ବିିହାର ରାଜନୀତିରେ ନୂଆ ମୋଡ । ବିଜେପି ସହ ମେଣ୍ଟ ସରକାର କରିବାକୁ ନୀତିଶଙ୍କ ଯୋଜନା, ବହୁମତ ହାସଲ କରିବାକୁ ଲାଲୁଙ୍କ ପୟାସ

302

କନକ ବ୍ୟୁରୋ : ବିହାର ରାଜନୀତିରେ ନୂଆ ମୋଡ । କିଛିମାସ ତଳେ ବିଜେପିରୁ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଥିବା ନୀତିଶ କୁମାର ପୁଣିଥିରେ ଏନଡିଏକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଏବେ ବିହାରରେ ସରକାର ଭଙ୍ଗ କରି ନୀତିଶ କୁମାର ପୁଣି ବିଜେପି ମେଣ୍ଟରେ ସରକାର ଗଠନ କରିପାରନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି । ସୂତ୍ର ସୂଚନା ମୁତାବକ ନୀତିଶ କୁମାର ଫେବୃଆରୀ ୨୮ ତାରିଖରେ ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି । ହେଲେ ପ୍ରତି ଘଣ୍ଟାରେ ବଦଳୁଥିବା ବିହାର ସମୀକରଣକୁ ଦେଖିଲେ ଏହା ନୀତିଶ କୁମାରଙ୍କ ପାଇଁ ଏତେ ସହଜ ନୁହେଁ । ନୀତିଶଙ୍କ ବିଶ୍ୱାସଘାତକତା ଦେଖି ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ତାଙ୍କ ପୁଅ ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସରକାର ବଞ୍ଚାଇବାକୁ ମନ୍ଥନ ଆରମ୍ଭ କରିଦେଇଛନ୍ତି । ଏହାସହ ଲାଲୁ ଯାଦବ ପ୍ରଥମ ଚାଲ ଖେଳିବା ଆରମ୍ଭ କରିଛନ୍ତି ।

ଲାଲୁଙ୍କ ରଣନୀତି ଦେଖିବା ପରେ ଏବେ ଆରଜେଡି ଓ ଜେଡିୟୁ ମଧ୍ୟରେ ସରକାର ଗଠନ କରିବା ସୁଯୋଗ ଅଧା ଅଧା ହୋଇଛି । ହେଲେ ସିଧା ହିସାବରେ ଯଦି ରାଜନୀତି ଚାଲେ ତେବେ ନୀତିଶ କୁମାର ସୁରୁଖୁରୁରେ ବିଜେପି ସହ ମିଶି ସରକାର ଗଠନ କରିଦେବେ । ମାତ୍ର ସଂଖ୍ୟା ଗଣିତକୁ ଦେଖିଲେ ନୀତିଶ କୁମାର ସରକାର ଗଠନ କରିବା ଏତେ ସହଜ କଥା ନୁହେଁ । ଯଦି ତେଜସ୍ୱୀ ଯାଦବ ସଂଖ୍ୟା ଗଣିତକୁ ପ୍ରାଧାନ୍ୟ ଦିଅନ୍ତି ତେବେ ବିହାରରେ ମାମଲା ଫଶିଯିବ । କାରଣ ଆରଜେଡି ହେଉଛି ବିହାରର ସର୍ବ ବୃହତ ଦଳ । ଏହାସହ ନୀତିଶଙ୍କ ଭାବଭଙ୍ଗୀ ଦେଖି ଲାଲୁ ଯାଦବ ଏନଡିଏ ମେଣ୍ଟରେ ଥିବା ଜିତିନରାମ ମାଞ୍ଝୀଙ୍କ ସହ କଥା ହୋଇଛନ୍ତି । ଆରଜେଡି ତରଫରୁ ମାଞ୍ଝୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଯଚାଯାଇଛି । ଯଦି ଜିତିନରାମ ମାଞ୍ଝୀ ଆରଜେଡିକୁ ସମର୍ଥନ କରେ ତେବେ ଆରଜେଡି ତରଫରୁ ମାଞ୍ଝୀଙ୍କ ପୁଅ ସନ୍ତୋଷ କୁମାର ସୁମନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ସେପଟେ ଯଦି ସଂଖ୍ୟା ଗଣିତକୁ ଦେଖିବା ବିହାର ବିଧାନସଭାର ମୋଟ ୨୪୩ ଆସନ । ସରକାର ଗଠନ କରିବାକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆରଜେଡି ପାଖରେ ୭୯, କଂଗ୍ରେସ ୧୯, ସିପିଆଇ(ଏମଏଲ) ୧୨ ଓ ସିପିଆଇ (ଏମ)ର ୨ ବିଧାୟକଙ୍କୁ ମିଶାଇ ୧୧୨ ବିଧାୟକ ରହିଛନ୍ତି । ଯଦି ଜିତିନରାମ ମାଞ୍ଝୀଙ୍କ ପାଖରେ ୪ ବିଧାୟକ ଓ ଏଆଇଏମଆଇଏମ ପାଖରେ ୧ ବିଧାୟକ ସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି । ଏସବୁ କୁ ମିଶାଇ ଆରଜେଡି ସମର୍ଥନରେ ୧୧୮ ବିଧାୟକ ହେଉଛନ୍ତି । ଯଦି ତେଜସ୍ୱୀ ଯାଦବ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ନିଜ ସମର୍ଥନରେ ଆଣିପାରନ୍ତି ତେବେ ବିହାରରେ ନୀତିଶଙ୍କ ରାଜନୀତି ଶେଷ ହେବାକୁ ଯାଉଛି ।

ଅନ୍ୟପଟେ ବିଜେପି ସମର୍ଥନରେ ନୀତିଶ ସରକାର ଗଠନ କରିବା ସହଜ । କାରଣ ବିଜେପି ପାଖରେ ୭୮ ବିଧାୟକ, ଜେଡିୟୁ ପାଖରେ ୪୫ ଓ ଜିତିନରାମ ମାଞ୍ଝୀଙ୍କ ପାଖରେ ୪ ଜଣ ବିଧାୟକଙ୍କୁ ମିଶାଇ ୧୨୭ ବିଧାୟକ ରହିଛନ୍ତି । ଯାହା କି ନୀତିଶ କୁମାରଙ୍କୁ ସରକାର ଗଠନ କରିବାରେ ସହଜ ହେବ ।