ଆସନ୍ତା କାଲିଠାରୁ ବିହାରରେ କୋହଳ ହେବ କରୋନା କଟକଣା । କିଛି ସର୍ତ୍ତ ସହିତ ଖୋଲିବ ଶିକ୍ଷାନୁଷ୍ଠାନ

2,819

କନକ ବ୍ୟୁରୋ :  ଜୁଲାଇ ୬ ତାରିଖରୁ ବିହାରରେ କୋଭିଡ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୀତିଶ କୁମାର ଏନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକ ପରେ ନୀତିଶ କୁମାର ଦେଇଥିବା ସୂଚନା ମୁତାବକ ଆସନ୍ତା କାଲି (ଜୁଲାଇ ୬) ଠାରୁ କିଛିମାତ୍ରାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତି ନିଆଯାଇଛି ।

ଏହାସହ ଏବେ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ, ସବୁ କଲେଜ, ଟେକ୍ନିକାଲ ଶିକ୍ଷା ସଂସ୍ଥା, ସରକାରୀ ଟ୍ରେନିଂ ସେଣ୍ଟର ଯୁକ୍ତ ଦୁଇ ବିଦ୍ୟାଳୟ ୫୦ ପ୍ରତିଶତ ଛାତ୍ର ଛାତ୍ରୀଙ୍କୁ ନେଇ ଚାଲିବ । ଏହାସହ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ହେବ ବୋଲି କୁହାଯାଇଛି । ଏହାସହ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକୁ ମୋଟ କ୍ଷମତାର ୫୦ ପ୍ରତିଶତ କର୍ମଚାରୀ ଓ ଗ୍ରାହକଙ୍କୁ ନେଇ ଖୋଲାଯାଇପାରିବ ।

କହିରଖୁ କି ବିହାରରେ ଦୈନିକ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି । ଏନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଭଳି ନିଷ୍ପତି ନେଇଛନ୍ତି । ଅନଲକ- ୪ ରେ ଶିକ୍ଷାନୁଷ୍ଠାନ ସହ ଆହୁରି ଅନେକ ଜିନିଷ ଖୋଲିବାକୁ ଅନୁମତି ଦେଇଛନ୍ତି । ରବିବାର ଦିନ ବିହାରରେ ମାତ୍ର ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବାରମ୍ବାର କ୍ରାଇସେସ୍ ମ୍ୟାନେଜମେଣ୍ଟ ଗ୍ରୁପ ସହିତ ବୈଠକ କରୁଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟର କରୋନା ସ୍ଥିତିକୁ ନଜରରେ ରଖି ଧିରେ ଧିରେ କୋଭିଡ କଟକଣାକୁ କୋହଳ କରାଯାଉଛି ।