ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । କହିଲେ, ଦଳ ଯାହା ଦାୟିତ୍ୱ ଦେବ କରିବି ।

906

କନକ ବ୍ୟୁରୋ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଦଳ ପକ୍ଷରୁ ମଧ୍ୟ କୌଣସି ସୂଚନା ମିିଳିନାହିଁ ।

ତେବେ ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତି, ଦଳରେ ଏହା ଏକ ସ୍ୱାଭାବିକ ପକ୍ରିୟା । ମୋତେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି । ଏଭଳି ଦାୟିତ୍ୱ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ଦୁଇଟି ପାଳିରେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବିଜୟ ୨୦୧୬ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆନନ୍ଦିବେନ ପଟେଲଙ୍କ ସ୍ଥାନରେ ବିଜୟଙ୍କୁ ବାଛିଥିଲା ବିଜେପି । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ଦଳ ବିଜୟଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା ।

 ହଠାତ୍ ବିଜୟଙ୍କ ଏଭଳି ନିଷ୍ପତ୍ତି ଗୁଜୁରାଟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଆଗକୁ ଗୁଜୁରାଟ ରାଜନୀତିର ମଙ୍ଗ କିଏ ଧରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ବିଜୟ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ସ୍ଥିର କରିବ । କାରଣ ଦଳ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବ ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନକୁ ଓହ୍ଲାଇବ । ତେଣୁ କାହାକୁ ଏହି ଆସନରେ ଦଳ ବସାଇବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି । କାରଣ ଆସନ୍ତାବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଗତ ନିର୍ବାଚନରେ ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ କଡା ଟକ୍କର ଦେଇଥିଲା । ଆଉ ଏହା ଭିତରେ ବିରୋଧୀ କଂଗ୍ରେସ ଅଧିକ ସକ୍ରିୟ ହେବା ସହ ସରକାରଙ୍କୁ ଘେରିବାକୁ ଆଦୌ ସୁଯୋଗ ହାତଛଡା କରୁନାହିଁ । ଏଭଳି ସ୍ଥିତିରେ ନୂଆ ଚେହେରାକୁ ନେଇ ଦଳ ଆଗାମୀ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା କୁହାଯାଉଛି ।

ଗୁଜୁରାଟରେ ଦୀର୍ଘ ବର୍ଷ ହେବ ବିଜେପି ସରକାର ରହିଛି । ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟରେ ଆନନ୍ଦିବେନ ପଟେଲ, ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ଦଳ । ତେଣୁ ଆସନ୍ତା ନିର୍ବାଚନରେ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଏଭଳିସ୍ଥଳେ ରୂପାନୀ ସରକାର ବିରୋଧରେ ଜନ ଅସନ୍ତୋଷ ଦଳ ପାଇଁ ବୁମେରାଂ ହୋଇପାରେ । ତେଣୁ ରୂପାନୀଙ୍କ ବଦଳରେ ନୂଆ ମୁହଁ ନେଇ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ । ଏହାପୂର୍ବରୁ କର୍ଣ୍ଣାଟକ, ଉତ୍ତରାଖଣ୍ଡରେ ମଧ୍ୟ ଦଳ ନେତୃତ୍ୱ ବଦଳାଇଥିବାର ନଜିର ରହିଛି ।