ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କ ଭାଇ ସୌଭିକଙ୍କୁ ଇଡିର ମାରାଥନ ପଚରାଉଚରା; ୧୮ ଘଂଟା ଧରି ତୁହାକୁ ତୁହା ପ୍ରଶ୍ନ, ପୂର୍ବରୁ ଗର୍ଲଫ୍ରେଣ୍ଡ ରିୟା ବି ହୋଇଥିଲେ ହାଜର

367

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତି ଓ ତାଙ୍କ ପରିବାର ଉପରେ ଆଇନର ପନଝା ଶକ୍ତ ହେବାରେ ଲାଗିଛି । ଅର୍ଥନୈତିକ ଅପରାଧ ଅଭିଯୋଗ ନେଇ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କୁ ମାରାଥନ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନିଲଣ୍ଡ୍ରିଂ ମାମଲାରେ ସୌଭିକ ଚକ୍ରବର୍ତିଙ୍କୁ ଦୀର୍ଘ ୧୮ ଘଂଟା ପଚରା ଉଚରା କରିଛନ୍ତି ଇଡି ଅଧିକାରୀ । ପୂର୍ବରୁ ମଧ୍ୟ ଗତ ଶୁକ୍ରବାର ସୌଭିକଙ୍କୁ ୨ଘଂଟା ଜେରା କରି ଛାଡି ଦେଇଥିଲା ଇଡି । ସେହି ଶୁକ୍ରବାର ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତିଙ୍କୁ ୯ଘଂଟାର ଜେରା କରାଯାଇଥିଲା ।

ବର୍ତମାନ ସୁଦ୍ଧା ରିୟାଙ୍କ ସମେତ ତାଙ୍କ ଭାଇ ସୈାଭିକ ଚକ୍ରବର୍ତି, ସୁଶାନ୍ତ ସିଂଙ୍କ ମ୍ୟାନେଜର ଶ୍ରୁତି ମୋଦି, ସିଏ ରିତେଶ ସାହା, ରିୟାଙ୍କ ବନ୍ଧୁ ସାମୁଏଲ ମିରିଣ୍ଡାଙ୍କୁ ପଚରାଉଚରା କରିସାରିଛି । ସୁଶାନ୍ତ ସିଂଙ୍କ ପିତା ରିୟା ଓ ତାଙ୍କ ପରିବାର ୧୫ କୋଟି ଟଙ୍କା ହେରଫେର କରଥିବା ଅଭିଯୋଗ ଆଣିଛନ୍ତି । ସେପଟେ ବିହାର ପୁଲିସ ସିବିଆଇକୁ ସୁଶାନ୍ତ କେସ ସଂପର୍କିତ ସମସ୍ତ ଦସ୍ତାବିଜ୍ ହସ୍ତାନ୍ତର କରିଛି । ସୁଶାନ୍ତ ସିଂ ମୃତ୍ୟୁ ମାମାଲାରେ ପକ୍ଷଭୁକ୍ତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି ସିବିଆଇ ।

ଅନ୍ୟପଟେ ଗତକାଲି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାକୁ ନେଇ ଜବାବ ଦାଖଲ କରିଛନ୍ତି । ସେଥିରେ ସିବିଆଇ ତଦନ୍ତକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ପୁଲିସ ପକ୍ଷରୁ କୁହାଯାଇଛି, ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ଥିବା ବେଳେ ସିବିଆଇ ମାମାଲା ରୁଜୁ କରିବାର ନଥିଲା କି ଟିମ ଗଠନ କରି ତଦନ୍ତ ଆରମ୍ଭର କରିବାର ନଥିଲା । ଅନ୍ତତଃ ସୁପ୍ରିମକୋର୍ଟଙ୍କ ରାୟ ଆସିବା ଯାଏଁ ସିବିଆଇ ଅପେକ୍ଷା କରିବା କଥା ବୋଲି କହିଛି ମହାରାଷ୍ଟ୍ର ପୁଲିସ ।