ଯେଉଁ ରାସ୍ତା ଛାଡିଥିଲେ, ସେହି ରାସ୍ତା ଧରିଲେ ବିଜୟ ମହାପାତ୍ର । ଉଠାଇଥିବା ପ୍ରସଙ୍ଗ ସମାଧାନ ହୋଇନି, କିନ୍ତୁ ବଦଳିଗଲା ନେତାଙ୍କ ଆଭିମୁଖ୍ୟ ।

ପ୍ରଶ୍ନ ଉଠିବା ସ୍ୱାଭାବିକ, କିଭଳି ଏହି ୪ ମାସ ମଧ୍ୟରେ ବଦଳିଗଲା ବିଜୟ ମହାପାତ୍ରଙ୍କ ଆଭିମୁଖ୍ୟ । ବିଜୟ ମହାପାତ୍ର ଦଳ ଛାଡିବା ବେଳେ ଅନୁମାନ କରାଯାଉଥିଲା, ହୁଏତ ସେ ବିଜେଡିକୁ ଯାଇପାରନ୍ତି । ଏପରିକି ଦିଲ୍ଲୀପ ରାୟ, ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ବେଶ ଆଗକୁ ବଢିଯାଇଥିଲା । ହେଲେ ସେହି ସ୍ଥିତି ସୃଷ୍ଟି ହେଲାନି, ଯେତେବେଳେ ୧୯ ବର୍ଷ ପରେ ବିଜୟ-ନବୀନ ଏକାଠି ହେବାର ଅବସର ସୃଷ୍ଟି ହୋଇଥାନ୍ତା ।

280

ନଭେମ୍ବର ୩୦ରେ ଯେତେବେଳେ ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଏହା ଆଦୈା ଅପ୍ରତ୍ୟାଶି ନଥିଲା । ବରଂ ଏଭଳି କିଛି ଘଟିବ ବୋଲି ରାଜନୀତିରେ ଉଣା ଅଧିକେ ସମସ୍ତେ ପୂର୍ବାନୁମାନ କରି ସାରିଥିଲେ । ସେହିଭଳି ବିଜେପିକୁ ପୁଣି ବିଜୟ ଫେରିବା ମଧ୍ୟ ସଂପୂର୍ଣ୍ଣ ଆକସ୍ମିକ ନଥିଲା । ଏନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ସରିଥିଲା । ହେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି, ତାହା ହେଲା ବିଜୟ ମହାପାତ୍ର ଇସ୍ତଫା ଦେବା ବେଳେ ଯେଉଁ ସବୁ ପ୍ରସଙ୍ଗ ଆଉ ମୁଦ୍ଦା ଉଠାଇଥିଲେ, ତାର ସ୍ଥିତି ଆଜି କେଉଁଠି ଅଛି । ଏହି ଦିଗକୁ ବିଜୟ ମହାପାତ୍ର ସଂପୂର୍ଣ୍ଣ ଆଖି ବୁଜି ଦେଇନାହାନ୍ତି ତ?

ଇସ୍ତଫା ପତ୍ର ଜରିଆରେ ବିଜୟ ମହାପାତ୍ର ଦର୍ଶାଇବାକୁ ଚେଷ୍ଟା କରିଥିଲେ, ରାଜ୍ୟ ସ୍ୱାର୍ଥରେ ବିଜେପି ନାହିଁ । ମହାନଦୀ ସମସ୍ୟା, ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ପ୍ରସଙ୍ଗ ବାବଦରେ କୁହାଯାଇଥିବା ଗୋଟିଏ ବି କଥା ରଖାଗଲା ନାହିଁ । ଓଡିଶାର ଲୋକ ନିରାଶ ହେବା ସହ ଦିଆଯାଉଥିବା ଭଲ ପରାମର୍ଶ କେତେକ ଅହଂ ଓ ସ୍ୱାର୍ଥକୈନ୍ଦ୍ରିକ ବ୍ୟକ୍ତି କଦର୍ଯ୍ୟ କୈାଶଳ କରି ଏସବୁକୁ ଏକ ବିପଦ ବୋଲି ଅର୍ଥ ବାହାର କଲେ ।

ସେହିଭଳି ନିଜ ଇସ୍ତଫା ପତ୍ରରେ ବିଜୟ ମହାପାତ୍ର ଲେଖିଥିଲେ, ନିର୍ବାଚନ ମଣ୍ଡଳୀରେ ଉପହାସ କରାଇବାକୁ ପ୍ରଚାର ଆରମ୍ଭ କରାଗଲା । ରାଜ୍ୟରେ ଏକାଧିକ ଦଶନ୍ଧି ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଏବଂ ଆତ୍ମସମ୍ମାନ ଥିବା ରାଜନେତା ଭାବରେ ଦଳପାଇଁ ପ୍ରଦର୍ଶନର ବସ୍ତୁ ହୋଇ ରହିବାକୁ ଚାହୁଁନାହୁଁ । କ୍ଷମତା ବା ଟିକେଟ ପାଇଁ କଦାପି ଆତ୍ମସମ୍ମାନ କିମ୍ବା ରାଜ୍ୟର ସ୍ୱାର୍ଥ ସହ ସାଲିସ କରିବୁ ନାହିଁ । ଦଳ ଯେଉଁଭଳି ଭାବରେ ପରିଚାଳିତ ହେଉଛି ସେଥିରୁ ଦଳ ପ୍ରତି ଲୋକଙ୍କ ମୋହଭଙ୍ଗ ହେବା ପ୍ରତିଫଳିତ ହେଉଛି । ଦୀର୍ଘ ୪ ବର୍ଷ ବୃଥାରେ ଅପେକ୍ଷା କଲୁ, ଆଉ ଅଧିକ ସମୟ ଅପେକ୍ଷା କରି ପାରିବୁ ନାହିଁ । ତେଣୁ ଦଳ ଛାଡୁଛୁ ।

ନଭେମ୍ବର ୩୦ରେ ଏହି କିଛି ଉକ୍ତି ବେଶ ଚର୍ଚ୍ଚିତ ହୋଇଥିଲା । ଆଉ ସେବେଠାରୁ ଆକଳନ ଆରମ୍ଭ ହୋଇଥିଲା ଏହି ବରିଷ୍ଠ ରାଜନେତାଙ୍କ ଆଗାମୀ ରାଜନୈତିକ ଆଭିମୁଖ୍ୟ କଣ ରହିବ । ହେଲେ ଠିକ ୪ ମାସ ପରେ ଯେଉଁ ବିଜେପି ନେତୃତ୍ୱ ଆଉ ବିଜେପିର ଆଭିମୁଖ୍ୟ ଓ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଇଙ୍ଗିତ କରି ବିଜୟ ଦଳ ଛାଡିଥିଲେ, ପୁଣି ସେହି ଦଳକୁ ଫେରି ଆସିଛନ୍ତି ।

ହେଲେ ଗୁରତ୍ୱପୂର୍ଣ୍ଣ କଥା ହେଉଛି, ଏହି ୪ ମାସ ଭିତରେ ବିଜୟ ମହାପାତ୍ର ଉଠାଇଥିବା ସମସ୍ତ ପ୍ରସଙ୍ଗ ଠିକ ସେହିଭଳି ଅଛି, ଯାହା ନଭେମ୍ବର ୩୦ରେ ଥିଲା । ଆଜି ବି ମହାନଦୀରେ ଉପରମୁଣ୍ଡରୁ ପାଣି ଆସିବା ଏକ ବଡ ସମସ୍ୟା । ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ ହୋଇନାହିଁ । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମିତ ହୋଇନାହିଁ କିମ୍ବା ଆଇଓସିଏଲରେ ଓଡିଆଙ୍କ ନିଯୁକ୍ତି ନେଇ ଆଜି ମଧ୍ୟ ବିବାଦ ରହିଛି । ସମସ୍ୟା ଠିକ ସେହିଭଳି ରହିଛି ହେଲେ ବିଜୟ ମହାପାତ୍ର ଆଜି ପଛ କଥା ଭୂଲି ଆଗକୁ ବଢିଛନ୍ତି । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ବଢିବାକୁ ହେଲେ ଅତୀତ କଥା ଭୂଲିବାକୁ ପଡେ ।

ଠିକ ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ର ଅତୀତରେ ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଠିକ ଯେମିତି, ୨୦୦୯ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ୯ ବର୍ଷ ପରେ ଦଳରୁ ଇସ୍ତଫା ଦେଇଥିଲେ ଆଉ ୨୦୧୯ ନିର୍ବାଚନର ଠିକ ପୂର୍ବରୁ ବିଜେପିକୁ ପୁଣି ଫେରିଛନ୍ତି ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା । ରାଜନୀତିରେ ଅନେକ ବାଧ୍ୟ ବାଧ୍ୟକତା ଥାଏ, ହୁଏତ ଏହି ଦିଗ ହିଁ ବିଜୟଙ୍କୁ ନିଷ୍ପତିର ପୂନର୍ବିଚାର କରିବାକୁ ବାଧ୍ୟ କରି ଥାଇପାରେ ।

ଗତ ୪ ମାସ ମଧ୍ୟରେ ରାଜ୍ୟ ରାଜନୀତିରେ ଅନେକ କିଛି ବଦଳିଛି । ଯେଉଁ ନେତା ଅର୍ଥାତ୍ ବୈଜୟନ୍ତ ପଣ୍ଡା ଓ ଅରୁଣ ସିଂଙ୍କ ସହ ଆଜି ବ୍ରେକଫାଷ୍ଟ କରି ବିଜେପିକୁ ଫେରିବା ନେଇ ଘୋଷଣା କଲେ ସେମାନେ ବିଜୟଙ୍କୁ ବୁଝାଇବାରେ ସମର୍ଥ ହେଲେ । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଭିମୁଖ୍ୟ ଆଜିର ମିଶ୍ରଣ ପର୍ବ ଉପରେ କିଛି ଅଲଗା ଥିଲା । ନା ବିଜୟ ଫେରିବା ପାଇଁ ହୋଇଥିବା ତମାମ କଥାବାର୍ତ୍ତାରେ ଧର୍ମେନ୍ଦ୍ରଙ୍କର କୈାଣସି ଭୂମିକା ନଥିଲା । ଖାସ୍ ସେଥିପାଇଁ ମିଶ୍ରଣ ପର୍ବ ଅବସରରେ ଧର୍ମେନ୍ଦ୍ର-ବିଜୟ ପାଖାପାଖି ବସିନଥିଲେ । ଉଭୟଙ୍କ ମଧ୍ୟରେ ବସିଥିଲେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଯାହା କିଛି ସମୟ ପାଇଁ ଚର୍ଚ୍ଚାର ଖୋରାକ ମଧ୍ୟ ଯୋଗାଇଥିଲା ।

ପ୍ରଶ୍ନ ଉଠିବା ସ୍ୱାଭାବିକ, କିଭଳି ଏହି ୪ ମାସ ମଧ୍ୟରେ ବଦଳିଗଲା ବିଜୟ ମହାପାତ୍ରଙ୍କ ଆଭିମୁଖ୍ୟ । ବିଜୟ ମହାପାତ୍ର ଦଳ ଛାଡିବା ବେଳେ ଅନୁମାନ କରାଯାଉଥିଲା, ହୁଏତ ସେ ବିଜେଡିକୁ ଯାଇପାରନ୍ତି । ଏପରିକି ଦିଲ୍ଲୀପ ରାୟ, ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ବେଶ ଆଗକୁ ବଢିଯାଇଥିଲା । ହେଲେ ସେହି ସ୍ଥିତି ସୃଷ୍ଟି ହେଲାନି, ଯେତେବେଳେ ୧୯ ବର୍ଷ ପରେ ବିଜୟ-ନବୀନ ଏକାଠି ହେବାର ଅବସର ସୃଷ୍ଟି ହୋଇଥାନ୍ତା ।

ଶେଷରେ ତମାମ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି ବିଜୟ ମହାପାତ୍ର । ଯାହା ଅନେକ ରାଜନୈତିକ ପ୍ରଶ୍ନ ସୃଷ୍ଟି କରିଛି । ଏହା ବିଜୟ ମହାପାତ୍ରଙ୍କ ପାଇଁ ବାଧ୍ୟ ବାଧ୍ୟକତା ନଥିଲା ତ? ଅର୍ଥାତ୍ ବିଜେଡି ଶିବିରରେ ଯେତେବେଳେ ପ୍ରବେଶ କରିବାକୁ ବିଜୟଙ୍କ ସବୁ ରାସ୍ତା ବନ୍ଦ ହୋଇଗଲା, ଠିକ ସେତିକିବେଳେ ବିଜେପି କ୍ୟାମ୍ପକୁ ବାଛିନେଇ ଆଗକୁ ବଢିଗଲେ ଏହି ଭେଟେରାନ ରାଜନେତା ।