କନକ ବ୍ୟୁରୋ : ଭୁଲ ତରିକାରେ କରୋନା ଟିକାର ୧୧ ଟି ଖୋରାକ ନେଇଥିବା ବିହାର ମଧେପୁରା ଜିଲ୍ଲାର ୮୪ ବର୍ଷିୟ ବୃଦ୍ଧା ବ୍ରହ୍ମାଦେବ ମଣ୍ଡଳ ତୁରନ୍ତ ଗିରଫ ହୋଇପାରନ୍ତି । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ମଧେପୁରା ଜିଲ୍ଲା ପୁରେନୀ ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ବିନୟ କୃଷ୍ଣ ପ୍ରସାଦ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ବ୍ରହ୍ମାଦେବଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

Advertisment

ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ପୋଲିସ ଧାରା ୧୮୮,୪୧୯,୪୨୦ ଅର୍ନ୍ତଗତ ମାମଲା ରୁଜୁ କରିଛି , ଯାହା କି ଜାମିନ ବିହିନ ଧାରା ଅଟେ । ହେଲେ ବୟସାଧିକ କାରଣରୁ ବ୍ରହ୍ମାନନ୍ଦ ଗିରଫ ହେବା ପରେ ଜାମିନ ପାଇ ପାରନ୍ତି ।

କହିରଖୁ କି ବ୍ରହ୍ମାଦେବ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟକର୍ମୀ ଧରିଥିଲେ କି ବ୍ରହ୍ମାଦେବ କରୋନା ଟିକାର ୧୧ ଟି ଖୋରାକ ନେଇ ସାରିଲେଣି   । କରୋନା ନିରୋଧୀ ଟିକାକରଣ ଆରମ୍ଭ ହେବା ଦିନ ଠାରୁ ବ୍ରହ୍ମାଦେବ କେତେବେଳେ ଆଧାର କାର୍ଡ ତ କେତେବେଳେ ଭୋଟର ଆଇକାର୍ଡ ଦେଖାଇ ୧୧ ଥର ଟିକା ନେଇସାରିଛନ୍ତି । ସବୁଠାରୁ ବଡ କଥା କି ବ୍ରହ୍ମାଦେବ କେବେ ଓ କେଉଁ ଟିକାକରଣ କେନ୍ଦ୍ରରୁ କେତେ ଥର ଟିକା ନେଇଛନ୍ତି ସବୁ ମନେ ରଖିଛନ୍ତି । ସେ ପ୍ରଥମ ଡୋଜ ଫେବୃଆରୀ ୧୩ ତାରିଖ ୨୦୨୧ ମସିହାରେ ନେଇଥିଲେ । ଏହାପରେ ୨୦୨୧ ଡିସେମ୍ବର ୩୦ ତାରିଖ ମଧ୍ୟରେ ସେ ଟିକାର ୧୧ ଟି ଖୋରାକ ନେଇ ସାରିଛନ୍ତି ।

ବ୍ରହ୍ମାଦେବ ଦାବି କରିଛନ୍ତି କି ସେ କରୋନା ଟିକାର ୧୧ ଟି ଖୋରାକ ନେବା ପରେ ତାଙ୍କ ଶରୀରରେ ଥିବା ବିଭିନ୍ନ ଗମ୍ଭୀର ରୋଗରୁ ତାଙ୍କୁ ମୁକ୍ତି ମିଳିଛି । ବ୍ରହ୍ମାଦେବ ସରକାରୀ ଡାକ ବିଭାଗର ଜଣେ ଅବସର ପ୍ରାପ୍ତ କର୍ମଚାରୀ । ସେ ଗୋଟିଏ ବର୍ଷ ମଧ୍ୟରେ ଟିକାର ୧୧ ଟି ଖୋରାକ ନେଇ ସାରିଛନ୍ତି ବୋଲି ଦାବି କରିଛନ୍ତି ।