ମଝି ନଦୀରେ ହଟହଟା ହେଲେ ବିଚାରପତି । ନାଉରିଆ ଦେଖାଇଲା ନାଲି ଆଖି

236

ବିହାରର ଚମ୍ପରଣ ଜିଲ୍ଲାର ଜିଲ୍ଲା ଜଜ୍ ରାଜକୁମାର,ତାଙ୍କ ପୁଅ ଏବଂ ତାଙ୍କର ଜଣେ କର୍ମଚାରୀଙ୍କ ସହ ମିଶି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ହନୁମାନ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଥିଲେ । ପ୍ରୟାଗରାଜ ଯାଇଥିବାରୁ ରାଜକୁମାର ତ୍ରିବେଣୀ ସଙ୍ଗମର ଜଳ ନେଇ ଘରକୁ ଫେରିବା ପାଇଁ ମନସ୍ଥ କରିଥିଲେ । ପାଖରେ ଥିବା ଜଣେ ନାଉରିଆକୁ ଡାକି ଡ଼ଙ୍ଗାରେ ରାଜକୁମାରଙ୍କୁ ନେବା ପାଇଁ କୁହାଯିବା ପରେ ସେ ପ୍ରଥମେ ୫ହଜାର ଟଙ୍କା ଭଡ଼ା ନେବା ପାଇଁ କହିଥିଲେ । କିନ୍ତୁ ରାଜକୁମାର ମନା କରିବା ପରେ ୨୦୦ଟଙ୍କାରେ ସେ ନେବା ପାଇଁ ରାଜି ହୋଇ ଯାଇଥିଲା । କିନ୍ତୁ ତାଙ୍କୁ ନାଉରୀ ମନରେ ଚାଲୁଥିବା ଷଡ଼ଯନ୍ତ୍ର ବିଷୟରେ ଜଣା ନଥିଲା ।

ସୂଚନା ମୁତାବକ, ରାଜକୁମାର ତାଙ୍କ ପୁଅ ଏବଂ କର୍ମଚାରୀଙ୍କୁ ଧରି ଡ଼ଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ । ଡ଼ଙ୍ଗାଟି ମଝି ନଈରେ ପହଞ୍ଚିବା ପରେ ନାଉରିଆ ଜଣଙ୍କ ୫ହଜାର ଟଙ୍କା ନଦେଲେ ବୁଡ଼ାଇ ଦେବି ବୋଲି ଧମକ ଦେଇଥିଲେ । ଏହା ପରେ ରାଜକୁମାର ବାଧ୍ୟ ହୋଇ ୫ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ସଙ୍ଗମ ଜଳ ନେଇ କୂଳକୁ ଫେରିବା ପରେ ଡ଼ଙ୍ଗା ଛାଡ଼ି ନାଉରିଆ ଖସି ପଳାଇଥିଲା । କିନ୍ତୁ ଖସି ପଳାଉଥିବା ସମୟରେ ରାଜକୁମାର ତାଙ୍କର ଫଟୋ ଉଠାଇ ପ୍ରୟାଗରାଜର ଦାରାଗଞ୍ଜ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ରାଜକୁମାର ଦେଇଥିବା ଫଟୋକୁ ନେଇ ଏବେ ପୁଲିସ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ।