୩୦ ଘଣ୍ଟା ହେବ ବାରୱେଲରେ ଫସି ରହିଛି ୩ ବର୍ଷର କୁନି ପିଲା ! ବଞ୍ଚାଇବା ପାଇଁ ଜାରି ରହିଛି ଏନଡିଆରଏଫ ଟିମର ଅପରେଶନ, ପିଲାକୁ ପାଣି ପିଆଇବା ସହ ଦିଆଯାଉଛି ଅକ୍ସିଜେନ ।

25

ବିହାରର ମୁଙ୍ଗେର ଜିଲ୍ଲାରେ ତିନି ବର୍ଷର ଜଣେ ଛୋଟ ପିଲା ସନା ଖୋଳା ହୋଇଥିବା ଏକ ବାରୱେଲରେ ଖସିଫଡିଛି । ସନାକୁ ବାରୱେଲରୁ ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ଏନଡିଆରଏଫ ତରଫରୁ ଚେଷ୍ଟା ଜାରି ରହିଛି । ପ୍ରଶାସନ ତରଫରୁ ସନାକୁ ବଞ୍ଚାଇବାର ଅଭିଯାନ କାଲିଠାରୁ ଜାରି ରହିଥିଲେ ମଧ୍ୟ ଏଯାଏ କୌଣସି ସଫଳତା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସନା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲା । ସନ୍ଧ୍ୟା ୩ଟାରେ ସନା ଘରର ଆଖପାଖରେ ଖେଳୁଥିବା ସମୟରେ ଖୋଳାଯାଇଥିବା ଏକ ବାରୱେଲରେ ଗଳିପଡିଥିଲା । ଏହା ପରେ ଘର ଲୋକମାନେ ଅଗ୍ନୀଶମ ବିଭାଗକୁ ଖବର ଦେବା ପରେ ସେଠାରେ ଅଗ୍ନୀଶମ ବିଭାଗ ପହଞ୍ଚି ସନାକୁ ବାରୱେଲରୁ ବାହର କରିବାରେ ଜୁଟି ପଡିଥିଲେ । କିନ୍ତୁ ଅଗ୍ନୀଶମ ବିଭାଗ ଏହି କାର୍ଯ୍ୟକୁ ଏକା କରିନପାରିବାରୁ ସେଠାରେ ଏନଡିଆରଏଫ ଟିମ ଆସି ପହଞ୍ଚିଥିଲେ । ଏବେ ସନାକୁ ପାଣି ପିଇବାକୁ ଦିଆଯାଇଛି । ସନାର ଗୋଡ ବାରୱେଲ ମଧ୍ୟରେ ଫସି ରହିଥିବାରୁ ତାଙ୍କୁ ବାହାର କରିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେପଟେ ବର୍ଷା ବାଧକ ହୋଇ ଛିଡା ହୋଇଥିବାରୁ ସନାକୁ ବାରୱେଲରୁ ବାହାର କରିବା ସମସ୍ତଙ୍କ ପକ୍ଷେ ଏକ ବଡ ଚ୍ୟାଲେଞ୍ଚ ପାଲଟିଯାଇଛି ।

ସନାକୁ ବଞ୍ଚାଇବା ପାଇଁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପୂର୍ବରୁ ଉପଲବ୍ଧ କରାଯାଇଛି । ପ୍ରଶାସନକୁ ଆଲର୍ଟ କରିଦିଆଯାଇଛି । କେବଳ ସେତିକି ନୁହେଁ ଆଖପାଖରେ ଥିବା ବଦ୍ୟୁତ ବ୍ୟବସ୍ଥାକୁ ମଧ୍ୟ କାଟ କରିଦିଆଯାଇଛି । ସନାକୁ ବଞ୍ଚାଇବା ପାଇଁ ପ୍ରଶାସନ ତରଫରୁ ଅନେକ ବ୍ୟବସ୍ଥା ମାନ କରାଯାଇଛି । କୁନି ପିଲାଟିକୁ ବଞ୍ଚାଇବାକୁ ଆସିଥିବା ଟିମ ସନା ଠାରୁ ଆଉ ମାତ୍ର ୩ ଫୁଟ ଦୁରରେ ଅଛନ୍ତି । କିନ୍ତୁ ବର୍ଷା କାରଣରୁ ଗାତ ଖୋଳିବାରେ ବାଧା ସୃଷ୍ଟି ହେଉଛି ।

ଜିଲ୍ଲା ପ୍ରଶାସନଙ୍କ କହିବା ଅନୁସାରେ, ବାରୱେଲରେ ଛୋଟ ପିଲାଟି ପାଖକୁ ଅକ୍ସିଜେନ ଏବଂ ପାଣି ପହଞ୍ଚାଇ ଦିଆଯାଉଛି । ଏଥିସହିତ ପିଲାଟି ପାଖକୁ ଚକଲେଟ ମଧ୍ୟ ପଠାଯାଇଥିଲା କିନ୍ତୁ ସନା ଏବେ ଯାଏ ତାକୁ ଗ୍ରହଣ କରିପାରି ନାହିଁ ।