ବିହାରରେ ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ । ୫୦ ପ୍ରତିଶତ ଉପସ୍ଥାନ ସହ ଏମିତି ହେବ କ୍ଲାସ

420

କନକ ବ୍ୟୁରୋ : ଲକଡାଉନ କଟକଣା ଯୋଗୁଁ ବିହାରରେ ବନ୍ଦ ରହିଥିବା ସ୍କୁଲ , କଲେଜ ଓ ୟୁନିଭରସିଟି ସୋମବାର ଠାରୁ ଖୋଲିବାକୁ ଯାଉଛି । ୫୦ ପ୍ରତିଶତ ଉପସ୍ଥାନ ସହ ଏହି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି   । ସ୍କୁଲ ଆସୁଥିବା ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ କୋଭିଡ କଟକଣା ବାଧ୍ୟତାମୂଳକ କରାଯାଇଛି । ଅଧା ଛାତ୍ରଙ୍କ ପାଇଁ ଗୋଟିଏ ଦିନ ଓ ଅନ୍ୟ ଅଧା ଛାତ୍ରଙ୍କ ପାଇଁ ଗୋଟିଏ ଦିନ କ୍ଲାସ ହେବ । ଏହା ଦ୍ୱାରା ଶ୍ରେଣୀରେ ସମାଜିକ ଦୂରତା ନିୟମ ପାଳନ କରିବା ସୁବିଧା ହେବ ବୋଲି କୁହାଯାଇଛି ।

ବିହାରର ଅତିରିକ୍ତ ମୁଖ୍ୟ ସଚିବ ସଂଜୟ କୁମାର ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଜୁଲାଇ ୧୨ ତାରିଖ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କୋଭଡ ଗାଇଡ ଲାଇନ ମଧ୍ୟରେ ଖୋଲାଯିବ । ରାଜ୍ୟରେ କମୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ହରିଆଣାରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁଲାଇ ୧୬ ତାରିଖରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି କରିଛନ୍ତି । ହରିଆଣା ସରକାର କହିଛନ୍ତି କି ଛାତ୍ର ଛାତ୍ରୀମାନେ ଅବିଭାବକଙ୍କ ଠାରୁ ଅନୁମତି ପତ୍ର ଆଣି ସ୍କୁଲ ଆସିପାରିବେ । ଏହାସହ ଗୁୁଜୁରାଟ ସରକାର ବି ଜୁଲାଇ ୧୫ ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିର୍ଣ୍ଣୟ ନେଇଛନ୍ତି ।

କହିରଖୁ କି ଜୁଲାଇ ୭ ତାରିଖ ବୈଠକ ପରେ ବିହାର ସରକାର କୋଭିଡ କଟକଣାରେ କୋହଳ କରିଛନ୍ତି । ଜିମ୍, କ୍ଲବ ଓ ସ୍ୱିମିଂ ପୋଲ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି । ଏହାସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯିବ ବୋଲି ବିହାର ସରକାର ସୂଚନା ଦେଇଛନ୍ତି ।