ବିହାରରେ ଆସନ ବିବାଦ, ୫୩ଟି ଆସନକୁ ନେଇ ବଢିପାରେ ବିଜେପି ଜେଡିୟୁ ମଧ୍ୟରେ କନ୍ଦଳ, ଚିରାଗ ଓ ଜିତୀନଙ୍କ ପାଇଁ ମେଣ୍ଟର ମୁଣ୍ଡ ବ୍ୟଥା

469

କନକ ବ୍ୟୁରୋ : ତାରିଖ ଘୋଷଣା ହୋଇନଥିଲେ ବି ନଭେମ୍ବରରେ ହେବ ବିହାର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶୱାନ ନିତିଶ କୁମାରଙ୍କ ଜେଡିୟୁ ପାର୍ଟି ପାଇଁ ମୁସ୍କିଲ ଠିଆ କରିଥିଲେ । ହେଲେ ଏହି ମୁସ୍କିଲ ଠାରୁ ବଡ ମୁସ୍କିଲ ବର୍ତମାନ ବିଜେପି ଓ ଜେଡିୟୁ ମଧ୍ୟରେ ଆଶନ ବୁଝାମଣାକୁ ନେଇ ଠିଆ ହୋଇଛି । ବର୍ତମାନ ଏହି ୨ ଦଳ ପାଟନାରୁ ନେଇ ଦିଲ୍ଲୀ ଯାଏଁ ଆସନ ଭାଗବଣ୍ଟାକୁ ନେଇ ମନ୍ଥନ ଚଳାଇଛି । ରାଜ୍ୟରେ ୫୩ ଟି ଏଭଳି ବିଧାନସଭା ଆସନ ଅଛି ଯାହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଟକ୍କର ରହିଛି । ଏହି ଆସନ ଗୁଡିକ ଉପରେ ୨ ଟି ଯାକ ଦଳ ନିଜର ଅଧିକାର ସାବ୍ୟସ୍ଥ କରୁଛନ୍ତି ।

ଏ ସବୁ ସେହି ଆସନ ଯେଉଁଠାରେ କି ୨୦୧୫ ରେ ବିଜେପି ଓ ଜେଡିୟୁ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ୨୦୧୯ ରେ ହୋଇଥିବା ଲୋକସଭା ନିର୍ବାଚନ ମେଣ୍ଟର ଦ୍ୱାହୀ ଦେଇ ବିଜେପି କ୍ଷମତାରେ ଥିବା ୫ ଟି ଲୋକସଭା ଆସନ ଜେଡିୟୁକୁ ଛାଡିଥିଲା । ଏବେ ଜେଡିୟୁ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଏଭଳି କିଛି ଆଶା କରିଛି । ପରିସଂଖ୍ୟାନକୁ ନଜର କଲେ ୨୦୧୫ ବିଧାନସଭା ନିର୍ବାଚନରେ ଏହି ୫୩ ଟି ଆସନ ମଧ୍ୟରୁ ୨୯ ଟି ଆସନରେ ଜେଡିୟୁ ବିଜେପିକୁ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ୨୯ ଟି ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ।

ଅନ୍ୟପଟେ ୨୪ ଟି ଆସନରେ ବିଜେପି ବିଜୟୀ ହୋଇଥିଲା ଓ ଜେଡିୟୁ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ୫୩ ଟି ସିଟକୁ ନେଇ ଏବେ ଉଭୟ ଦଳ ଭିତରେ ମତଭେଦ ଆରମ୍ଭ ହୋଇଛି । ହେଲେ ଉଭୟ ଦଳର ବିଜୟୀ ବିଧାୟକ ମାନେ ଏବେ ସେ ଆସନ ଛାଡିବାକୁ ପ୍ରସ୍ତୁତ ନଥିବା ଭଳି ଜଣାପଡୁଛି । ଏହି ୫୩ ଟି ଆସନରୁ ୨୦୧୫ ରେ ଜେଡିୟୁ ଯେଉଁ ୨୯ ଟି ଆସନରେ ବିଜୟୀ ହୋଇଥିଲା ସେହି ଆସନରୁ ଅଧିକାଂଶ ଆସନ କାଶି- ସୀମାଞ୍ଚଳ ରେ ଅବସ୍ଥିତ ।

ସବୁଠାରୁ ବଡକଥା ହେଉଛି ଏହି ଆସନ ମାନଙ୍କରେ ମୁସଲିମ ସଂପ୍ରଦାୟ ଅଧିକ ରହିଛନ୍ତି । ଏହିସବୁ ଆସନ ମଧ୍ୟରେ ସୁପୋଲ, ରାନୀଗଞ୍ଜ, ରୂପେଲୀ, ବେଣିପୁର, ବିହାରୀଗଞ୍ଜ, କୋଚାୟକୋଟ ସାମିଲ ଅଛି । ଏହା ବ୍ୟତିତ ସିକଟା, ଫୁଲପରାଶ, ଲେକହା, ନିର୍ମଲୀ, ଜୀରାଦେହୀ, ଦରୌଦା,ମହାରାଜଗଞ୍ଜ, ମଟିହାନୀ,ପରବତା, ଗୋପାଲପୁର. ଅମରପୁର, ବେଲହର, ବିହାରସରିଫ୍, ରାଜଗୀର,ଇସଲାମପୁର, ଅଗିୟାଂବ, ରାଜପୁର, ଦିନାରା ଓ ନବୀନଗର ବିଧାନସଭା ସିଟ ବି ସାମିଲ ଅଛି । ଏହିସବୁ ଆସନ ମଧ୍ୟରେ ବିଜେପି ଯେଉଁଠାରେ ଜିତିଛି ସେଠାରେ ଜେଡିୟୁ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହି ୨ ଦଳ ମଧ୍ୟରେ ଆସନ ବୁଝାମଣା ଏଯାଏ କୌଣସି ନିସ୍ପତି ହୋଇ ନଥିବା ବେଳେ ଜେଡିୟୁ ଚାହୁଁଛି କି ସେ ୧୧୫ ଆସନରେ ଲଢିବ ଓ ବିଜେପି ୧୨୮ ଆସନରେ ଲଢୁ । ମାତ୍ର ସର୍ତ ଏଭଳି ଅଛିକି ଚିରାଗ ପାଶୱାନକୁ ବିଜେପି ତା ନିଜର ଭାଗରେ ପଡିଥିବା ଆସନରୁ କିଛି ଆସନ ଛାଡୁ । ବଦଳରେ ଜେଡିୟୁ କିଛି ଆସନ ନୂଆକରି ଏନଡିଏରେ ସାମିଲ ହୋଇଥିବା ଜିତିନ ରାମ ମାଂଝୀଙ୍କୁ ଛାଡିବ । ହେଲେ ଆରମ୍ଭରୁ ବିଜେପି କହିଛି କି ଜେଡିୟୁକୁ ବଡଭାଇ ଭାବେ ଗ୍ରହଣ କରି ବିହାରରେ ନିର୍ବାଚନ ଲଢିବ । ଯାହା ଫଳରେ ବିଜେପି ଅପେକ୍ଷା ଜେଡିୟୁ ଗୋଟିଏ ଆସନ ଅଧିକ ନେବ । ହେଲେ ଏଭଳି ପ୍ରସ୍ତାବ ଉପରେ ଜେଡିୟୁର ସହମତି ଥିବା ଭଳି ଲାଗୁନାହିଁ ।

ବର୍ତମାନ ବିହାରରେ ୨୪୩ ସଦସ୍ୟ ବିଶିଷ୍ଠ ବିଧାନସଭା ଆସନରୁ ଜେଡିୟୁ ୭୧, ବିଜେପିର ୫୩ ବିଧାୟକ ରହିଛନ୍ତି । ୨୦୧୫ ରେ ଜେଡିୟୁ ଆରଜେଡି ଓ କଂଗ୍ରେସ ମେଣ୍ଟରେ ନିର୍ବାଚନ ଲଢିଥିଲା । ତାହା ପୂର୍ବରୁ ୨୦୧୦ ମସିହାରେ ବିଜେପି ଓ ଜେଡିୟୁ ମେଣ୍ଟରେ ନିର୍ବାଚନ ଲଢିଥିଲେ । ସେତେବେଳେ ଜେଡିୟୁ ୧୪୧ ଓ ବିଜେପି ୧୦୨ ଆସନରେ ପ୍ରତିଦ୍ୱନ୍ଦିତା କରିଥିଲେ । ଏହାବାଦ ଏବେ ଏହି ୨ ଦଳର ନଜର କଂଗ୍ରେସ, ବାମଦଳ ଓ ଆରଜେଡି ମେଣ୍ଟ ଉପରେ ରହିଛି । କାରଣ ପ୍ରଥମଥର ଏହି ୩ ଦଳ ଗୋଟିଏ ମଞ୍ଚତଳେ ଠିଆ ହେବାକୁ ଯାଉଥିବା ବେଳେ ଏମାନଙ୍କ ମଧ୍ୟରେ ବି ଆସନ ଭାଗବଣ୍ଟା ହୋଇନାହିଁ । ତେଣୁ ଏହାକୁ ନଜରରେ ରଖି ଜେଡିୟୁ ଓ ବିଜେପି ଆସନ ଭାଗବଣ୍ଟା କରିବ ବୋଲି ଅଶା କରାଯାଉଛି ।