ବିହାର ବିଧାନସଭାରେ ସଂରକ୍ଷଣ ସଂଶୋଧନ ବିଲ ପାରିତ । ସଂରକ୍ଷଣ ସୀମା ବୃଦ୍ଧିକୁ ବିରୋଧ, ବିଧାନସଭାରେ ହଟ୍ଟଗୋଳ

63

କନକ ବ୍ୟୁରୋ : ଗୁରୁବାର ବିହାର ବିଧାନସଭାରେ ପାରିତ ହୋଇଛି ସଂରକ୍ଷଣ ସଂଶୋଧିତ ବିଲ୍ । ଶୁକ୍ରବାର ଏନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି । ବିହାର ବିଧାନସଭା ବାହାରେ ବିଜେପି ବିହାର ସରକାରଙ୍କ ଫଇସଲାକୁ ବିରୋଧ କରି ଧାରଣା ଦେଇଛନ୍ତି । ବିଜେପି କହିଛି ବିହାର ସରକାର ଦଳିତଙ୍କୁ ଅପମାନ କରି ଏଭଳି ସଂରକ୍ଷଣ ବିଲ ପାରିତ କରିଛି । ସେପଟେ ଜେଡିୟୁ କହିଛି ଜାତିଗତ ଜନଗଣନାରେ ଭୟଭୀତ ହୋଇ ଜାଣିଶୁଣି ହଟଗୋଳ କରୁଛି ବିଜେପି । ସେପଟେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ନୀତୀଶ ସରକାରଙ୍କ ଫଇସଲା ଉପରେ ମଧ୍ୟ ଆପତି ପ୍ରକାଶ କରିଛନ୍ତି । ମାଂଝୀ କହିଛନ୍ତି କେବଳ ବିଲ ପାରିତ କଲେ ଚଳିବନି ବଂର ସଂରକ୍ଷଣ ସ୍ଥିତି ସମୀକ୍ଷା କରାଯିବା ଉଚିତ ।

ସଂରକ୍ଷଣ ସଂଶୋଧିତ ବିଲ ଅନୁସାରେ ବିହାରରେ ବର୍ତ୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦% ଅନୁସୂଚିତ ଜନଜାତିକୁ ୨% ପଛୁଆ ବର୍ଗଙ୍କୁ ୧୮% ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫% ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ସମୁଦାୟ ୬୫% । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦% ସଂରକ୍ଷଣ ପ୍ରଯୁଜ୍ୟ ରହିଛି । ଏହି ଧାରାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ପରିସର ବର୍ତମାନ ୭୫% ହୋଇଯାଇଛି ।

-ସୁପ୍ରିିମକୋର୍ଟ ୧୯୯୨ ମସିହାରେ ଜାତି ଆଧାରିତ ସଂରକ୍ଷଣ ୫୦% ମଧ୍ୟରେ ରଖିବା ପାଇଁ ସୀମା ନିର୍ଦ୍ଧାରଣ କରିଥିଲେ
-ବିହାର ସରକାରଙ୍କ ସଂରକ୍ଷଣ ସଂଶୋଧିତ ବିଲ ଏହାକୁ ଟପିଯାଇଛି
-୫୦% ସଂରକ୍ଷଣ ସଂଶୋଧନ ପରେ ୬୫% ରେ ପରିଣତ ହେବାକୁ ଯାଉଛି
-ତେଣୁ ସୁପ୍ରିମକୋର୍ଟରେ ଏହା ବିରୋଧରେ ଚ୍ୟାଲେଂଜ ଦେବା ସମ୍ଭାବନା ରହିଛି

ବିଧାନସଭାରେ ଜାତି ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ୍ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ପ୍ରସ୍ତାବ ଆସିିଥିଲା । ଗୁରୁବାର ଏହି ବିଲ ବିଧାନସଭାରେ ପାରିତ ହୋଇଛି । ବର୍ତମାନ ସମୟରେ ଜାତିଗତ ଜନଗଣନା ନେଇ ବିହାର ରାଜନୀତରେ ସରଗରମ ସ୍ଥିତି ରହିଛି ।