ପୁଣି ମେଡିକାଲ ଗଲେ ବିଜୟ ମହାନ୍ତି । ଭଲ ହୋଇଗଲା ପରେ ନାଟକ ଆରମ୍ଭ କରିବା ପାଇଁ ଇଚ୍ଛାପ୍ରକାଶ କଲେ ଓଲଉଡ଼ର ଲୋକପ୍ରିୟ ଅଭିନେତା
କନକ ବ୍ୟୁରୋ : ଅଭିନେତା ବିଜୟ ମହାନ୍ତି ଦୀର୍ଘଦିନ ହେଲା କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ବେଶ୍ କିଛି ସୁଧାର ଆସିନାହିଁ। ତେବେ କିଛିଦିନ ତଳେ ନିଜ ଘରକୁ ଫେରିବାକୁ ସେ ଇଚ୍ଛା କରିଥିଲେ। ତେଣୁ ପୂରା ଚିକିତ୍ସା ବ୍ୟବସ୍ଥା ସହ ତାଙ୍କୁ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ତାଙ୍କ ଆପାର୍ଟମେଣ୍ଟକୁ ଅଣାଯାଇଥିଲା। ଦୁଇଜଣ ସେବିକାଙ୍କୁ ନିୟୋଜିତ କରାଯାଇଥିଲା। ଦୁଇଦିନ ରହିବା ପରେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ବୁଧବାର ସକାଳେ ମେଡିକାଲରେ ଭର୍ତ୍ତି କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ବିଜୟ ଘରକୁ ଆସିଥିବା ଜାଣି ତାଙ୍କୁ ଭେଟିବା ପାଇଁ ମଙ୍ଗଳବାର ନାଟ୍ୟ ନିର୍ଦେଶକ ମନୋଜ ପଟ୍ଟନାୟକ ଓ ସୁବୋଧ ପଟ୍ଟନାୟକ ସାକ୍ଷାତ ପାଇଁ ଯାଇଥିଲେ। ଯିବା ପରେ ମନୋଜଙ୍କୁ ଦେଖି ବିଜୟ ସେବିକାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଇଏ ମୋର ବୁଢ଼ା ଛାତ୍ର। ଏଥିସହ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’ ନାଟକ କଥା ମନେ ପକାଇ ମନୋଜ ପଟ୍ଟନାୟକ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଓକିଲ ଚରିତ୍ରର ଖୁବ୍ ପ୍ରଶଂସା କରିଥିଲେ। ଏକାଠି ପୁରୀ ଯିବା କଥା ମଧ୍ୟ ସେ ମନୋଜଙ୍କୁ ମନେ ପକାଇ ଦେଇଥିଲେ। ଏକଥା ବି କହିଥିଲେ, ମୁଁ ଭଲ ହୋଇଗଲା ପରେ ଆମେ ପୁଣି ନାଟକ ଆରମ୍ଭ କରିବା। ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବ ରତନ ଥିୟାମଙ୍କ କଥା ମନୋଜ ଶୁଣାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ବିଜୟ ପଚାରି ବୁଝିଥିଲେ। ନାଟ୍ୟ ନିର୍ଦେଶକ ସୁବୋଧ ପଟ୍ଟନାୟକଙ୍କ ଦ୍ବାରା ସୃଷ୍ଟି ‘ନାଟ୍ୟଗ୍ରାମ’ ବାବଦରେ କଥା ହୋଇଥିଲେ। ତେବେ କଥାବାର୍ତ୍ତା ଚାଲୁ ନରଖିଲେ ପୁଣି ସବୁ ଭୁଲି ଯାଉଥିଲେ। ବିଜୟ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ଓ ଝିଅ, ଜ୍ବାଇଁ ପାଖରେ ରହୁଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲା ପରେ ଏକ ଅପରେସନ କରାଯିବ ବୋଲି ଡାକ୍ତର କହୁଥିବା ସୂଚନା ମିଳିଛି। ଗତମାସରେ ବିଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କେୟାର ହସ୍ପିଟାଲକୁ ଅଣାଯିବା ପରେ ଚିକିତ୍ସା ଚାଲୁ ରହିଛି।