ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଲା ବିହାର । ୯୪ଟି ବିଧାନସଭା ଆସନ ପାଇଁ ମତ ସାବ୍ୟସ୍ତ କଲେ ଭୋଟର

45

କନକ ବ୍ୟୁରୋ : ବିହାରର ୯୪ଟି ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୪୯.୭୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମହାମେଟଂର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ବିଜେପି ନେତା ତଥା ନୀତିଶ ସରକାର ମନ୍ତ୍ରୀ ନନ୍ଦ କିଶୋର ଯାଦବ ଭଳି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।

୧୭ ଜିଲ୍ଲାର ୯୪ ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ଏହି ମତଦାନ ବିହାରର ଭାଗ୍ୟ ପରୀକ୍ଷା କ୍ଷେତ୍ରରେ ଏକ ବଡ ଭୂମିକା ନେବ । ଗୋଟିଏ ପଟେ ମୋଦିଙ୍କ ବିଜେପି ଓ ସୁଶାସନ ବାବୁ ନୀତିଶ କୁମାର ଏବଂ ଅନ୍ୟପଟେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ । ପୂର୍ବରୁ ତେଜସ୍ୱୀଙ୍କ ଆଗରେ ଏନଡିଏ ବେଶ ଭାରି ଲାଗୁଥିଲା, କିନ୍ତୁ ଧିରେ ଧିରେ କଥା କଡା ଟକ୍କର ଆଡକୁ ଗଲାଣି । କିନ୍ତୁ ପ୍ରକୃତରେ ଆଗାମୀ ୫ ବର୍ଷ ପାଇଁ ବିହାରର ଜନତା କାହାକୁ ବାଛିବେ, ତାର ବିଚାର ଜନତା ଦରବାରରେ ଚାଲିଛି ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମହାମେଂଟ ପକ୍ଷରୁ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ରାଘୋପୁର ଜନତାଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବତନ ମନ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ହସନପୁର ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ବାଙ୍କିପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେପି ନେତା ତଥା ନୀତିଶ ସରକାରରେ ମନ୍ତ୍ରୀ ଥିବା ନନ୍ଦ କିଶୋର ଯାଦବ ପାଟନା ସାହିବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜେଡିୟୁ ନେତ୍ରୀ ତଥା ନୀତିଶ ସରକାରରେ ପୂର୍ବତନ ସାମାଜିକ ନ୍ୟାୟ ମନ୍ତ୍ରୀ ଥିବା ମଞ୍ଜୁ ବର୍ମା ବେଗୁସରାଇ ଜିଲ୍ଲାର ଚେରିଆ-ବରିୟାରପୁର ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ମୁଜାଫରପୁର ସେଲଟରହୋମ ଯୌନ ଶୋଷଣ ମାମଲାରେ ସ୍ୱାମୀଙ୍କ ସଂପୃକ୍ତି ଅଭିଯୋଗ ପରେ ମଂଞ୍ଜୁ ମନ୍ତ୍ରୀ ପଦ ହରାଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ଏନଡିଏ ପକ୍ଷରୁ ବିଜେପି ଏକାକି ୪୬ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେହିପରି ଜନତା ଦଳ ୟୁନାଇଟେଡ ୪୩ ଓ ବିକାଶଶୀଲ ଇନାସନ ପାର୍ଟିର ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେପଟେ ମହାମେଂଟ ପକ୍ଷରୁ ରାଷ୍ଟ୍ରୀୟ ଜନତା ଦଳର ୫୬, କଂଗ୍ରେସର ୨୪, ସିପିଆଇଏମଏଲର ୬, ସିପିଆଇ ଓ ସିପିଏମର ୪ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।