କନକ ବ୍ୟୁରୋ: ପଢ଼ିବାକୁ ପିଲା ଆସୁ ନାହାନ୍ତି, ଦରମା ନେବି କାହିଁକି ବୋଲି ଯୁକ୍ତି ଦର୍ଶାଇ ଜଣେ ବିହାରୀ କଲେଜ ପ୍ରଫେସର୍‌ ୨ ବର୍ଷ ୯ ମାସର ଦରମା ବାବଦକୁ ୨୩.୮ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି। କିନ୍ତୁ କଲେଜ କର୍ତ୍ତୃପକ୍ଷମାନେ ପ୍ରଫେସରଙ୍କ ଦରମା ଫେରସ୍ତ ପ୍ରତିବାଦକୁ ଗ୍ରହଣ କରିପାରି ନାହାନ୍ତି।

Advertisment

ସୂଚନା ଅନୁସାରେ, ମୁଜାଫର୍‌ନଗରରେ ଥିବା ‘ନୀତିଶ୍ବର କଲେଜ’ରେ ଲାଲ୍ଲନ୍‌ କୁମାର ନାମରେ ଜଣେ ବ୍ୟକ୍ତି ସହକାରୀ ହିନ୍ଦୀ ପ୍ରଫେସର୍‌ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ, ତାଙ୍କର ମେରିଟ୍ ଅନୁସାରେ ତାଙ୍କୁ କୌଣସି ବିଶ୍ୱିବଦ୍ୟାଳୟରେ ନିଯୁକ୍ତି ମିଳିବାକୁ ଥିବାବେଳେ ତାଙ୍କୁ କଲେଜରେ ନିଯୁକ୍ତି ମିଳିଛି । ଏଠାରେ ପାଠ ପଢିବାକୁ ମଧ୍ୟ ଛାତ୍ରଛାତ୍ରୀ ଠିକ ଭାବେ ଆସୁନାହାଁନ୍ତି । ତେଣୁ ଟ୍ରାନ୍ସଫର ପାଇଁ ବାରମ୍ବାର କଲେଜ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ବାରମ୍ବାର ଲିିଖିତ ଆକାରରେ ଜଣାଇଥିଲେ । ୟା ଭିତରେ ୬ଥର ଟ୍ରାନ୍ସଫର ଅର୍ଡର ମଧ୍ୟ ଆସିଥିଲା । ହେଲେ ସେଥିରୁ ପ୍ରଫେସରଙ୍କ ନାଁକୁ ଜାଣିଶୁଣି ହଟାଇଦିଆଯାଇଥିଲା । ଫଳରେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ନିକ କର୍ମରେ ସନ୍ତୁଷ୍ଟି ନମିଳିବାକୁ କାରଣ ଦର୍ଶାଇ ସେ ପାଇଥିବା ୨ ବର୍ଷ ୯ ମାସର ୨୩.୮ ଲକ୍ଷ ଟଙ୍କା ଦରମାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଫେରାଇଦେଇଛନ୍ତି । ହେଲେ ଏହାକୁ କର୍ତ୍ତୃପକ୍ଷ ଗ୍ରହଣ କରିନଥିବା ସୂଚନା ରହିଛି ।

ମନର କ୍ଷୋଭ ପ୍ରକାଶ କରି ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି: ସ୍ନାତକୋତ୍ତର ଶ୍ରେଣୀରେ ପଢ଼ାଇବା ଭଳି କଲେଜରେ ମୁଁ ନିଯୁକ୍ତି ପାଇ ନ ଥିଲି। ଚୟନ ପ୍ରକ୍ରିୟା ସମୟରେ କମ୍‌ ଯୋଗ୍ୟତା ଥିବା ବ୍ୟକ୍ତିମାନଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା। ଏ କଲେଜକୁ ଛାତ୍ରଛାତ୍ରୀ ଆସନ୍ତି ନାହିଁ।ଏହାଛଡ଼ା, ବଦଳି ତାଲିକାରୁ ମଧ୍ୟ ତାଙ୍କ ନାଁ ବହୁବାର କାଟି ଦିଆଗଲାଣି। ମୋ ଦାବି ପୂରଣ ନ ହେଲା ପର୍ୟ୍ୟନ୍ତ ଧାରଣା ଦେବି ବୋଲି ସେ କହିଛନ୍ତି।

ଅନ୍ୟପଟେ କଲେଜର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ, ଛାତ୍ରଛାତ୍ରୀ ଆସୁନାହାନ୍ତି ବୋତଲି କହିବା ଅପ୍ରାସଙ୍ଗିକ। ଗତ ଦୁଇ ବର୍ଷ ହେବ କରୋନାଭାଇରସ୍‌ ମହାମାରୀ ହେତୁ କ୍ଲାସ୍‌ ବାଧାପ୍ରାପ୍ତ ହୋଇଥିଲା। ଯଦି ବଦଳି ହେବାରେ ତାଙ୍କର ଆଗ୍ରହ ଅଛି, ସେ ମୋତେ ସିଧାସଳଖ କହି ପାରିଥାଆନ୍ତେ।

କଲେଜକୁ ଛାତ୍ରଛାତ୍ରୀ ଆସୁ ନ ଥିବା ସଂକ୍ରାନ୍ତରେ ଅବଗତ ହୋଇଥିବା କଥା ମଧ୍ୟ ‘ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ କହିଛି। ଭାଇସ୍‌-ଚାନ୍‌ସେଲର୍‌ ଆର୍. କେ. ଠାକୁର କହିଛନ୍ତି, ଏ ବିଷୟରେ ଆମେ ଅନୁସନ୍ଧାନ କରିବୁ। ବଦଳି ଦାବି ନେଇ ପ୍ରଫେସର୍‌ ଲାଲ୍ଲନ୍‌ କୁମାର ବିବ୍ରତ ହୋଇପଡ଼ିଛନ୍ତି। ସେ ଗୋଟାଏ ଚେକ୍‌ ଦେଇଛନ୍ତି, କିନ୍ତୁ ଆମେ ତାହା ଗ୍ରହଣ କରିନାହୁଁ।ସୂଚନାଯୋଗ୍ୟ, ପିଏଚ୍‌.ଡି କରିଥିବା ଲଲ୍ଲାନ୍‌ କୁମାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ।