କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି । ରାହୁଲ ଦିଲ୍ଲୀରେ ମିସା ଭାରତୀଙ୍କ ଆବାସରେ ଲାଲୁଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ । ଅନେକ ସମୟ ଧରି ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଏକାଠୀ ରାତ୍ରୀଭୋଜନ ମଧ୍ୟ କରିଥିଲେ । ରାତ୍ରୀ ଭୋଜନରେ ରାହୁଲଙ୍କ ପାଇଁ ଚମ୍ପାରଣ ମଟନ ପ୍ରସ୍ତୁତ କରାଯାଇଥିଲା । ମିସା ଭାରତୀ ଏବଂ ଲାଲୁଙ୍କ ପୁରା ପରିବାର ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ । ଏହି ଆଲୋଚନା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆର ରଣନୀତି ସହ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Advertisment

ଲାଲୁ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ପାଖପାଖି ୪୦ ଦିନ ପରେ ଦ୍ୱିତୀୟ ଥର ସାକ୍ଷାତ ଏବଂ ବୈଠକ ହୋଇଛି । ଉଭୟ ପରସ୍ପର ସହ କୁଣ୍ଢାକୁଣ୍ଢି ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ଲାଲଙ୍କୁ ରାହୁଲ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ମଧ୍ୟ ପଚାରିବୁଝିଥିଲେ । ବୈଠକ ବେଳେ କଂଗ୍ରେସ ମହାସଚିବ କେସି ବେଣୁଗୋପାଲ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଅବଦ୍ଦୁଲବାରୀ ସିଦ୍ଦିକୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହା ପୂର୍ବରୁ ଜୁନ ୨୩ରେ ପାଟନାରେ ଆୟୋଜିତ ବିରୋଧୀ ଦଳଙ୍କ ବୈଠକରେ ଦୁଇ ନେତା ପରସ୍ପରକୁ ସାକ୍ଷାତ କରିଥିଲେ । ସେତେବେଳେ ଲାଲୁ ରାହୁଲଙ୍କୁ ଶୀଘ୍ର ବିବାହ କରିବାକୁ ପରାମର୍ଶ ଦେଇଥିଲେ ।