କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଏନେଇ ଗତକାଲି ଗଜପତି ଦେଇଥିବା ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି  ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କହିପାରିବେ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଏଏସଆଇ କହିବ, ଏନେଇ ଆଇନରେ ବ୍ୟବସ୍ଥ୍ା ଅଛି । ଗଜପତି କଣ ଅଧିକୃତ ଅଧିକାରୀ କି?

Advertisment

କେବଳ ଏତିକି ନୁହେଁ ବିଜୟ ଏଏସଆଇର କାର୍ଯ୍ୟକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି । ସୂଚନା ଅଧିକାର ବଳରେ ତଥ୍ୟ ମିଳୁଛି କିନ୍ତୁ କୋର୍ଟଙ୍କୁ କିଭଳି ଏଏସଆଇ ତଥ୍ୟ ଦେଇପାରୁନି ସେନେଇ ପ୍ରଶ୍ନ କରିଛନ୍ତି ବିଜୟ । ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହାର ଅନୁଧ୍ୟାନ କରିବାର ଦାୟିତ୍ୱ ଏଏସଆଇର । ପୂର୍ବରୁ ମଧ୍ୟ ମନ୍ଦିରରୁ ପଥର ଖସିବା ବେଳେ ଏଏସଆଇ ଆସି ଅନୁଧ୍ୟାନ କରିଥିଲା । କିନ୍ତୁ ଏବେପର୍ଯ୍ୟନ୍ତ ମନ୍ଦିର ଉପରେ କଣ ପ୍ରଭାବ ପଡିବ ସେନେଇ ଏଏସଆଇ ପକ୍ଷରୁ କୌଣସି ଯାଞ୍ଚ କରାଯାଇନାହିଁ । କିଛି ଏଭଳି କହି ଉଭୟ ଗଜପତି ଓ ଏଏସଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜୟ ।

କେବଳ ବିଜୟ ନୁହଁନ୍ତି  ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ପୁଣି ଏହି ପ୍ରସଙ୍ଗକୁ ତାଜା କରିଛି । ରାଜନୀତି ନକରି ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସର୍ବଦା ଚିନ୍ତା କରିଆସିଛି । ଲିଙ୍ଗରାଜ ମନ୍ଦିର ନିକଟରେ ମଧ୍ୟ ବିଶୃଙ୍ଖଳିତ ଭାବେ ନିର୍ମାଣ ଓ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆମେ ବିରୋଧ କରିବା ପରେ ଏଏସଆଇ ହସ୍ତକ୍ଷେପ କରିଥିଲା । ଯାହା ଫଳରେ ଆଜି ୧୪ଶହ ବର୍ଷ ତଳର ମହିଷାମର୍ଦ୍ଦିନୀ ମୂର୍ତି ଉଦ୍ଧାର ହୋଇଛି । ତେଣୁ ଶ୍ରୀମନ୍ଦିରରେ ମଧ୍ୟ ଏଏସଆଇ କ’ଣ ନିଷ୍ପତି ନେଉଛି, ତାକୁ ଅପେକ୍ଷା କରିବା ଦରକାର ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ସମ୍ବିତ ପାତ୍ର ।