ପ୍ଲାଷ୍ଟିକରୁ ଉତ୍ପାଦନ ହେଉଛି ପେଟ୍ରୋଲ, ଡିଜେଲ । ଲିଟର ପ୍ରତି ଦାମ କେବଳ ୭୦ ଟଙ୍କା । ବିହାର ଯୁବକ କରି ଦେଖାଇଲେ କରିସ୍ମା ।

165

କନକ ବ୍ୟୁରୋ: ଗୋଟିଏ ପଟେ ମହଙ୍ଗା ପେଟ୍ରୋଲ-ଡିଜେଲ ଦର ଲୋକଙ୍କୁ ଡରାଉଥିବାବେଳେ, ପ୍ଲାଷ୍ଟିକ୍ କାରଣରୁ ଏବେ ଦିନକୁ ଦିନ ନଷ୍ଟ ହେଉଛି ପରିବେଶ । ଆଉ ଏହାରି ଭିତରେ ବିହାରର ଜଣେ ଯୁବକ ଏହି ଦୁଇଟି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି । ସେ ପ୍ଲାଷ୍ଟିକକୁ ବ୍ୟବହାର କରି ପେଟ୍ରୋଲ-ଡିଜେଲ ଉତ୍ପାଦନ କରୁଥିବାବେଳେ ଏହାକୁ ଇନ୍ଧନ ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ ।

ବିହାରର ମୁଜାଫରପୁରରେ କିଛି ଯୁବକ ମିଶି ଏବେ ପ୍ଲାଷ୍ଟିକ୍ ବ୍ୟର୍ଜବସ୍ତୁରୁ ପେଟ୍ରୋଲ-ଡିଜେଲ ଉତ୍ପାଦନ କରିବା ଆରମ୍ଭ କରିଛନ୍ତି । ଏଥିରେ ଲୋକଙ୍କୁ ଶସ୍ତାରେ ପେଟ୍ରୋଲ, ଡିଜେଲ ମିଳୁଥିବାବେଳେ ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରୁଛି । ତେବେ ୮ ଜଣ ଯୁବକ ମିଶି ଏହାକୁ ଏବେ ଆରମ୍ଭ କରିଛନ୍ତି । ଯାହାର ନେତୃତ୍ୱ ନେଉଛନ୍ତି ଆଇଏସଆଇ ଦିଲ୍ଲୀର ଛାତ୍ର ଆଶୁତୋଷ ମଙ୍ଗଳମ । ତାଙ୍କ ସହିତ ତାଙ୍କର କିଛି ସାଙ୍ଗ ମଧ୍ୟ ଏହି କାମରେ ତାଙ୍କୁ ସହଯୋଗ କରିଛନ୍ତି ।

ଆଶୁତୋଷ ୨୦୧୯ ମସିହାରୁ ପ୍ଲାଷ୍ଟିକୁ ପେଟ୍ରୋଲ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଆଉ ଯାହାକି ଏବେ ସଫଳ ହୋଇଛି । ତେବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପେଟ୍ରୋଲ ଓ ଡିଜେଲ ବାହାର କରିବାର ଏହି ପ୍ରକ୍ରିୟାକୁ ପେଟେଣ୍ଟ ଗ୍ରାଭିଟି ଏଗ୍ରୋ ଆଣ୍ଡ ଏନର୍ଜି ବୋଲି କୁହାଯାଉଛି । ଏହି ପ୍ଲାଣ୍ଟ ଟି ଆଶୁତୋଷଙ୍କ ପୈତୃକ ଜମିରେ ନିର୍ମାଣ କରାଯାଇଥିବାବେଳେ ଏଥିପାଇଁ ତାଙ୍କୁ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଲୋନରେ ଆଣିବାକୁ ପଡିଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ, ପ୍ରଥମେ ପ୍ଲାଷ୍ଟକକୁ ସଂଗ୍ରହ କରି ଏଠାରେ ତାକୁ ଇଥେନରେ ପରିବର୍ତ୍ତନ କରାଯାଏ । ଏହାପରେ ଇଥେନକୁ ଆଇସୋ ଅକେନ୍ରେ ବଦଳାଇ ସେଥିରୁ ପେଟ୍ରୋ-କେମିକାଲ୍ ବାହାର କରାଯାଏ । ତେବେ ଏହି ପ୍ଲାଣ୍ଟ ପାଇଁ ଆଶୁତୋଷ ଓ ତାଙ୍କ ଟିମକୁ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏହି ପ୍ଲାଣ୍ଟରୁ ଉତ୍ପାଦିତ ହେଉଥିବା ଇନ୍ଧନକୁ ଲିଟର ପ୍ରତି ୭୦ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଏହି ଇନ୍ଧନ ଉତ୍ପାଦନ କରିବାକୁ ୬୨ ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଇଛି । ତେବେ ଏହାଦ୍ୱାରା ଆଗାମୀ ଦିନରେ ଲୋକମାନେ ବେଶ ଉପକୃତ ହୋଇପାରିବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ରହିପାରିବ ।