ଭାଇରାଲ ହେଲା ବିହାର କୁନି ପୁଅର ଭିଡିଓ । କାନ୍ଦି କାନ୍ଦି ସାରଙ୍କୁ କହିଲା ଏମିତି କଥା…

402

କନକ ବ୍ୟୁରୋ: ବିହାରର କୁନି ପୁଅ ଏବେ ଭାଇରାଲ ହେବାରେ ଲାଗିଛି । ସ୍କୁଲ ଶିକ୍ଷକଙ୍କ ଆଗରେ କାନ୍ଦି କାନ୍ଦି ଜଣାଉଛି ନିଜ ଅସହାୟତାର କଥା । ହେଲେ ଏମିତି କ’ଣ ହେଲା ଆଉ ପିଲାଟି କ’ଣ କହିଲା ଯେ, ତାକୁ ନେଇ ଚାରଆଡେ ଚର୍ଚ୍ଚା?

ଘଟଣା ଘଟିଛି ବିହାର ରୋହତାସ୍ ଜିଲ୍ଲା ତିଲୌଥୁ ଇଲାକାରେ ଥିବା ଏକ ସରକାରୀ ସ୍କୁଲରେ । ପିଲାଙ୍କ ପାଖରେ ପଢିବାକୁ ବହି ନାହିଁ । ଏମାନଙ୍କ ମଧ୍ୟରେ ଯେଉଁ କୁନି ଛାତ୍ରକୁ ଆପଣ ଦେଖୁଛନ୍ତି ସେ ତା ପାଖରେ ମଧ୍ୟ ବହି ନାହିଁ । ବହି କିଣିବାକୁ କହି କହି ୫ ଦିନ ହେବ ଥକି ଗଲେଣି ଶିକ୍ଷକ । ଏଥିରେ ବିରକ୍ତ ହୋଇ ବହି ନଥିବା ପିଲାଙ୍କୁ ଲାଇନରେ ଛିଡା କରି କାରଣ ପଚାରିଥିଲେ ଶିକ୍ଷକ । ଆଉ ଏଇ ପିଲାଟିର ପାଳି ପଡିବାରୁ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲା । କହିଥିଲା :ବାପା ବହି କିଣି ଦେଉନାହାଁନ୍ତି । ବହୁତ ଥର କହିଲିଣି ହେଲେ ଜମା କିଣି ଦେଉନାହାଁନ୍ତି । ସବୁଦିନେ ମଦ ପିଇକି ଘରକୁ ଆସୁଛନ୍ତି । ବହି କିଣିବାକୁ କହିବାରୁ ରାଗୁଛନ୍ତି ।

ବାରମ୍ବାର ସେହି କଥାକୁ ଦୋହରାଉଛି କୁନି ଛାତ୍ର ଜଣକ । ‘ ବାପା ସବୁଦିନେ ମଦ ପିଉଛନ୍ତି, ବହି କିଣିଦେଉନାହାଁନ୍ତି ।’ହେଲେ ପଛପଟେ ଛିଡା ହୋଇ ମୁହଁ ଟାଣ କରି ଓଲଟି ପୁଅ ଉପରେ ଦୋଷ ଲଦୁଛନ୍ତି ବାପା । ଶିକ୍ଷକ କହୁଛନ୍ତି ପୁଅ ପାଇଁ ବହି କିଣିଦେବାକୁ । ହେଲେ ଶୁଣିି ନଶୁଣିଲା ପରି ହେଉଛନ୍ତି ଛାତ୍ରଙ୍କ ବାପା । ଓଲଟି ପୁଅ ମିଛ କହୁଛି ବୋଲି କହୁଛନ୍ତି ।
ହେଲେ ସତକୁ ବା କେମିତି ଲୁଛେଇବେ ମଦୁଆ ବାପା । ବାପା କଥାରେ ପୁଣିଥରେ ଛାତ୍ରକୁ ତାଗିଦା କରିବାରୁ ପିଲାଟି ଡରିଯାଇଥିଲା । ହେଲେ ଧାଡିରେ ଛିଡା ହୋଇଥିବା ଛାତ୍ରର ଭଉଣୀ ଭାଇକୁ ସମର୍ଥନ କରି କହୁଛି ‘ ନାଁ ସାର୍ ଭାଇ ବାପାଙ୍କୁ ବହି ଆଣିବାକୁ କହିଥିଲା । ହେଲେ ବାପା ଆଣୁନାହାଁନ୍ତି । ବାପା ସବୁବେଳେ ଘରକୁ ମଦ ପିଇ ଆସୁଛନ୍ତି’ । ଏହାପରେ ମଦୁଆ ବାପାଙ୍କୁ ତାଗିଦ କରୁଛନ୍ତି ଶିକ୍ଷକ । ବହି କିଣି ତୁରନ୍ତ ପିଲାଙ୍କୁ ଦେବାକୁ କହିବା ସହ ବହି ନକିଣିଲେ ଥାନାରେ ଅଭିଯୋଗ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଭିଡିଓଟି କେବଳ ଏହି କୁନି ଛାତ୍ରର ଦୁଃଖଭରା ସମସ୍ୟାକୁ ବଖାଣୁନି ବରଂ ତା ପରି ହଜାର ହଜାର ଶିଶୁଙ୍କ ଯନ୍ତ୍ରଣାକୁ ପ୍ରକାଶ କରୁଛି । ଯେଉଁମାନଙ୍କ ଭବିଷ୍ୟତ ଏପରି ମଦୁଆ ବାପାଙ୍କ ଯୋଗୁଁ ଛାରଖାର ହୋଇଯାଉଛି ।ପୁଣି ଭିଡିଓଟି ଏପରି ସମୟରେ ଭାଇରାଲ ହୋଇଛି ଯେତେବେଳେ, ବିହାର ସରକାର ଚଳାଇଛନ୍ତି ‘ସରାବବନ୍ଦୀ ଅଭିଯାନ’ । କିଛି ଦିନ ହେବ ବିହାରରେ ଏହି ଅଭିଯାନ ଜୋର ସୋରରେ ଚାଲିଥିବାବେଳେ ଶୁକ୍ରବାର ମଦ୍ୟପାନ ନକରିବାକୁ ମୁଖ୍ୟମନ୍ତ୍ରୀ ଅଢେଇ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଶପଥ ଗ୍ରହଣ କରାଇବା ସହ ନିଜେ ମଧ୍ୟ ଶପଥ ନେଇଛନ୍ତି । ହେଲେ ବାସ୍ତବରେ ଏହି ଅଭିଯାନ କେତେ ସତ ତାହାର ଗୁମର ଖୋଲିଛି ଏହି କୁନି ଛାତ୍ର ।