ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କହିଲେ, ମମିତା ମୃତ୍ୟୁର ୨ ମାସ ପୂର୍ବରୁ ମନ୍ତ୍ରୀଙ୍କ ରାୟପୁର ଘରେ ଆପୋଷ ବୁଝାମଣା ପାଇଁ ହୋଇଥିଲା ଚେଷ୍ଟା

271

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ପୋଲିସ ଉପରେ ମଧ୍ୟ ବର୍ଷିଛନ୍ତି । ବିଜୟ କହିଛନ୍ତି, ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କ ଏଭଳି ମୃତ୍ୟୁ ଅତ୍ୟନ୍ତ ଭୟଙ୍କର ଘଟଣା । ଏଭଳି ଭୟଙ୍କର ଘଟଣା ଆଗରୁ ଓଡ଼ିଶାର କେବେ ହୋଇନଥିଲା । ଗତ ୮ ଦିନ ହେବ ପୋଲିସ ଯେଉଁ ଭଳି ଭାବରେ ତଦନ୍ତ ନାଟକ କରୁଛି, ଏଥିରୁ ଲାଗୁଛି ଡ଼ିଆଇଜି ଓ ଏସପି କ୍ରାଇମର ତଦନ୍ତ କରୁନାହାନ୍ତି ବରଂ ଫିଲ୍ମ ସୁଟିଂ କରୁଛନ୍ତି ।

ଏଥିସହିତ ଗୋବିନ୍ଦକୁ ଖସେଇ ଦେବାକୁ ପୁଣି ଉଦ୍ୟମ ହେଲାଣି । ପୋଲିସ ଆଗରେ ଯଦି ସେ ସତ ମାନିଲା ତେବେ ଆଜି ପର୍ଯ୍ୟନ୍ତ ପୋଲିସ ଜୁଡ଼ିସିଆଲ କନଫେକସନ କାହିଁକି କଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କ୍ରାଇମ ତଦନ୍ତ ବିଷୟରେ ଯାହାର ସାଧାରଣ ଜ୍ଞାନ ନ ଥାଏ ସେହିମାନେ ଏହି କେସର ଦାୟିତ୍ୱ ନେଇଛନ୍ତି । ହାଜତ ବଦଳରେ ବାରାକରେ କାହିଁକି ଗୋବିନ୍ଦକୁ ରଖାଗଲା ? ବର୍ତ୍ତମାନ ଏହି ଘଟଣାକୁ ସପ୍ତାହେ ପୂରିବାକୁ ଲାଗିଲାଣି । ଗୋବିନ୍ଦର ଟିଆଇ ପ୍ୟାରେଡ଼ କାହିଁକି କରୁନି ପୋଲିସ ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ତେବେ ଦୁଇ ମାସ ଧରି ଏହି ଘଟଣା ଚାଲିଛି । ଝିଅ ସହିତ କମ୍ପ୍ରମାଇଜ୍ କରିବା ଲାଗି ଚେଷ୍ଟା କରାଯାଉଥିଲା । ଏ କଥା ପୋଲିସ ବି ଜାଣିଛନ୍ତି । କେବଳ ମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଏପରିକି କମ୍ପ୍ରମାଇଜ୍ କରିବା ପାଇଁ ମନ୍ତ୍ରୀ, ଗୋବିନ୍ଦ ଓ ମମିତାକୁ ନେଇ ରାୟପୁରରେ ବୈଠକ କରିଛନ୍ତି, ତାହା ପୁଣି ମନ୍ତ୍ରୀଙ୍କ ନିଜ ବାସ ଭବନରେ । ମନ୍ତ୍ରୀ ରାୟପୁର ଯାଇଛନ୍ତି କି ନାହିଁ ତାହାର ତଦନ୍ତ କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ସତ ଘଟଣା ଗୁଡିକୁ ସରକାର, ଅଫିସର ସମସ୍ତେ ଘଣ୍ଟ ଘୋଡାଇବା ପାଇଁ ଲାଗିଛନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ଯେ ଯେଉଁ ତଦନ୍ତ ରିପୋର୍ଟ ଆସିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତାହାର ନିଜେ ଅନୁଧ୍ୟାନ କରନ୍ତୁ । ଅନୁଧ୍ୟାନ କରି ଚୁପ ବସି ଯାଆନ୍ତୁ ନାହିଁ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରୁଛି । ଯେଉଁ ରିପୋର୍ଟ ଆସିଛି ତାକୁ କିଛି ଅଣ ଓଡିଆ ଅଫିସର ତାକୁ ଲୁଚେଇ କି ରଖିଛନ୍ତି । ତାକୁ ମୁଖ୍ୟମନ୍ତ୍ରୀ ମଗାନ୍ତୁ ଆଉ ଦେଖିବା ପରେ ହିଁ ସେ ଆପେ ଆପେ କାର୍ଯ୍ୟାନୁଷ୍ଠାନ ନେଇଯିବେ ବୋଲି ବିଜୟ ମହାପାତ୍ର କହିଛନ୍ତି ।