କ୍ରାଇମବ୍ରାଞ୍ଚ ପାଲଟିଛି କଭର-ଅପ୍ ବ୍ରାଞ୍ଚ। ନବ ଦାସ ହତ୍ୟା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ କଟାକ୍ଷ କଲେ ବିଜୟ ମହାପାତ୍ର

158

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚଚାର୍ଜସିଟ୍ ଦାଖଲ କରିବା ପରେ ତେଜିଛି ରାଜନୀତି । ନବଙ୍କ ହତ୍ୟା ପରେ ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ଆସୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଚାର୍ଜସିଟକୁ ସମାଲୋଚନା କରିଛନ୍ତି । ବିଜୟ କହିଛନ୍ତି, ନବ ଦାସ ହତ୍ୟା ମାମଲାରେ ଷଡଯନ୍ତ୍ରକୁ ନେଇ ତଦନ୍ତ କରିନାହିଁ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାର ଆବଶ୍ୟକତା ଥିଲା । କିନ୍ତୁ ସେମିତି ହୋଇନଥିବା ବିଜୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଏକ କଭର-ଅପ୍ ବ୍ରାଞ୍ଚ ପାଲଟିଯାଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ, ମଧ୍ୟ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜବାବରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଅତୀତରେ ଯେଉଁଭଳି ସ୍ଥିତି ଥିଲା ଏବେ ସେମିତି ନାହିଁ । ଯେଉଁମାନେ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ କରୁଛନ୍ତି, ସେମାନେ ପୂର୍ବସ୍ଥିତିକୁ ଦେଖିବା ଆବଶ୍ୟକ ।

ଚାର୍ଜସିଟକୁ ନେଇ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ବିରୋଧୀ ସମାଲୋଚନା କରିବା ପରେ, ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । କହିଛନ୍ତି, ପ୍ରାଥମିକ ଚାର୍ଜସିଟ୍ ଦାଖଲ କରଯାଇଛି । ଆହୁରି ତଦନ୍ତ ବାକି ଅଛି । ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ଚାଲିଛି । ତଦନ୍ତ ସରିଲେ ଜଣାଇ ଦିଆଯିବ ।

ନବ ଦାସଙ୍କ ହତ୍ୟା ପାଇଁ କେବଳ ଅଭିଯୁକ୍ତ ଗୋପାଳ ଦାସ ଦାୟୀ । ସେ ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ମାରିଛି । ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ନଥିବା ପ୍ରାଥମିକ ଚାର୍ଜସିଟରେ ଦର୍ଶାଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ବ୍ୟକ୍ତିଗତ ଆକ୍ରୋଶର କାରଣ କଣ, ତାହା କ୍ରାଇମବ୍ରାଞ୍ଚ ପକ୍ଷରୁ ଦର୍ଶାଯାଇନାହିଁ । ଅର୍ଥାତ ନବଙ୍କୁ ଗୋପାଳ ହତ୍ୟା କରିବା ପଛର ପ୍ରକୃତ କାରଣ କଣ, ତାହା ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚ । ଯାହା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି ।