ମୋଦି ଜୀ, ବିହାରୀଙ୍କୁ ଦିଅନ୍ତୁ କାଶ୍ମୀର । ୧୫ ଦିନରେ ଯଦି ସୁଧାରି ନଦେବୁ ତାହେଲେ କହିବେ । କାହିଁକି ଏମିତି କହିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ।

328

କନକ ବ୍ୟୁରୋ : ମୋଦି ଜୀ କାଶ୍ମୀରକୁ ସୁଧାରିବାର ଦାୟିତ୍ୱ ବିହାରବାସୀଙ୍କୁ ଦେଇଦିଅନ୍ତୁ , ୧୫ ଦିନରେ କାଶ୍ମୀରକୁ ଯଦି ନ ସୁଧାରିଦେବୁ ତାହେଲେ କହିବେ । କିଛି ଏମିତି କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ । କାଶ୍ମୀରରେ ଗତ କିଛି ଦିନ ହେବ ବିହାରୀଙ୍କ ଉପରେ ଯେଉଁଭଳି ଆତଙ୍କବାଦୀ ଆକ୍ରମଣ ହେଉଛି ତାହାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି କହିଛନ୍ତି ଜୀତନ ରାମ ମାଂଝୀ ।

ଜୀତନ ରାମ ଟ୍ୱିଟ୍ କରି କହିଛନ୍ତି, କାଶ୍ମୀରରେ ଲଗାତାର ଆମ ନିରୀହ ବିହାରୀ ଭାଇଙ୍କୁ ହତ୍ୟା କରାଯାଉଛି ଯାହା ମୋତେ ବେଶ ବ୍ୟଥିତ କରିଛି । ଯଦି ସ୍ଥିତିରେ ସୁଧାର ଆସୁନି ତେବେ କାଶ୍ମୀରକୁ ବିହାରୀଙ୍କ ହାତରେ ଦିଅନ୍ତୁ ମୋଦୀ ଜୀ ଏବଂ ଶାହା ଜୀ । ୧୫ ଦିନ ମଧ୍ୟରେ କାଶ୍ମୀରକୁ ଯଦି ସୁଧାରି ନଦେବୁ ତେବେ କହିବେ ବୋଲି ଟ୍ୱିଟ୍ କରିଛନ୍ତି ଜୀତନରାମ ।

କାଶ୍ମୀରରେ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀ ମାନେ ବିହାର ଲୋକଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ପ୍ରଥମେ ବିହାର ଯୁବକ ଯିଏ କାଶ୍ମୀରରେ ଗୁପଚୁପ୍ ବ୍ୟବସାୟ କରୁଥିଲେ ତାଙ୍କୁ ଆତଙ୍କବାଦୀ ମାନେ ଗୁଳି ମାରି ହତ୍ୟା କରିଥିଲେ । ପରେ ଶନିବାର ଅରବିନ୍ଦ କୁମାର ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା । ସେହିଭଳି ରବିବାର ଦୁଇ ଜଣ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ଆତଙ୍କବାଦୀଙ୍କୁ ନିପାତ କରିବାକୁ ଏବେ ଭାରତୀୟ ସେନା ପକ୍ଷରୁ ଜୋରଦାର ଅପରେସନ କରାଯାଉଛି । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ଏଭଳି ସ୍ଥିତିରେ ସେନା ଠାରୁ ଲୁଚି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଯେଉଁଥିପାଇଁ ରୋଜଗାର ପାଇଁ ଭାରତର ଭୁସ୍ୱର୍ଗ କୁହାଯାଉଥିବା କାଶ୍ମୀରକୁ ଆସିଥିବା ପ୍ରବାସୀ ମାନେ ଘରମୁହାଁ ହୋଇଛନ୍ତି । ଅନ୍ୟ ରାଜ୍ୟର ଲୋକ ଏବେ ଜମ୍ମୁ-କାଶ୍ମୀରରୁ ପଳାୟନ କରୁଥିବା ବେଳେ ରବିବାର ବିହାରର ଦୁଇ ପ୍ରବାସୀଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ରେଳଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଭିଡ଼ ବଢିବାରେ ଲାଗିଛି । ଟ୍ରେନ ପହଞ୍ଚିବାର ଅନେକ ପୂର୍ବରୁ ପ୍ରବାସୀ ଶ୍ରମିକ ରେଳ ଷ୍ଟେସନରେ ପହଞ୍ଚୁଥିବାର ଦେଖିବାକୁ ମିଳୁଛି ।