲମ୍ବା ତାଲିକା ଦେଇଛନ୍ତି ହରିଚନ୍ଦନ । ଅନ୍ୟପଟେ ସୋମବାର କନକ ନ୍ୟୁଜ୍ ଡିବେଟରେ ବିଜେଡି ସାଂସଦ ପିକାନୀ ମିଶ୍ର ରଖିଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି ।ଆଇନରେ ଯାହା ବ୍ୟବସ୍ଥା ଅଛି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସମ୍ଭବ ନୁହେଁ ବୋଲି ଶାସକ ଦଳର ଜଣେ ସାଂସଦ କହିବା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଏଭଳି କରି ଭକ୍ତଙ୍କ ଭାବାବେଗ ସହ ଶାସକ ଦଳ ଖେଳୁଛି ବୋଲି କହିଛି ବିଜେପି ।

ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରୁ ଆରମ୍ଭ ହୋଇଥିବା ଏହି ହଟଚମଟ ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗ ଦେଇ ୯ବର୍ଷର ମେଂଟ ସରକାରକୁ ଫେରିଗଲାଣି ଏହି ବିତର୍କ । ଆଉ ଏସବୁ ଭିତରେ ବିଜେପି ବିରୋଧରେ ବିଜେପି ନେତା ଠିଆ ହେବା ବିରୋଧୀ ଦଳକୁ ବେଶି ଅଡୁଆରେ ପକାଇ ଦେଇଛି ।