ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି: ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର; ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ସୁଶୀଲ କୁମାର ମୋଦି

ନୀତିଶଙ୍କ ନାଁ ଘୋଷଣା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

435

କନକ ବ୍ୟୁରୋ: ବିହାରରେ ପୁଣି ଥରେ ଚାଲିବ ନୀତିଶ କୁମାରଙ୍କ ରାଜ୍ । ୭ମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛିା । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ହିଁ ଉପମୁଖ୍ୟମନ୍ତ୍ରୀ ରହିବେ । ଏନଡିଏ ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ନୀତିଶଙ୍କ ନାଁ ଘୋଷଣା କରିଥିଲେ । ଏନଡିଏ ବୈଠକରେ ସମସ୍ତ ସହଯୋଗୀ ବିଜେପି, ଜେଡିୟୁ ଓ ଅନ୍ୟ ଦୁଇ ଦଳ ସାମିଲ ଥିଲେ । ବୈଠକ ପରେ ନୀତିଶ କୁମାର ରାଜଭବନ ଯାଇ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ ।

କାଲି ସକାଳେ ବିହାରର ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । ବିହାରରେ ନିର୍ବାଚନରେ ଏନଡିଏକୁ ୧୨୫ ଆସନ ମିଳିଛି । କିନ୍ତୁ ଜେଡିୟୁ ବଦଳରେ ଏଥର ବିଜେପି ମେଂଟରେ ସବୁଠାରୁ ବଡ ଦଳ ହୋଇଥିବାରୁ ମନ୍ତ୍ରିମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବା ଆଶା କରାଯାଉଛି । ନୀତିଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଓ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ । ବିଧାନସଭାର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବାଧକ ୩୬ ଜଣ ମନ୍ତ୍ରୀ ଶପଥ ନେଇପାରିବେ । ଚଳିତଥର ବିଜେପି ୭୪ ଆସନରେ ଜିତିଛି । ଅର୍ଥାତ ଗତଥର ଅପେକ୍ଷା ୨୧ ଜଣ ବିଜେପି ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିଭଳି ଜେଡିୟୁ ଗତଥର ୭୧ ଆସନ ପାଇଥିବାବେଳେ ଏଥର ମାତ୍ର ୪୩ ଆସନ ପାଇଛି ।