ଦୁଷ୍କର୍ମ କରିପାରିଲାନି ବୋଲି ଜାଳିଦେଲା : ଅମାନୁଷିକତାର ସବୁ ସୀମା ଲଙ୍ଘିଲା ସଇତାନ , ଦୁଷ୍କର୍ମ କରିବାପାଇଁ ଶତଚେଷ୍ଟା କଲା କିନ୍ତୁ ଫେଲ୍ ହେବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଲା ଅଭିଯୁକ୍ତ

880

ଉନ୍ନାଓ ଘଟଣା ପରେ ଆଉ ଏକ ଛାତି ଥରାଇଦେବା ଭଳି ଘଟଣା ସାମନାକୁ ଆସିଛି । ବିହାରର ମୁଜାଫରପୁରରେ ଶନିବାର ସନ୍ଧ୍ୟାରେ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଯୁବତୀଙ୍କୁ ଜିଅନ୍ତା ଜଳାଇ ଦେବାର ଘଟଣା ଶୁଣିବାକୁ ମିଳିଛି । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନାନୁସାରେ, ପୀଡିତାଙ୍କୁ ନଜିରପୁର ଗାଁରେ ତାଙ୍କ ଘରୁ ଜଣେ ବ୍ୟକ୍ତି ଉଠାଇ ନେଇଥିଲେ । ବ୍ୟକ୍ତି ଜଣଙ୍କ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ପୀଡିତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି । ପୀଡିତାଙ୍କ ଶରୀରର ୮୦ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି । ପୀଡିତାଙ୍କୁ ମୁଜଫରପୁର ଏସକେଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ମା’ଙ୍କ ବୟାନ ଆଧାରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ପୀଡିତାଙ୍କ ବୟାନ ଗ୍ରହଣ କରାଯାଇନଥିବା ବେଳେ, ଘଟଣାର ତଦନ୍ତ ଜାରି ରହିଛି ।

ହାଇଦ୍ରାବାଦ ଓ ଉନ୍ନାଓ ପରେ ଏହା ହେଉଛି ତୃତୀୟ ଏଭଳି ଘଟଣା ଯେଉଁଥିରେ ଅଭିଯୁକ୍ତମାନେ ନୃଶଂସତାର ସମସ୍ତ ସୀମା ଟପିଯାଇଛନ୍ତି । ପୀଡିତାଙ୍କୁ ଜିଅନ୍ତା ଜାଳି ଦେବାକୁ ପଛାଇ ନାହାନ୍ତି । ନିକଟରେ ହାଇଦ୍ରାବାଦ ଘଟଣାରେ ପଶୁ ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରି ଜିଅନ୍ତା ଜାଳି ଦେବା ପରେ ତେଲେଙ୍ଗାନା ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରି ଦେଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଏଭଳି ଆଉ କେତୋଟି ଘଟଣା ସାମ୍ନାକୁ ଆସୁଥିବ ? କେବେ ବନ୍ଦ ହେବ ଯୁବତୀଙ୍କ ଉପରେ ଏପରି ଅମାନୁଷିକ ଅତ୍ୟାଚାର? ଆଇନର ଆକଟକୁ ଆଡ ଆଖିରେ ଚାହୁଁନାହାନ୍ତି ଅପରାଧି , ଯେଉଁଥିପାଇଁ ଆଇନର ଢିଲା ସଜା ଆଗରେ ବଳିପଡୁଛନ୍ତି ନିର୍ଭୟା , ଦିଶା ଭଳି ଆଉ କେତେଜଣ ଅଭାଗା ଝିଅ ।