୫-ଟି ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ୫-ଟିର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଲେ ପ୍ରଶ୍ନ, ବିଜେଡି କହିଲା ୫-ଟି ପ୍ରଚଳନ ଅନ୍ୟମାନଙ୍କୁ କରିଛି ଛାନିଆ ।

280

କନକ ବ୍ୟୁରୋ : କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ପାଇବା ପରେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ଉପରେ ବର୍ଷିଛନ୍ତି ବିଜୟ ପଟ୍ଟନାୟକ । ୫-ଟିକୁ ଟାର୍ଗେଟ କରି ବିଜୟ କହିଛନ୍ତି, ମିଥ୍ୟା ପ୍ରଚାର ବିରୁଦ୍ଧରେ ପ୍ରଚାର କରିବା କଂଗ୍ରେସର କାମ । ଓଡ଼ିଶା ସରକାର ବିଭିନ୍ନ ସମସ୍ୟାକୁ ଅଣ ଦେଖା କରିଚାଲିଛନ୍ତି ଏହାର ସମାଧାନ କରିବାର ନାଁ ଧରୁନାହାନ୍ତି । ସରକାର ମିଥ୍ୟା ପ୍ରଚାର ଚଳାଇଛନ୍ତି, ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବୁ । ୫-ଟି ବ୍ୟବସ୍ଥା ଆସିବା ପରେ ସବୁ ବିଭାଗ ତା ଅଧୀନକୁ ଚାଲିଆସିଛି । ଟ୍ରାନପାରେନ୍ସି, ଟାଇମ, ଟେକନୋଲୋଜି, ଟ୍ରାନସଫରମେସନ ଓ ଟିମ ୱାର୍କକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ।

ଓଡିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ । ପଚାରିଛନ୍ତି ପାନୀୟ ଜଳ ପ୍ରକଳ୍ପର ଠିକାଦାର ଓଡିଶାର ନା ରାଜ୍ୟ ବାହାରର । ସେହିପରି ୧୮ ମାସରେ ବିଶ୍ୱସ୍ତୟୀର ଷ୍ଟାଡିୟମ ନିର୍ମାଣ ପାଇଁ କେଉଁ ପାଣ୍ଠିରୁ କେତେ ଖର୍ଚ୍ଚ କରାଗଲା?  ସେ ପ୍ରଶ୍ନ ପଚାରିଲେ ଏହାର ଉତ୍ତର ମିଳୁନି । ୧୮ ମାସ ଭିତରେ ବିଶ୍ୱ ସ୍ତରୀୟ ଷ୍ଟାଡିୟମ କରିଦିଆଗଲା । ଶହ ଶହ କୋଟି ଟଙ୍କା ଜିଲ୍ଲା ଡେଭଲପମେଣ୍ଟ ଫଣ୍ଡରୁ ଖର୍ଚ୍ଚ କରାଗଲା । ଲୋକଙ୍କ ଜୀବନ ଜୀବିକା ପାଇଁ ଏ ଟଙ୍କା ଖର୍ଚ୍ଚ ହୋଇଥାନ୍ତା କିନ୍ତୁ ତାହା ହେଲା ନାହିଁ । ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ଲୋକଙ୍କ ଟଙ୍କା ଖର୍ଚ୍ଚ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ସରକାର ଟେକ୍ନୋଲୋଜି କଥା କହୁଥିଲା ବେଳେ ନବରଙ୍ଗପୁରର ବୃଦ୍ଧା ଭତା ପାଇଁ ଭଙ୍ଗା ଚୌକି ଧରି ବ୍ୟାଙ୍କକୁ ଆସିଲେ । କାନ୍ଥର ରଙ୍ଗ ବଦଲାଇ ସ୍କୁଲ ରୂପାନ୍ତରିତ କରାଯାଉଥିବା କହି କଟାକ୍ଷ କରିଛନ୍ତି ବିଜୟ ପଟ୍ଟନାୟକ । ଏଥିସହ ନିର୍ବାଚନରେ ବିଜୟ ପାଇଁ ଶାସକ ଦଳ ଓ ସରକାରୀ କଳ ଏକଜୁଟ ହେବା କଣ ଟିମ ୱାର୍କ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ।

ସେପଟେ ଏହାର ଜବାବ ଦେଇଛି ବିଜେଡି । ବିଧାୟକ ଅମର ଶତପଥୀ କହିଛନ୍ତି ଫାଇଭ-ଟି ଟ୍ରାନ୍ସଫରମେସନ ଆଣୁଛି । ଏଥିସହ ଶାସନ ବ୍ୟବସ୍ଥାରେ ଫାଇଭ-ଟିର ପ୍ରଚଳନ ଅନ୍ୟମାନଙ୍କୁ ଛାନିଆ କରିଦେଇଛି ।