ବିହାର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା । ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ନଭେମ୍ବର ୧୦ରେ ହେବ ଭୋଟ ଗଣତି

ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ହେବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ହେବ ଭୋଟ୍ ।

151

କନକ ବ୍ୟୁରୋ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସୁନିଲ ଆରୋରା ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରିଛନ୍ତି । ତେବେ ତାରିଖ ଘୋଷଣା ପୂର୍ବରୁ ଶ୍ରୀ ଆରୋରା କହିଛନ୍ତି କି, କରୋନା ମହାମାରୀ ବେଳେ ଦେଶରେ ଏହା ପ୍ରଥମ ନିର୍ବାଚନ । ଏହା ପୂର୍ବରୁ ବିଶ୍ୱରେ ୭୦ ଦେଶର ନିର୍ବାଚନ ହେବାକୁ ଥିବାବେଳେ କରୋନା ମହାମାରୀ ପାଇଁ ସମସ୍ତ ଦେଶର ନିର୍ବାଚନ ତାରିଖ ଘୁଂଚାଇ ଦିଆଯାଇଛି । କରୋନା ମହାମାରୀ ଭିତରେ ହେବାକୁ ଥିବା ଏହି ନିର୍ବାଚନରେ ପୋଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯିବ ଅର୍ଥାତ ଅଧିକ ପୋଲିଂବୁଥର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ । ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର କରାଯିବ । ୭ ଲକ୍ଷ ସାନିଟାଇଜର ଓ ୬ ଲକ୍ଷ ପିପିଇ କିଟ୍ ବି ବ୍ୟବହାର କରାଯିବ ।

ସେହିଭଳି ବିହାରରେ ମୋଟ ୭ କୋଟି ୭୯ ଲକ୍ଷ ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ଭୋଟର ରହିଛନ୍ତି ସେହିଭଳି ପୁରୁଷ ଭୋଟରଙ୍କ ସଂଖ୍ୟା ୩ କୋଟି ରହିଛି । ଏହି ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀ ମାନେ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ପ୍ରାର୍ଥୀଙ୍କ ତଥ୍ୟ ସାର୍ବଜନୀନ ହେବ । ଏହାସହ ଭୋଟଦାନର ସମୟ ବି ବଢିବ । କରୋନା ପିଡୀତଙ୍କ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ପୋଲିଂ ବୁଥରେ ଭୋଟ ସରିବା ପରେ ଶେଷ ସମୟରେ କରୋନା ପୀଡିତ ମାନେ ଭୋଟ ଦେଇପାରିବେ ।

ପ୍ରାର୍ଥୀଙ୍କ ନାମରେ ଯଦି ଅପରାଧିକ ତଥ୍ୟ ଥିବା ତାହା ଗଣମାଧ୍ୟମରେ ପ୍ରକାଶ କରାଯିବ । ୩ ଟି ପର୍ଯ୍ୟାୟରେ ହେବ ମତଦନା । ପ୍ରଥମ ପର୍ଯ୍ୟାୟରେ ୭୧ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିଭଳି ୨ ୟ ପର୍ଯ୍ୟାୟରେ ୯୪ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ ଓ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୭୮ ଆସନ ପାଇଁ ଭୋଟ ଗ୍ରହଣ ହେବ । ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ୨୮ ଅକ୍ଟୋବରରେ ଆରମ୍ଭ ହେବ । ସେହିଭଳି ୩ ନଭେମ୍ବର ରେ ଦ୍ୱିତୀୟ ପର୍ଯ୍ୟାୟ ଓ ୭ ନଭେମ୍ବରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏହା ସହ ନଭେମ୍ବର ୧୦ ରେ ଫଳା ଫଳ ପ୍ରକାଶ କରାଯିବ ବୋଲି ଜଣାଯାଇଛି ।