ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ସରକାରଙ୍କୁ ବିଜୟ ମହାପାତ୍ରଙ୍କ ପ୍ରଶ୍ନ । ସରକାରଙ୍କ ଜାଣତରେ ସବୁ କିଛି ହୋଇଥିବାରୁ ସ୍ପଷ୍ଟୀକରଣ ଦେଉନାହାନ୍ତି । ଇଡି ସିଜ୍ କଲେ ଆସିବ ବିସ୍ଫୋରକ ତଥ୍ୟ

ଅର୍ଥମନ୍ତ୍ରୀଙ୍କୁ ଚିଠି ନଲେଖି ରାଜ୍ୟ ସରକାର ଇଡିକୁ ଚିଠି ଲେଖନ୍ତୁ : ବିଜୟ

254

କନକ ବ୍ୟୁରୋ: ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରହିବା ନେଇ ପୁଣି ମୁହଁ ଖୋଲିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ ଅଭିଯୋଗ କରିଛନ୍ତି, ସବୁ ସରକାରଙ୍କ ଜାଣତରେ ହୋଇଥିବାରୁ ସରକାର ସ୍ପଷ୍ଟୀକରଣ ଦେଉନାହାନ୍ତି । ବିଜୟ କହିଛନ୍ତି, ୨୦୧୫ରେ ଏଜି ଜଣାଇଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି । ସରକାର କାହିଁକି ୫ ବର୍ଷ ଧରି ଚୁପି ବସିଲେ । ଗଜପତି ମହାରାଜ ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି । ପରିଚାଳନା କମିଟିର ସଦସ୍ୟ ଓ ଦୁଇଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରାଇ ଦେବା ପାଇଁ କେନ୍ଦ୍ର ସରକାରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ୟେସ୍ ବ୍ୟାଙ୍କରୁ ଟଙ୍କା ରିଲିଜ୍ କରିବା ପାଇଁ ଆରବିଆଇ ଅନୁମତି ଦେଉ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଓଡ଼ିଶା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ନିରଂଜନ ଲେଖିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହା ପରିଚାଳିତ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିରର ଫାଉଣ୍ଡେସନ୍ ଫଣ୍ଡ, କର୍ପସ ଫଣ୍ଡ ଓ ଟେମ୍ପଲ ଫଣ୍ଡରୁ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଟିଡିଆର ବା ଟର୍ମ ଡିପୋଜିଟ୍ ରିସିପ୍ଟ ଆକାରରେ ଜମା ରଖାଯାଇଛି । ଯାହା ଏହି ମାର୍ଚ୍ଚ ମାସରେ ପରିପକ୍ୱ ହୋଇଥାନ୍ତା । ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣରେ ଆରବିଆଇ କଟକଣା ଜାରି କରିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଜଗନ୍ନାଥଙ୍କ ଜମା ଟଙ୍କା ଫେରାଇବାକୁ ଆରବିଆଇ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି ନିରଂଜନ ।

ସେପଟେ ଶ୍ରୀଜଗନ୍ନାଥଙ୍କ ୟେସ ବ୍ୟାଙ୍କରେ ଥିବା ୫୪୫କୋଟି ଟଙ୍କା ସୁରକ୍ଷିତ ଅଛି ବୋଲି ରିଜର୍ଭ ବ୍ୟାଙ୍କ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ଜଣାଇଥିବା, ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ଅର୍ଥବିଭାଗର ଅଧିକାରୀମାନେ ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଏବଂ ଟଙ୍କା ସୁରକ୍ଷିତ ଥିବା ନେଇ ସେମାନେ ଆଶ୍ୱସ୍ତ କରିଛନ୍ତି ।