ସତ୍ୟନଗର ଶ୍ମଶାନରେ ପହଚିଂଲା ବିଜୟ ମହାନ୍ତିଙ୍କ ପାର୍ଥୀବ ଶରୀର : ପଞ୍ଚଭୂତରେ ଲୀନ ହେଞ୍ଚେ ବିଜୟ; ବାସଭବନ ଓ ଉକ୍ରଳ ସଂଗୀତ ମହାବିଦ୍ୟାଳୟରେ ଶେଷ ଶ୍ରଦ୍ଧାଂଜଳୀ ପରେ ଦିଆଗଲା ଗାର୍ଡ ଅଫ ଅନର

390

କନକ ବ୍ୟୁରୋ : ବିଦାୟ ବିଜୟ । ଓଡିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ସ୍ତବ୍ଧ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଶାଣୀରେ ହେବ ଶେଷ କୃତ୍ୟ । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ ମରଶରୀରକୁ ପ୍ରଥମେ ରସୁଲଗଡ ସ୍ଥିତ ବାସଭବନକୁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଂଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ବିଜୟ ମହାନ୍ତିଙ୍କ ପରଲୋକରେ ଓଡିଆ ସିନେ ଜଗତରେ ୪୩ ବର୍ଷର ଯାତ୍ରାର ଅବସାନ ଘଟିଛି । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୦ ବର୍ଷ । ୪୩ ବର୍ଷର ଅଭିନୟ ଜୀବନରେ ୧୮୦ରୁ ଅଧିକ ଓଡିଆ ଚଳଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି ବିଜୟ ମହାନ୍ତି । ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର ଏବଂ ନିର୍ଦ୍ଦେଶକ ଥିଲେ । ଜୟଦେବ ସମ୍ମାନ ସହିତ ୬ ଥର ରାଜ୍ୟ ଚଳଚିତ୍ର ସମ୍ମାନ ପାଇଥିଲେ । ଏବେ ତାଙ୍କର ପରଲୋକରେ ସାରା ଓଡିଶା ସ୍ତବ୍ଧ ।

ବେଶ୍ କିଛି ଦିନ ହେବ ଅସୁସ୍ଥ ଥିବା ବିଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥିଲେ । ହେଲେ କିଛି ସମୟ ଚିକିତ୍ସା ପରେ ସେମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶରୀର ଅସୁସ୍ଥ ରହୁଥିବାରୁ କିଛି ମାସ ହେଲା ସେ ଅଭିନୟ ଠାରୁ ଦୂରେଇ ରହିଥିଲେ । ଗତ ମେ ୨୫ ତାରିଖରେ ଝିଅ ପାଖରେ ଥିବାବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇଥିଲା । ତେବେ ଓଡିଶା ଫେରି ଆସିବାକୁ ଇଛା ପ୍ରକାଶ କରିବାରୁ ଜୁନ୍ ୧୩ ରେ ତାଙ୍କୁ ଓଡିଶା ଅଣାଯାଇଥିଲା । ବିଜୟ ମହାନ୍ତିଙ୍କ ଏପରି ନିଧନ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।